ଅବହେଳିତ ପ୍ରାଚୀନ ଶକ୍ତିପୀଠ ମା’ଗଡ଼ଚଣ୍ଡୀ ମନ୍ଦିର: ଦୈନିକ ନୀତି, ବିଦ୍ୟୁତ୍ ବିଲ୍ ପାଇଁ ଅର୍ଥ ଅଭାବ
ଶ୍ରଦ୍ଧାଳୁଙ୍କ ଉପରେ ନିର୍ଭରଶୀଳ ପୂଜକ, ରୋଷେୟା, ସହାୟକ, ୧୯୭୧ରୁ ନେଲେଣି ଦେବୋତ୍ତର କମିସନର୍, ସହାୟତା ଶୂନ୍
କଟକ: କଟକର ଅନ୍ୟତମ ଐତିହାସିକ ମନ୍ଦିର, ପ୍ରାଚୀନ ଶକ୍ତିପୀଠ ମା’ ଗଡ଼ଚଣ୍ଡୀ ମନ୍ଦିର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ନିଜସ୍ବ ଆୟ କହିଲେ କିଛି ନାହିଁ। ବିବାହ, ବ୍ରତ, ନିର୍ବନ୍ଧ, ଜନ୍ମଦିନ ଭଳି ଉତ୍ସବରୁ ଯାହା ଆଦାୟ ହୁଏ, ସେଥିରେ ମନ୍ଦିର ଚାଲେ। ଦୀପ ବିକ୍ରି ଅର୍ଥରୁ ପୂଜକ, ରୋଷେୟା, ଟହଲିଆ ଦରମା ନିଅନ୍ତି। ମନ୍ଦିର ମୁଖ୍ୟତଃ ଶ୍ରଦ୍ଧାଳୁଙ୍କ ଉପରେ ନିର୍ଭର କରି ଚାଲେ। ଯେଉଁ ଦିନ ଶ୍ରଦ୍ଧାଳୁ ନ ଆସିଲେ, ସେଦିନ ଆୟ ଶୂନ୍। କିନ୍ତୁ ଦୈନିକ ନୀତି ପାଇଁ ୬ଶହ ଟଙ୍କାରୁ ଅଧିକ, ମାସିକ ବିଦ୍ୟୁତ୍ ବିଲ୍ ୮ହଜାରରୁ ଅଧିକ ଟଙ୍କା, ଦଶହରା, ବାସନ୍ତୀ ଦୁର୍ଗାପୂଜା ଆଦି ସ୍ବତନ୍ତ୍ର ଉତ୍ସବ ବେଳେ ଦୈନିକ ନୀତି ପାଇଁ ୫ହଜାରରୁ ଅଧିକ ଟଙ୍କା ଖର୍ଚ ହୁଏ। ଅନେକ ସମୟରେ ଦୈନିକ ନୀତି ପାଇଁ ବି ଅର୍ଥାଭାବ ଦେଖା ଦେଉଛି। ବାରବାଟୀ କିଲ୍ଲାସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ପୀଠର ଏଭଳି ସ୍ଥିତି ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି। ରାଜ୍ୟ ସରକାର ପ୍ରମୁଖ ଧର୍ମପୀଠର ଉନ୍ନତୀକରଣ ଓ ବିକାଶ କରୁଥିବା ବେଳେ ମା’ଗଡ଼ଚଣ୍ଡୀଙ୍କ ପୀଠ କେବେ ନଜରକୁ ଆସିବ ତାହାକୁ ନେଇ ବି କଟକ ସହରବାସୀ ପ୍ରଶ୍ନ କରୁଛନ୍ତି। ବାରବାଟୀ ଦୁର୍ଗ ପରିସରରେ ଥିବା ମା’ ଗଡ଼ଚଣ୍ଡୀ ମନ୍ଦିର ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ରାଜାଙ୍କ ଅମଳରୁ ରହି ଆସିଛି। ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ମା’ ଗଡ଼ଚଣ୍ଡୀଙ୍କ ପୀଠ ଅବହେଳିତ ହୋଇ ରହିଲା। ଏପରିକି ପୂଜାର୍ଚନା ବି ବନ୍ଦ ରହିଲା। ଏବେ ଯେଉଁ ମନ୍ଦିରଟି ଅଛି, ତାହା ମାଟିରେ ସଂପୂର୍ଣ୍ଣ ପୋତି ହୋଇ ରହିଥିଲା। କେବଳ ମନ୍ଦିର ଚୂଡ଼ାର ଲୁହା ରଡ୍ଟି ଦେଖାଯାଉଥିଲା। ଏହାର ଚାରିପଟ ବଣବୁଦା ଥିଲା। ପିଡବ୍ଲୁଡି ଅଫିସ୍ ଏଠାକୁ ଆସିବା ପରେ ମନ୍ଦିର ଚୂଡ଼ାର ରଡ୍କୁ ଦେଖି ସଂପୃକ୍ତ ଅଫିସ୍ ପିଅନ ଭାବଗ୍ରାହୀ ଲେଙ୍କା ଏହାକୁ ଖୋଳିଲେ। ମନ୍ଦିର ଚୂଡ଼ା ଜଣାପଡ଼ିବା ପରେ ସଂପୂର୍ଣ୍ଣ ମନ୍ଦିର ଉଦ୍ଧାର ହୋଇଥିଲା। ଶ୍ରୀ ଲେଙ୍କା ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ କଲେ। ପରେ ରାମ ଦାସ ନାମକ ଜଣେ ବାବାଜି ପୂଜକ ଭାବେ ରହିଲେ। କିଛି ଦିନ ପରେ ତାଙ୍କ ଦେହାନ୍ତ ହେବାରୁ ଲକ୍ଷ୍ମୀଧର ଦାସ ମା’ଙ୍କ ପୂଜା ନୀତି କଲେ। ସେତେବେଳେ କେହି ଶ୍ରଦ୍ଧାଳୁ ଆସୁ ନଥିଲେ। ଲକ୍ଷ୍ମୀଧର ଦାସଙ୍କ ପରେ ବର୍ତ୍ତମାନର ପୂଜକ ପଣ୍ଡିତ ପରୀକ୍ଷିତ ପଣ୍ଡା ପୂଜକ ଭାବେ ରହିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ରହିବା ପରଠୁ ୧୯୭୧ରୁ ମା’ଙ୍କର ନୀତି ଠିକ୍ରେ ଚାଲିଲା। ସେ ସମୟରେ ଅଭାବ ଥିଲା, ଏବେ ବି ତାହା ଦୂର ହୋଇ ନାହିଁ। ମନ୍ଦିରର କିଛି ନିର୍ଦ୍ଦିଷ୍ଟ ଆୟ ନାହିଁ। ୧୯୭୧ରୁ ମନ୍ଦିର ରାଜ୍ୟ ଦେବୋତ୍ତର କମିସନ୍ଙ୍କ ଅଧୀନକୁ ଯାଇଥିଲେ ବି ସହାୟତା ଶୂନ୍ୟ। ଦୈନିକ ନୀତି ପାଇଁ ୬ଶହରୁ ଅଧିକ ଟଙ୍କା ଖର୍ଚ। ଦଶହରା, ବାସନ୍ତୀ ଦୁର୍ଗାପୂଜା, କାଳୀପୂଜା, ପଣାସଂକ୍ରାନ୍ତୀ, ରଥଯାତ୍ରା ସମୟରେ ମା’ଙ୍କ ସ୍ବତନ୍ତ୍ରୀ ନୀତି ଓ ବେଶ ହୁଏ। ଏଥିରେ ଦୈନିକ ଖର୍ଚ ୫ହଜାର ଟଙ୍କାରୁ ଅଧିକ ଲାଗେ। ମାସିକ ବିଦ୍ୟୁତ ବିଲ୍ ୮ହଜାର ଟଙ୍କାରୁ ଅଧିକ ଆସେ। କରୋନା ଦୁଇବର୍ଷ କାଳ ବହୁ ସଂକଟରେ ନୀତି ହୋଇଛି। ମନ୍ଦିର କାର୍ଯ୍ୟାଳୟ ଭାଙ୍ଗିଗଲାଣି। ଆଉ ଏକ ରୋଷଘର ଆବଶ୍ୟକ। ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମଶାଳା ଜରୁରୀ ହୋଇପଡ଼ିଛି। କିନ୍ତୁ ଅର୍ଥାଭାବ ପାଇଁ କମିଟି ପକ୍ଷରୁ ଏସବୁ କରାଯାଇ ପାରୁନାହିଁ।
ଏ ସଂକ୍ରାନ୍ତରେ ମନ୍ଦିର ପୂଜକ ପଣ୍ଡିତ ପରୀକ୍ଷିତ ପଣ୍ଡା (୮୫) କହିଛନ୍ତି ଯେ, ଇନ୍ଦିରା ଗାନ୍ଧିଙ୍କୁ ଦେଖିବା ପାଇଁ ସେ ସତ୍ୟବ୍ରତ ଷ୍ଟାଡିୟମ୍କୁ ଆସିଥିଲେ। ପୁଲିସ୍ ବାଟ ନ ଛାଡ଼ିବାରୁ ଭୁଲରେ ଗଡ଼ଚଣ୍ଡୀଙ୍କ ପୀଠରେ ପହଞ୍ଚି ଗଲେ। ସେଠାରେ ତାଙ୍କୁ ମନ୍ଦିରରେ ରହିବାକୁ କିଛି ଲୋକ କହିଲେ। ମାତ୍ର ୪ଦିନ ରହିବା କଥା। କିନ୍ତୁ ସେ ୫୫/୬୦ବର୍ଷ ଧରି ମା’ଙ୍କ ପୂଜାର୍ଚନା କରୁଛନ୍ତି। କିନ୍ତୁ ମା’ଙ୍କର ପୂଜା ପାଇଁ ଯାହା ଆବଶ୍ୟକ ତାହା ମା’ ନିଜେ ଯୋଗାଡ଼ କରୁଛନ୍ତି। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନାହିଁ ବୋଲି ସେ କହିଛନ୍ତି।