ଘରେ ଶୋଇଥିଲେ ଯୁବକ, ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା: ଘରେ ଶୋଇଥିବାବେଳେ ଜଣେ ଯୁବକଙ୍କୁ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ନୂଆଗାଁ ବ୍ଲକ ଅନ୍ତର୍ଗତ ପିତାଲ ବଡାଇକ ବସ୍ତିର ବିଜୟ ବଡାଇକ (୩୧)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଡିଏସ୍‌ପି ନିର୍ମଳ କୁମାର ମହାପାତ୍ର, ବିଶ୍ରା ପୁଲିସ ଓ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଠାବ କରାଯାଇପାରିନି। ମୃତ ଯୁବକଙ୍କ ମା’ଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି।

ମିଳିଥିବା ସୂଚନା ମୁତାବକ ବଡାଇକ ବସ୍ତିରେ ଜୟପାଲ ବଡାଇକ, ପତ୍ନୀ ଓ ତାଙ୍କର ଏକମାତ୍ର ପୁଅ ବିଜୟଙ୍କ ରହନ୍ତି। ପରିବାର ପ୍ରତିପୋଷଣ ପାଇଁ ଗତ ୮ ଦିନ ପୂର୍ବରୁ ଜୟପାଲ କାମ କରିବାକୁ ଘରୁ ତାମିଲନାଡୁ ବାହାରି ଯାଇଥିଲେ। ଘରେ ବିଜୟ ଓ ତାଙ୍କ ମା’ ରହୁଥିଲେ। ବିଜୟ ଘରୋଇ ବସ୍‌ରେ ଖଲାସି କାମ କରୁଥିଲେ। କିଛିଦିନ ପୂର୍ବରୁ ସେ କାମ ଛାଡି ଗାଁ ବିଭିନ୍ନ କାମ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଉଭୟ ମା’ ଓ ପୁଅ ଖାଇବା ପରେ ନିଜ ନିଜ ଘରକୁ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ମା’ ପୁଅ ବିଜୟ ‌ଶୋଇଥିବା ଖଟତଳେ ରକ୍ତ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ପଡୋଶୀମାନେ ପହଞ୍ଚି ବିଜୟକୁ ହତ୍ୟା କରାଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ। ପୁଲିସ ସଦଳବଳେ ପହଞ୍ଚି ବିଜୟ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ବିଜୟଙ୍କୁ କିଏ ଓ କାହିଁକି ହତ୍ୟା କରିଛି ? ପୁର୍ବରୁ କିଛି ଶତ୍ରୁତା ଥିଲା କି? ଏମିତି ବିଭିନ୍ନ ଦିନକୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର