ଗଦାଧର ଜେନା
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ବାଲିଅନ୍ତା ବଜାର: ରାଜଧାନୀ ଉପକଣ୍ଠରେ ଥିବା ବାଲିଅନ୍ତା ବ୍ଲକ ଅଧୀନ ବାଲିଅନ୍ତା ପଞ୍ଚାୟତ ଭୁବନପୁର ଗ୍ରାମର ଅଧିଷ୍ଠାତ୍ରୀ ମା’ ଉତ୍ତରମୁଖୀ ଦେବୀଙ୍କ ମନ୍ଦିର ପ୍ରାୟ ୩୦୦ ବର୍ଷ ପୁରୁଣା ଶକ୍ତିପୀଠ। କୁଆଖାଇ ନଦୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପ୍ରବାହିତ ହେଉଥିବା ବେଳେ ବାମପାର୍ଶ୍ୱରେ ଭୁବନପୁର ଗାଁ। ଗାଁର ମଝିରେ ମା’ଙ୍କ ପୀଠ। ମନ୍ଦିରସବୁ ପୂର୍ବମୁହାଁ ହୋଇଥିବାବେଳେ ଏ ମନ୍ଦିର କିନ୍ତୁ ଉତ୍ତରମୁହାଁ। ଆଉ ଗୋଟିଏ ନିଆରା କଥା ହେଉଛି, ଏହି ମନ୍ଦିରରେ ପୋଡ଼ାମାଛ ଭୋଗ ହୁଏ। ଗାଁର ପୁରୁଖା ଲୋକେ କହନ୍ତି, ଭୁବନପୁର ଗାଁରେ ରହୁଥିବା କଟକ ବାଇଶି ଦେଶ ଶିଉଳି କୈବର୍ତ୍ତ ସମ୍ପ୍ରଦାୟର ଲୋକେ ଜୀବିକା ନିର୍ବାହ କରିବାକୁ ନିକଟରେ ଥିବା କୁଆଖାଇ ନଦୀ ଉପରେ ନିର୍ଭର କରୁଥିଲେ। ଗାଁ ପାଖରେ ଯାଇଥିବା ଐତିହାସିକ ଜଗନ୍ନାଥ ସଡ଼କ ଦେଇ ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ପ୍ରାନ୍ତରୁ ଲୋକେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଯାଉଥିଲେ। ଗାଁର କୈବର୍ତ୍ତମାନେ ନଦୀରୁ ସଂଗ୍ରହ କରୁଥିବା ମାଛକୁ ରାସ୍ତାକଡ଼ରେ ଥୋଇ ସେହି ପର୍ଯ୍ୟଟକଙ୍କୁ ବିକ୍ରି କରୁଥିଲେ।
ଦିନେ ଗାଁର ଜଣେ ଲୋକ ନଦୀରୁ ମାଛ ମାରିବା ସମୟରେ ଜାଲରେ ଏକ ଭାରୀ ଜିନିଷ ପଡ଼ିଥିବା ଅନୁଭବ କରିଥିଲା। ଜାଲକୁ ଟାଣି ହୋଇ ନଥିଲା, ତେଣୁ ସେ ପାଣି ଭିତରକୁ ଯାଇ ଯାଞ୍ଚ କରିବାରୁ ଦେଖିଥିଲା ଯେ ଜାଲରେ ଏକ ବିରାଟକାୟ ପଥର ମୂର୍ତ୍ତି ଲାଗିଛି! ସେ ନିଜ ସହଯୋଗୀମାନଙ୍କୁ ଡାକି ମୂର୍ତ୍ତିଟିକୁ କୂଳକୁ ଆଣିଥିଲା। ଦେଖିବାବେଳକୁ ତାହା ମା’ ଦୁର୍ଗାଙ୍କର ଏକ ସୁନ୍ଦର ମୂର୍ତ୍ତି। ଏକଥା ପ୍ରଘଟ ହେବା ପରେ ମୂର୍ତ୍ତିକୁ ଦେଖିବାଲାଗି ଲୋକଙ୍କର ଗହଳି ଲାଗି ଯାଇଥିଲା। ମୂର୍ତ୍ତିକୁ ସେହି ଗାଁରେ ପ୍ରତିଷ୍ଠାକରି ପୂଜା କରିବାର ନିଷ୍ପତ୍ତି ହୋଇଥିଲା। ଉଦ୍ଧାର କରିଥିବା ଲୋକକୁ ମଧ୍ୟ ଦେବୀ ସ୍ବପ୍ନାଦେଶ ଦେଇଥିଲେ। ଲୋକଟି ସେ କଥା ବେଣୁପୁର ଜମିଦାରଙ୍କୁ ଜଣାଇଥିଲା। ତା’ପରେ ଡଙ୍ଗା ରଖା ଯାଉଥିବା ଘାଟ ପାର୍ଶ୍ବରେ ଥିବା ବଉଳଗଛ ମୂଳେ ମା’ଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଯଥାବିଧି ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା। ମୂର୍ତ୍ତି ଉତ୍ତରମୁହାଁ ରହିବା କାରଣରୁ ଜମିଦାର ମା’ଙ୍କୁ ‘ଉତ୍ତରମୁଖୀ’ ବୋଲି ଡାକିଥିଲେ। ସେବେଠାରୁ ସେହି ନାଁ ରହି ଯାଇଛି।
ପୋଡ଼ାମାଛ ଭୋଗ
କିମ୍ବଦନ୍ତୀ ଅନୁଯାୟୀ ଡଙ୍ଗାରେ ମାଛ ଧରିବା ପାଇଁ କୈବର୍ତ୍ତମାନେ ମଝିନଦୀକୁ ଯାଇ ଗଭୀର ଜଳ ମଧ୍ୟରେ ଜାଲ ପକାନ୍ତି। ଅନେକ ସମୟରେ ଜାଲ କେଉଁଠି ଲାଗିଯାଏ, ଜଣା ପଡ଼େନି। ପୁଣି ଅକାତକାତ ପାଣିରେ ଭଉଁରୀରେ ଡ଼ଙ୍ଗା ପଡ଼ିଗଲେ ଫେରିବା କଷ୍ଟକର ହୋଇପଡ଼େ। ବହୁ କଷ୍ଟରେ ସେହିଭଳି ଏକ ଘଟଣାରୁ ଉଦ୍ଧାର ପାଇ ଜୀବନ ବଞ୍ଚାଇ ଜଣେ କୈବର୍ତ୍ତ କୂଳରେ ପହଞ୍ଚି ମା’ଙ୍କୁ ନିଜ ଦୁଃଖ ଜଣାଇ ଘରକୁ ଫେରିଥିଲା। ସେଦିନ ରାତିରେ ମା’ଙ୍କର ସ୍ୱପ୍ନାଦେଶ ହେଲା- ‘ତୁ ନଦୀରୁ ଆଣୁଥିବା ମାଛକୁ ପୋଡ଼ି ଭୋଗ ଲଗାଇଲେ, ଆଉ ସମସ୍ୟା ଦେବନାହିଁ’। ସେବେଠାରୁ ଗାଁର କୈବର୍ତ୍ତମାନେ ଆଜି ପର୍ଯ୍ୟନ୍ତ ମା’ଙ୍କୁ ପୋଡ଼ାମାଛ ଭୋଗ ଦେଇ ଆସୁଛନ୍ତି। ମନ୍ଦିରରେ ମା’ଙ୍କ ନିତିଦିନ ପୂଜା ପାଇଁ ବ୍ରାହ୍ମଣ ନିୟୋଜିତ ହୋଇଥିବାବେଳେ କୈବର୍ତ୍ତ ପରିବାର ଦ୍ବାରା ସଂଗ୍ରହ ହୋଇଥିବା ମାଛ ପ୍ରତିଦିନ ପୋଡ଼ାଯାଇ ଅପରାହ୍ନରେ ମା’ଙ୍କୁ ଅନ୍ନ ଓ ମାଛ ମହୁର ସହ ଅର୍ପଣ କରାଯାଏ। କେବଳ ସେତିକି ନୁହେଁ, ଗାଁର ଗୁଡିଆ ଘରେ ପ୍ରସ୍ତୁତ ଡାଳିମ୍ବ ଭୋଗ ମଧ୍ୟ ପ୍ରତିଦିନ ସଂଧ୍ୟାରେ ସନ୍ଧ୍ୟାଭୋଗ ଭାବେ ଲଗାଯାଏ।
ଦୁର୍ଗାପୂଜା ଓ ରଜ
ମା’ଙ୍କ ପୀଠରେ ବର୍ଷର ବାରମାସ ଭିଡ଼ ଲାଗି ରହିଥାଏ। ବିବାହ, ବ୍ରତ ଓ ଅନ୍ୟ ପୂଜା ପୀଠ ପରିସରରେ ଚାଲିଥାଏ। ବିଭିନ୍ନ ସ୍ଥାନରୁ ଲୋକେ ମା’ଙ୍କ ପୋଡ଼ାମାଛ ଭୋଗ ପାଇବା ପାଇଁ ଆସିଥାନ୍ତି। ମା’ଙ୍କ ପୀଠରେ ଦୁର୍ଗାପୂଜା ଉପଲକ୍ଷେ ଗ୍ରାମବାସୀଙ୍କ ତରଫରୁ ଏକ ବାରାଟ ଜନ୍ତଳା ଅନୁଷ୍ଠିତ ହୋଇଥାଏ। ମା ଙ୍କ ରଜପର୍ବ ଧୁମଧାମ୍ରେ ପାଳନ ହୁଏ। ରଜରେ ମା’ଙ୍କ ନିକଟରେ ପୋହଳା ମାଛର ପୋଡ଼ାବଳି ଓ ଡାଲି ଭୋଗ ଲାଗିଥାଏ। ରଜର ମୁଖ୍ୟ ପରମ୍ପରା ଓ ଆକର୍ଷଣ ହେଉଛି ଯୋଡ଼ିମହୁରୀ, ନାଗରା ବାଜା ସାଙ୍ଗକୁ ଏକ ସପ୍ତାହବ୍ୟାପି ଘୋଡ଼ାନାଚ। ଏସବୁ ଦିନରାତି ଚାଲିଥାଏ। ରଜରେ ମା’ଙ୍କ ନିକଟରେ ମାଛବଳି ଦିଆଗଲେ ଗ୍ରାମ ଓ ସ୍ଥାନୀୟ ଅଞ୍ଚଳରେ ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏକ ସପ୍ତାହ ପର୍ଯ୍ୟନ୍ତ ମା’ଙ୍କ ପୀଠ ଚଳଚଞ୍ଚଳ ହୋଇଥାଏ। ଯେଉଁମାନଙ୍କର ମାନସିକ ପୂରଣ ହୋଇଥାଏ, ସେମାନେ ୯ଦିନ ଧରି ଘୋଡ଼ାନାଚ କରାଇ ଥାଆନ୍ତି।