ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା, ସ୍ବାମୀ ଗିରଫ

ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର ସାପଗଡ଼ିଆ(ପଦ୍ମପୁର) ଅଞ୍ଚଳର ସନ୍ତୋଷ ସାହୁଙ୍କ ପତ୍ନୀ ରଞ୍ଜିତା ସାହୁ(୨୧)ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ସ୍ବାମୀ ସନ୍ତୋଷକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ଶ୍ବଶୁର ଭାଗୀରଥି ସାହୁ, ଶାଶୂ ଶ୍ରୀମତୀ ସାହୁ ଓ ନଣନ୍ଦ ମଞ୍ଜୁଲତା ସାହୁ ଫେରାର ହୋଇଯାଇଛନ୍ତି। ଯାଜପୁରରୋଡ ଥାନାରେ କେସ୍‌ ନମ୍ବର ୬୫୦/୨୨ ଦଫା ୪୯୮(ଏ), ୩୦୨, ୩୦୪(ବି), ୩୦୬, ୩୪ ଆଇପିସି ଓ ୪ ଡିପି ଆକ୍ଟରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୨୦୨୧ ମସିହା ଜୁନ୍‌ ୧୮ ତାରିଖରେ ସନ୍ତୋଷ ସହିତ ବାଲେଶ୍ବର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ସବିରାତପିସା ଗ୍ରାମର ଶତ୍ରୁଘ୍ନ ସାହୁଙ୍କ ଝିଅ ରଞ୍ଜିତାଙ୍କର ବାହାଘର ହୋଇଥିଲା।

ବାହାଘର ବେଳେ ବିଭିନ୍ନ ଆସବାବପତ୍ର, ସୁନା ଗହଣା ଓ ନଗଦ ଦେଢ଼ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା। ହେଲେ ଚତୁର୍ଥୀ ଭାରରେ ଜୋଇଁର ସୁନାଚେନ୍‌ ନଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଆପୋସ ବୁଝାମଣା ପରେ ଜୋଇଁକୁ ସୁନାଚେନ୍‌ ଦେବା ପାଇଁ ବର୍ଷେ ମହଲତ ନେଇଥିଲେ। ଗତ ଜୁନ୍‌ ୧୫ ତାରିଖରେ ସୁନାଚେନ୍‌ ପାଇଁ ଜୋଇଁ ସନ୍ତୋଷ ଦେଢ଼ଲକ୍ଷ ଟଙ୍କା ନେଇଥିଲେ। ହେଲେ ଗତକାଲି ଝିଅ ଆତ୍ମହତ୍ୟା କରିଥିବା ଜୋଇଁ ସନ୍ତୋଷ ଫୋନ୍‌ କରି ସୂଚନା ଦେଇଥିଲେ। ବାପଘର ଲୋକେ ଝିଅଘରେ ପହଞ୍ଚି ରଞ୍ଜିତାଙ୍କ ମୃତଦେହ ନିକଟରେ ଏକ ବାଇକ୍‌ ଚେନ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷରେ ଝିଅର ବେକରେ କ୍ଷତଚିହ୍ନ ଦେଖି ରଞ୍ଜିତାଙ୍କୁ ହତ୍ୟା କରାଯାଇଛି ବୋଲି ଶତ୍ରୁଘ୍ନ ସାହୁ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମାମଲା ରୁଜୁ କରି ପୁଲିସ ଜୋଇଁ ସନ୍ତୋଷକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ବୋଲି ଯାଜପୁରରୋଡ ଥାନା ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଦ୍ବାରା ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର