ଜୁନ୍‌ରେ ଜିଏସ୍‌ଟି ୪୦ କୋଟି କମିଲା: ମେ’ରେ ୫୦୨୭ କୋଟି, ଜୁନ୍‌‌ରେ ୪୯୮୭ କୋଟି

ଭୁବନେଶ୍ବର: ରାଜ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଜୁନ୍ ମାସରେ ହ୍ରାସ ପାଇଛି। ଚଳିତ ବର୍ଷ ମେ’ରେ ୫୦୨୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଜୁନ୍‌ରେ ତା’ଠାରୁ ୪୦ କୋଟି ଟଙ୍କା କମ୍ ଅର୍ଥାତ ୪୯୮୭.୨୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ତେବେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ସଂଗ୍ରହରେ ଓଡ଼ିଶା ୨୪ ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟିର ଫଇସଲା ପରେ ମୋଟ ସଂଗ୍ରହ ୨୦୩୯.୩୧ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଜୁନ୍‌ରେ ଏହି ସମୟରେ ୧୬୫୦.୮୨ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ରାଜ୍ୟ ଜିଏସ୍‌ଟି ଅଧୀନରେ ଜୁନ୍ ସୁଦ୍ଧା ମୋଟ ସଂଗ୍ରହ ୭୦୦୦.୯୮ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ୨୯ ପ୍ରତିଶତ ଅଧିକ। କେନ୍ଦ୍ରୀୟ ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି, ରାଜ୍ୟ ଜିଏସ୍‌ଟି ଓ ସେସ୍‌କୁ ମିଶାଇ ଜୁନ୍ ମାସରେ ରାଜ୍ୟରେ ୪୯୮୭.୨୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ପୂର୍ବବର୍ଷର ଜୁନ୍‌ରେ ଏବାବଦରେ ୪୩୭୯.୯୭ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଗତବର୍ଷ ତୁଳନାରେ ଏଥର ୧୩.୮୭ ପ୍ରତିଶତ ବୃଦ୍ଧି ହୋଇଛି। ଜୁନ୍ ମାସ ସୁଦ୍ଧା ମୋଟ ଜିଏସ୍‌ଟି ସଂଗ୍ରହ ୧୫.୨୨ ପ୍ରତିଶତ ବୃଦ୍ଧି ପାଇ ୧୫,୯୧୬.୩୧ କୋଟି ଟଙ୍କାରେ ପହଞ୍ଚିଛି। ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ଓ ପ୍ରଫେସନାଲ୍ ଟିକସ ସମେତ ସମସ୍ତ ନିୟମ ଅଧୀନରେ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ଜୁନ୍ ମାସରେ ୩୨୭୩.୪୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି ଯାହା ପୂର୍ବବର୍ଷର ଜୁନ୍ ତୁଳନାରେ ୧୭.୫୯ ପ୍ରତିଶତ ଅଧିକ। ଚଳିତ ବର୍ଷ ଜୁନ୍‌ରେ ରାଜ୍ୟରେ ୨୨.୮୭ ଲକ୍ଷ ୱେ ବିଲ୍ ସୃଷ୍ଟି କରାଯାଇଥିଲା, ଯେଉଁଥିରେ ୨୧.୭୧ ପ୍ରତିଶତ ବୃଦ୍ଧି ହୋଇଛି।

ମାସିକିଆ ତଥ୍ୟ ଦେଲାନି କେନ୍ଦ୍ର
ନୂଆଦିଲ୍ଲୀ: ଦୀର୍ଘ ୭୪ ମାସ ଧରି ଚାଲିଥିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ବନ୍ଦ କରିଛନ୍ତି। ପ୍ରତି ମାସରେ ଜିଏସ୍‌ଟି ସଂଗ୍ରହର ଯେଉଁ ତଥ୍ୟ ଜାରି ହେଉଥିଲା ତାହା ଅଟକାଇ ଦିଆଯାଇଛି। ଏହା ପଛର କାରଣ କ’ଣ ତାହା ଜଣାପଡ଼ିନାହିଁ। ତେବେ ଜୁନ୍ ମାସରେ ଦେଶରେ ୧.୭୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ଜଣାପଡ଼ିଛି। ସୋମବାର ଦେଶରେ ଜିଏସ୍‌ଟି ଲାଗୁ ହେବାର ୭ ବର୍ଷ ପୂରଣ ହୋଇଛି। ଜିଏସ୍‌ଟି ଲାଗୁ ହେବା ମୂଲ୍ୟ ହ୍ରାସ ପାଇଥିବା ଜିନିଷର ଏକ ତାଲିକା କିନ୍ତୁ କେନ୍ଦ୍ର ଜାରି କରିଥିଲା।

ସମ୍ବନ୍ଧିତ ଖବର