ଓଡ଼ିଶାର ଚାରୁଲତା କର ରିଜର୍ଭ ବ୍ୟାଙ୍କର ଇଡି

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାର ବୋହୂ ଚାରୁଲତା କରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ମିଳିଛି। ତାଙ୍କ କାର୍ଯ୍ୟକାଳ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ଶ୍ରୀମତୀ କର ରିଜର୍ଭ ବ୍ୟାଙ୍କର ମାନବ ସମ୍ବଳ ବିଭାଗରେ ମୁଖ୍ୟ ମହାପ୍ରବନ୍ଧକ ଭାରାପ୍ରାପ୍ତ ଭାବେ କାର୍ଯ୍ୟ କରୁଥିଲେ। ୧୯୯୧ରେ ଜଣେ ଅଧିକାରୀ ଭାବେ ସେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ଚାରୁଲତା ହେଉଛନ୍ତି ସମ୍ବଲପୁରର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ କରଙ୍କ ବୋହୂ ତଥା ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ (ବିସିଜିଏମ୍) ଡ. ସୁଶାନ୍ତ କରଙ୍କ ପତ୍ନୀ। ରିଜର୍ଭ ବ୍ୟାଙ୍କର ପେମେଣ୍ଟ ଓ ସେଟଲ୍‌ମେଣ୍ଟ ବ୍ୟବସ୍ଥା, ସରକାରୀ ବ୍ୟାଙ୍କିଙ୍ଗ, ଆଭ୍ୟନ୍ତରୀଣ ଆକାଉଣ୍ଟ, ସୂଚନା ପ୍ରଯୁକ୍ତି ଓ ମାନବ ସମ୍ବଳ ପରିଚାଳନା ଆଦି କ୍ଷେତ୍ରରେ କାର୍ଯ୍ୟ କରିବାର ତାଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି।

ବିଆଇଏସ୍‌ର ବିଭିନ୍ନ ୱାର୍କିଂ ଗ୍ରୁପ୍ ଓ ଅନେକ ଆଭ୍ୟନ୍ତରୀଣ ଓ ବାହ୍ୟ କମିଟିରେ ସେ ରିଜର୍ଭ ବ୍ୟାଙ୍କର ପ୍ରତିନିଧିତ୍ବ କରିଛନ୍ତି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଶ୍ରୀମତୀ କର ଯୋଗାଯୋଗ ବିଭାଗ, ମାନବ ସମ୍ବଳ ପରିଚାଳନା ବିଭାଗ, ସୂଚନା ଅଧିକାର ବିଭାଗ (ପ୍ରଥମ ଆପେଲିଟ କର୍ତ୍ତୃପକ୍ଷ) ଦାୟିତ୍ବରେ ରହିବେ। ଶ୍ରୀମତୀ କର ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଏବଂ ଟ୍ରେଜେରି ଓ ଫୋରେକ୍ସ ପରିଚାଳନାରେ ଡିପ୍ଲୋମା କରିଛନ୍ତି। ସେ ଆଇଆଇବିଏଫ୍‌ର ଜଣେ ସାର୍ଟିଫାଏଡ୍‌ ଆସୋସିଏଟ୍‌। ଶ୍ରୀମତୀ କରଙ୍କ ‌ସମେତ ଅର୍ଣ୍ଣବ କୁମାର ଚୌଧୁରୀଙ୍କୁ ମଧ୍ୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କ କାର୍ଯ୍ୟକାଳ ଜୁନ୍ ୩ରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର