ରେଢ଼ାଖୋଲ: ଡାକ୍ତରଙ୍କ କଥାକୁ ବିଶ୍ବାସ କଲେନି। ଗୁଡ଼ିଗାରେଡ଼ିରେ ବିଶ୍ବାସ କରି ପୁଅ ଜୀବିତ ଥିବା କହି ମୃତଦେହର ଶେଷକୃତ୍ୟ କଲେ ନାହିଁ। ଫଳରେ ଶବ ୨୪ ଘଣ୍ଟା ପଡ଼ି ରହିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରେଢ଼ାଖୋଲ ସହରର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍‌ଏସି ୪ ନମ୍ବର ୱାର୍ଡର ନୂଆସାହିର ବାହାଦୁର କଅଁରଙ୍କ ବଡ଼ପୁଅ ବୀରେନ (୩୦ ) ଅସୁସ୍ଥ ହେବାରୁ ପରିବାର ଲୋକେ ଗୁରୁବାର ଦିନ ୨ଟାରେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ବୀରେନଙ୍କ ମୃତଦେହ ନେଇ ଘରକୁ ଫେରିଥିଲେ। ତେବେ ପୁଅର ମୃତ୍ୟୁକୁ ସେମାନେ ସହଜରେ ଗ୍ରହଣ ନ କରି ଗୁଣିଗାରେଡ଼ିର ଆଶ୍ରୟ ନେଇଥିଲେ। ପୁଅ ଜୀବିତ ଥିବା କହି ଗୁଣିଆ ରାତି ସାରା ଝଡ଼ାଫୁଙ୍କା କରିଥିଲେ। ଶୁକ୍ରବାର ସକାଳେ ପରିବାର ଲୋକେ ତାଙ୍କ ପୁଅ ଜୀବିତ ଥିବା କହିଥିଲେ।

ଅନ୍ୟପଟେ ପୂର୍ବ ଶତ୍ରୁତାରୁ ତାଙ୍କ ପୁଅକୁ ପଡ଼ୋଶୀ ଘର ଲୋକେ ଏମିତି ଗୁଣି କରିଥିବା ମୃତ ବୀରେନଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ପଡ଼ାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ପୁଲିସ ମୃତକଙ୍କ ଘରେ ପହଞ୍ଚିଥିଲା। ପୁଣି ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ପୁଣି ଥରେ ମୃତ ଘୋଷଣା କରିଥିଲେ। ପୁଲିସ ଓ ଡାକ୍ତରମାନଙ୍କ ବୁଝାସୁଝା ପରେ ପରିବାର ଲୋକେ ଶୁକ୍ରବାର ଦିନ ୨ଟା ପରେ ମୃତ ବିରେନଙ୍କ ଶବଦାହ କରିଥିଲେ। ବୀରେନ କୌଣସି ରୋଗରେ ପୀଡ଼ିତ ଥିବାରୁ କିଛିଦିନ ତଳେ ପରିବାର ଲୋକେ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଫଳରେ ପରିବାର ଲୋକ ୧୭ ତାରିଖରେ ତାଙ୍କୁ ନେଇ ଘରକୁ ଫେରିଥିଲେ। ଗୁରୁବାର ପୁଣି ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା।