ବିପଦରେ ବାଘ : ୧୫ ମାସରେ ମଲେଣି ୧୩୮

ମଧ୍ୟପ୍ରଦେଶରୁ ୪୦, ଓଡ଼ିଶାରୁ ଦୁଇ, ଲଗାତାର ୩ ବର୍ଷ ହେଲା ଶତାଧିକ ମୃତ

ଭୁବନେଶ୍ବର : ବାଘ ମୃତ୍ୟୁହାରରେ ରେକର୍ଡ ସୃଷ୍ଟି କରିଛି ଭାରତ। ଲଗାତାର ତୃତୀୟ ବର୍ଷ ପାଇଁ ଦେଶରେ ଶହେରୁ ଅଧିକ ବାଘଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ବର୍ଷ ତୁଳନାରେ ୨୦୧୮‌ରେ ବାଘ ମୃତ୍ୟୁହାର କମିଥିଲେ ମଧ୍ୟ ଶହେ ତଳକୁ ଖସିନି। ୪ ବର୍ଷରେ ୪୨୦ ବାଘଙ୍କ ମୃତ୍ୟୁ ହେବା ଚିନ୍ତା ବଢ଼ାଇ ଦେଇଛି। ମୃତ୍ୟୁ ରୋକିବା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ୨୦୧୯ରେ ବି ବାଘ ମୃତ୍ୟୁ ବଢ଼ି ଚାଲିଛି। ଚିନ୍ତାର ବିଷୟ ହେଉଛି ୨୦୧୮ ଜାନୁଆରିରୁ ୨୦୧୯ ଏପ୍ରିଲ ୮ ପର୍ଯ୍ୟନ୍ତ ଦେଶରେ ୧୩୮ଟି ବାଘଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ଚଳିତବର୍ଷ ଏପ୍ରିଲ ୮ ସୁଦ୍ଧା ୩୬ଟି ବାଘଙ୍କର ମୃତ୍ୟୁ ହୋଇସାରିଲାଣି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ର ତଥ୍ୟ ଅନୁଯାୟୀ, ୨୦୧୮ରେ ୧୦୨ଟି ବାଘଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୯୪ଟି ବାଘଙ୍କର ମୃ୍ତ୍ୟୁ ପ୍ରାକୃତିକ, ବିଷାକ୍ତକରଣ, ଶିକାର, ବିଦ୍ୟୁତ୍‌ ଆଘାତ ଲାଗି ହୋଇଛି। ୭୦ଟି ବାଘଙ୍କର ମୃତ୍ୟୁ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି। ତଦନ୍ତ ଚାଲିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୨୭ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ର‌ରେ ୨୦, କର୍ଣ୍ଣା‌ଟକରେ ୧୪ଟି ବାଘଙ୍କର ମୃତ୍ୟୁ ହୋଇଛି। ମୋଟ ବାଘ ମୃତ୍ୟୁ ମଧ୍ୟରୁ ୬୧ପ୍ରତିଶତ କେବଳ ଉକ୍ତ ତିନୋଟି ରାଜ୍ୟରେ ହୋଇଛି। ଏହି ତାଲିକାରେ ଓଡ଼ିଶାରେ ଦୁଇଟି ବାଘ ମୃତ୍ୟୁ ହୋଇଥିବା କୁହାଯାଇଛି। ସାତକୋଶିଆ ଓ ଡେବ୍ରିଗଡ଼ରେ ଗୋଟିଏ ଲେଖାଏଁ ବାଘଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିପାଇଁ ଓଡ଼ିଶାକୁ ବଦନାମ୍‌ ହେବାକୁ ପଡ଼ିଛି।

ଗତ ୪ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୫‌ରେ ସାରା ଦେଶରେ ୮୧ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୬ରେ ତାହା ୧୨୨କୁ ବୃଦ୍ଧି ପାଇଥିଲା। ୨୦୧୭ରେ ବାଘ ମୃତ୍ୟୁହାର ପୁଣିଥରେ ଖସି ଆସି ୧୧୫ରେ ପହଞ୍ଚିଥିଲା। ଅନ୍ୟ ବର୍ଷଗୁଡ଼ିକ ତୁଳନାରେ ୨୦୧୮ରେ ବାଘ ମୃତ୍ୟୁହାର କମିଛି ସତ। କିନ୍ତୁ ଶହେ ତଳକୁ ଖସିନି। ଲଗାତାର ତିନି ବର୍ଷରେ ୩୩୯ଟି ବାଘ ମୃତ୍ୟୁ ଘଟଣା ଚିନ୍ତାର କାରଣ ପାଲଟିଛି। ଯଦି ହିସାବକୁ ନିଆଯାଏ, ପ୍ରତି ମାସରେ ଦେଶରେ ୮ଟି ଲେଖାଏଁ ବାଘଙ୍କ ମୃତ୍ୟୁ ହେଉଛି। ୨୦୧୮ରେ ବାଘ ରହୁଥିବା ୧୮ଟି ରାଜ୍ୟ ମଧ୍ୟରୁ ୧୪ଟିରେ ବାଘ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ବାସସ୍ଥଳୀ ହରାଇବା, ମଣିଷ-ବନ୍ୟପ୍ରାଣୀ ଲଢ଼େଇ ଯୋଗୁଁ ବାଘଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏବେ ଦେଶର ୧୮ଟି ରାଜ୍ୟରେ ୫୦ଟି ବାଘ ସଂରକ୍ଷଣ ଅଞ୍ଚଳ ରହିଛି। ୨୦୧୪ ବାଘ ଗଣନା ଅନୁଯାୟୀ ଦେଶରେ ୨,୨୨୬ଟି ବାଘ ରହିଥିଲେ। ୨୦୧୦ରେ ୧,୭୦୬ ଓ ୨୦୦୬ରେ ୧,୪୧୧ ବାଘ ଥିଲେ। ଗୋଟିଏ ପଟେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ମୃତ୍ୟୁ ବି ହେଉଛି। ଏହାକୁ ରୋକିବାକୁ ହେବ।

ଏନ୍‌ଟିସିଏ ପକ୍ଷରୁ ଆହୁରି କୁହାଯାଇଛି ୨୦୧୯ ଏପ୍ରିଲ ୮ ସୁଦ୍ଧା ଦେଶରେ ୩୬ଟି ବାଘଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୧୩ଟି ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬, କର୍ଣ୍ଣାଟକରେ ୪, ତାମିଲନାଡ଼ୁରେ ୩, ଉତ୍ତରାଖଣ୍ଡ ଓ ତେଲେଙ୍ଗାନାରେ ଦୁଇଟି ଲେଖାଏଁ ‌ବାଘଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, କେରଳ, ରାଜସ୍ଥାନ, ଆସାମରେ ଗୋଟିଏ ଲେଖାଏଁ ବାଘ ମରିଛନ୍ତି। ଏଥିମଧ୍ୟରେ ୧୨ଟି ଅଣ୍ଡିରା ବାଘ ହୋଇଥିବା ବେଳେ ୩ଟି ମାଈ। ଆଉ ୨୧ଟି ବାଘଙ୍କ ସମ୍ପର୍କରେ ସୂଚନା ମିଳିପାରିନି। ୩୬ଟି ବାଘ ମଧ୍ୟରୁ ୪ଟି ବାଘଙ୍କ ଶରୀର କେବଳ ଜବତ କରାଯାଇଛି। ତାହାକୁ ଆଧାର କରାଯାଇ ବାଘ ମୃତ୍ୟୁ ହୋଇଥିବା ଏନ୍‌ଟିସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ବାଘ ମୃତ୍ୟୁ ହୋଇନଥିବା ଉଲ୍ଲେଖ ହୋଇଛି। ତେବେ ମାର୍ଚ୍ଚ ମାସରେ ଓଡ଼ିଶାର କେତେକ ସ୍ଥାନରେ ବାଘ ଚମଡ଼ା, ହାଡ଼ ମଧ୍ୟ ଜବତ ହୋଇଛି। ସେହି ଆଧାରେ ଦେଖିଲେ ଓଡ଼ିଶାରେ ବି ବାଘ ମୃତ୍ୟୁ ହୋଇଥିବାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନଥିବା ଏନ୍‌ଟିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର