୫୦ ପ୍ରତିଶତ ନିର୍ମାଣ ଶ୍ରମିକଙ୍କୁ ଲକ୍‌ଡାଉନ୍ ସହାୟତା ମିଳିନି

ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ପାଇଁ ଲକ୍‌ଡାଉନ୍‌ରେ ଜୀବିକା ହରାଇଥିବା ରାଜ୍ୟର ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର କରିଥିବା ଘୋଷଣାର ଦୀର୍ଘ ୪୧ ଦିନ ବିତିଯାଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଏଯାଏଁ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଏଯାଏଁ ସେମାନଙ୍କ ସହାୟତା ଅର୍ଥ ମିଳିପାରିନାହିଁ ।

ଆଉ ୧୩ ଦିନ ପରେ ଲକ୍‌ଡାଉନ୍ ୩ ଶେଷ ହେବ । ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିିରେ କରୋନା ସଂକ୍ରମଣର ପ୍ରଭାବକୁ ଦୃଷ୍ଟିରେ ରଖି ଲାଲ, ନାରଙ୍ଗୀ ଓ ସବୁଜ ବିଭାଗରେ ଜିଲ୍ଲାକୁ ବିଭକ୍ତ କରାଯାଇଛି । ନାରଙ୍ଗୀ ଓ ସବୁଜରେ ଅନେକ କଟକଣା କୋହଳ କରାଯିବା ସହ ସରକାରୀ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି । ସେହିଭଳି ଲାଲ ଇଲାକାରେ କେବଳ ବ୍ୟକ୍ତିଗତ ଘରୋଇ ନିର୍ମାଣରେ ନିର୍ମାଣ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ରେ ଘରେ ଗତ ୪୫ ଦିନ ଧରି ଘରେ ବସି ରହିଥିବା ଶ୍ରମିକ କାମ ଧନ୍ଦା ପାଇଁ ବାହାରକୁ ବାହାରିଛନ୍ତି । କିନ୍ତୁ ମାର୍ଚ୍ଚ ୨୭ ତାରିଖରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଏକକାଳୀନ ୧୫୦୦ଟଙ୍କା ଲକ୍‌ଡାଉନ୍ ସହାୟତା ଦେବା ପାଇଁ ଘୋଷଣା କରିଥିଲେ । ଏହି ଟଙ୍କା ଅପ୍ରିଲ୍ ୧୪ ସୁଦ୍ଧା ସମସ୍ତ ବ୍ୟାଙ୍କ ଖାତାକୁ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଓଡ଼ିଶାର ରାଜଧାନୀ ଜିଲ୍ଲା ଖୋର୍ଦ୍ଧାରେ ଏଯାଏଁ ଅର୍ଦ୍ଧାଧିକ ଶ୍ରମିକଙ୍କ ଖାତାକୁ ଏହି ଟଙ୍କା ଯାଇପାରିନାହିଁ ।

ଏନେଇ ଖୋର୍ଦ୍ଧାର ପୂର୍ତ୍ତ ବିଭାଗ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କ ସୂଚନାନୁସାରେ, ଯେଉଁମାନେ ନୂତନ ଭାବେ ପଂଜୀକୃତ ହୋଇଥିଲେ ସେମାନଙ୍କ ଖାତାକୁ ଟଙ୍କା ଆସିଛି କିନ୍ତୁ ଯେଉଁମାନେ ପୁରୁଣା ଶ୍ରମିକ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଟଙ୍କା ପାଇନାହାନ୍ତି ।
ଓଡ଼ିଶା ବିଲଡିଂ ଆଣ୍ଡ୍ ଅଦର କନ୍‌ଷ୍ଟ୍ର୍ରକ୍‌ସନ ୱାର୍କର୍ସ ୱେଲ୍‌ଫେୟାର୍ ବୋର୍ଡର ୨୦୧୪ ତଥାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨ଲକ୍ଷ ୧୫ହଜର ୫୯୨ଜଣ ନିର୍ମାଣ ଶ୍ରମିକ ଥିଲେ । ଏହା ମଧ୍ୟରୁ ୨୫,୦୬୪ଜଣ ଅନୁସୂଚିତ ଜାତି ବର୍ଗର ନିର୍ମାଣ ଶ୍ରମିକ, ୪,୯୮୫ ଅନୁସୂଚିତ ଜନଜାତି ବର୍ଗର ନିର୍ମାଣ ଶ୍ରମିକ, ୧ଲକ୍ଷ ୩୫ହଜାର ୨୪୪ ପୁରୁଷ ନିର୍ମାଣ ଶ୍ରମିକ ଓ ୮୦,୩୪୦ ମହିଳା ନିର୍ମାଣ ଶ୍ରମିକ ପଂଜୀକୃତ ହୋଇଥିଲେ ।

ନିୟମାନୁସାରେ, ୧୦ ଲକ୍ଷଟଙ୍କାରୁ ଅଧିକ ନିର୍ମାଣ କାର୍ଯ୍ୟ ନିମନ୍ତେ ୧ ପ୍ରତିଶତ ସେସ୍ ଓଡ଼ିଶା ବିଲଡିଂ ଆଣ୍ଡ୍ ଅଦର କନ୍‌ଷ୍ଟ୍ର୍ରକ୍‌ସନ ୱାର୍କର୍ସ ୱେଲ୍‌ଫେୟାର୍ ବୋର୍ଡରେ ଜମା କରାଯିବ । ଏହି ଅର୍ଥ ନିର୍ମାଣ ଶ୍ରମିକଙ୍କ ମଙ୍ଗଳ ପାଇଁ ବିନିଯୋଗ ହେବ । କିନ୍ତୁ ରାଜ୍ୟରେ ପ୍ରାୟ ୮ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗ ନହୋଇ ପଡ଼ିରହିଥିଲା । ତେବେ ଲକ୍‌ଡାଉନ୍ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଲେବର କାର୍ଡଧାରୀଙ୍କୁ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ମୋଟ ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଜିଲ୍ଲାର ୧ଲକ୍ଷ ୫୯ହଜାର ୫୫୭ ପଂଜୀକୃତ ନିର୍ମାଣ ଶ୍ରମିକ ଲେବର କାର୍ଡ ପାଇଛନ୍ତି । ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୬,୭୨୪ଜଣ ଅର୍ଥାତ୍ ୪୮.୦୮ ପ୍ରତିଶତ ଶ୍ରମିକଙ୍କୁ ଏହି ସହାୟତା ମିଳିଛି ।

ଏନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଖୋର୍ଦ୍ଧାର ଗ୍ରାମାଂଚରେ ଅଳ୍ପ କିଛି ଶହ ଶ୍ରମିକଙ୍କୁ ଛାଡ଼ି ବଳକା ସମସ୍ତ ଲେବରକାର୍ଡ ଧାରୀ ଶ୍ରମିକଙ୍କୁ ସହାୟତା ବଂଟନ କରାଯାଇଛି । କେବଳ ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ପ୍ରାୟ ୫୮ ହଜାର ଶ୍ରମିକଙ୍କ ଏହା ପ୍ରଦାନ କରାଯାଇନାହିଁ । ଗତ ୩-୪ଦିନର ଏ ସଂକ୍ରାନ୍ତୀୟ ରିପୋର୍ଟ ତାଙ୍କୁ ହସ୍ତଗତ ହୋଇନାହିଁ । ରିପୋର୍ଟ ଆସିବା ପରେ ସଦ୍ୟ ତଥ୍ୟ ଜଣାପଡ଼ିବ ।

ସମ୍ବନ୍ଧିତ ଖବର