ଅଂଶୁଘାତ ମୁକାବିଲା ପାଇଁ ସିଏମ୍‌ସି ବୈଠକ; ସହରରେ ବସିବ ଦୁଇ ଶହ ପାଣି ଟାଙ୍କି

କଟକ: କଟକ ମହାନଗର ନିଗମ ପକ୍ଷରୁ ଅଂଶୁଘାତ ମୁକାବିଲାକୁ ନେଇ ବିଜୁ ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ଜନଗହଳି ସ୍ଥାନରେ ୨ଶହ ପାଣି ଟାଙ୍କି ବସିବାକୁ ଏଥିରେ ଯୋଜନା କରାଯାଇଛି। ଏହାସହ ସହରର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ସହିତ ସିଏମସି ପକ୍ଷରୁ ଅଂଶୁଘାତ ପାଇଁ କଣ୍ଟ୍ରୋଲରୁମ ଖୋଲାଯାଇଥିବାର ଏଥିରେ ସୂଚନା ଦିଆଯାଇଛି। ଖରା ବଢି ଚାଲିଥିବା ବେଳେ ଏବେ ସହରର ବିଭିନ୍ନ ଜନଗହଳି ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଶହ ସିନ୍‌ଟେକ୍ସ ଟାଙ୍କି ବସିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ସେଗୁଡିକରେ ସକାଳେ ଓ ସଂଧ୍ୟାରେ ପାଣି ଭର୍ତ୍ତି କରିବା ପାଇଁ ୨୬ଟି ଟ୍ୟାଙ୍କର ନିୟୋଜନ କରାଯିବ। ଅଂଶୁଘାତ ମୁକାବିଲା ପାଇଁ ବିକାଶ ଭବନସ୍ଥିତ କଣ୍ଟ୍ରୋଲରୁମକୁ (ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୮, ୦୬୭୧-୨୩୧୦୪୭୨ ଓ ୨୩୧୧୨୪୪) ଖୋଲା ଯାଇଛି। ଚଳିତ ବର୍ଷ ନିଗମର କଣ୍ଟ୍ରୋଲ ରୁମରେ ସିଏମସି କର୍ମଚାରୀଙ୍କ ସହିତ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ବସିବେ। ସହର ମଧ୍ୟରେ ଅଚଳ ଥିବା ନଳକୂପର ମରାମତି ପାଇଁ ସହରବାସୀ ଏଥିରେ ଅଭିଯୋଗ କରିବାକୁ କୁହାଯାଇଛି। ଅଭିଯୋଗ ପରେ ଆବଶ୍ୟକତାକୁ ଦେଖି ସେଗୁଡିକର ମରାମତି କରିବାକୁ ବୈଠକରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସହରର ୧୨ଟି ପିଏଚ୍‌ସି ଓ ୨ଟି ସିଏଚ୍‌ସିରେ ଅଂଶୁଘାତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ସହିତ ଯଥେଷ୍ଟ ପରିମାଣର ଓଆରଏସ୍‌ ମହଜୁଦ୍‌ ଥିବାର ସିଏମ୍‌ସି ପକ୍ଷରୁ କୁହାଯାଇଛି। ମହିଳା ଆରୋଗ୍ୟ ସମିତିର ସଦସ୍ୟଙ୍କୁ ଅଂଶୁଘାତକୁ ସଚେତନ କରାଯିବା ସହିତ ସେମାନଙ୍କୁ ଓଆରଏସ୍‌ ପ୍ୟାକେଟ୍ ଦିଆଯାଇଛି। ସହରର ବିଭିନ୍ନ ସାହି ବସ୍ତିର ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଅଂଶୁଘାତ ଉପରେ ସଚେତନ କରାଯିବା ସହିତ ସେମାନଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ନିୟୋଜିତ କରାଯିବ ବୋଲି ଏଥିରେ ଆଲୋଚନା ହୋଇଛି। ସହରର ଅଙ୍ଗନବାଡି ଗୁଡିକରୁ ଦିନ ୧୧ଟା ସୁଦ୍ଧା ପିଲାଙ୍କୁ ସେମାନଙ୍କ ଘରକୁ ପଠାଇ ଦେବାକୁ କୁହାଯାଇଛି। ସିଏମସିର ଡିଅର ପାର୍କରେ ଥିବା ହରିଣଙ୍କୁ ଅଧିକ ପରିମାଣର ଘାସ, ଶାଗ ଓ ତରଭୁଜ ଖାଇବାକୁ ଦେବା ସହିତ ସେମାନଙ୍କ ଉପରେ ଦିନକୁ ୨ରୁ୩ ଥର ପାଣି ସ୍ପ୍ରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସହରର ସମସ୍ତ ପାର୍କ ଗୁଡିକୁ ଆଗାମୀ ଦିନରେ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ନି‌ଷ୍ପତ୍ତି ନିଆଯିବ ବେ‌ାଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ସିଏମସି ଯୁଗ୍ମ କମିସନର ମନୋରଂଜନ ମହାପାତ୍ର ଓ ସୁମିତ୍ରା ସରକାର, ସଚିବ ଲତାଶ୍ରୀ ବାଗ, ଡେପୁଟି କମସିନର ଅବିନାଶ ରାଉତ, ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡ଼ାଇ, ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ବସ୍ତି ଉନ୍ନୟନ ଅଧିକାରୀ ଅମ୍ରିତ ସରକାର, ସିଏମସି ଇଂଜିନିୟର ବିଭାଗର ଇଂଜିନିୟର ଭାଗ୍ୟଧର ସାହୁ ଓ ଡି.ଆ‌ର. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର