ଅପର୍ଣ୍ଣାନଗରରେ ଜାଇକା ଯନ୍ତ୍ରଣା: ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ, ବର୍ଷେ ହେଲା ଯାଇ ପାରୁନି ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି

ମହାନଦୀବିହାର: ଗତ ପ୍ରାୟ ଏକ ବର୍ଷ ହେବ ମହାନଗର ନିଗମର ୱାର୍ଡ ନମ୍ବର ୪୩ ଅନ୍ତର୍ଗତ ଅପର୍ଣ୍ଣାନଗର ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ରହିଛି। ଜାଇକାର ବେପରୱା କାମ ପାଇଁ ଏହି ଅଞ୍ଚଳରେ ରହୁଥିବ ହଜ଼ାର ହଜ଼ାର ଲୋକ ଏବେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ଅପର୍ଣ୍ଣାନଗରର ମୁଖ୍ୟ ରାସ୍ତା ଉପରେ ଏହି ଅଞ୍ଚଳରେ ଥିବା ଶାନ୍ତି ବିହାର, କୈବଲ୍ୟ ବିହାର, ଡିଭାଇନ ନଗର, ଆନନ୍ଦ ବିହାର ଲୋକେ ନିର୍ଭର କରୁଥିବା ବେଳେ ଏବେ ଜାଇକା ଏହି ମୁଖ୍ୟ ରାସ୍ତାକୁ ଖୋଳି ନଷ୍ଟ କରି ଦେଇଥିବା ବେଳେ ବିଭିନ୍ନ ଜାଗାରେ ଅଣ୍ଡର ଗ୍ରାଉଣ୍ଡ ପାଇପ ଗୁଡିକୁ ଫଟାଇ ଦେବା ଫଳରେ ରାସ୍ତାରେ ପାଣି ଜମି ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଅପର୍ଣ୍ଣାନଗର ମୁଖ୍ୟ ରାସ୍ତାଟିକୁ ବନ୍ଦ କରିଦେବାରୁ ଆଖପାଖ ଅଞ୍ଚଳକୁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ଆସି ପାରୁନାହିଁ। ଶାନ୍ତି ବିହାର ଛକ ଠାରେ ଜାଇକା ପକ୍ଷରୁ ରାସ୍ତା ଖୋଳା ହେବା ସମୟରେ ଶାନ୍ତି ବିହାରରୁ ଆସିଥିବା ଏକ ପୁରୁଣା ପାଣି ପାଇପକୁ ଖୋଳି ଦିଆ ଯିବାରୁ ଏହାକୁ ମରାମତି କରିବା ଜାଇକା କର୍ତ୍ତୃପକ୍ଷଙ୍କ ପାଇଁ ସମ୍ଭବ ହେଉ ନଥିବାରୁ ପରିସ୍ଥିତି ଜଟିଳ ହୋଇଛି।

Sambad

ଜାଇକା ପକ୍ଷରୁ ଏହି ମୁଖ୍ୟ ରାସ୍ତାରେ ପ୍ରାୟ ୧୦ ରୁ ଅଧିକ ଚ୍ୟାମ୍ବର ତିଆରି ହେଉଥିବା ବେଳେ ଏହି ଚ୍ୟାମ୍ବରକୁ ସଂଲଗ୍ନ ଥିବା ଦେବେନ୍ଦ୍ର ନଗର, କୈବଲ୍ୟ ବିହାର, ଡି ଏଭି ରୋଡ଼, ଜଗନ୍ନାଥ ବିହାର, ମହାନ୍ତି ଲେନ, ରଥ ଲେନ, ଶାନ୍ତି ବିହାର ଗଳିର ପୁରୁଣା ପାଣି ପାଇପ ଗୁଡିକୁ କାଟି ଦିଆଯିବା ସହିତ ଏହାକୁ ମରାମତି କରାଯାଉନାହିଁ। ଏହି ମୁଖ୍ୟ ରାସ୍ତା ଉପରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ଅନେକ ବ୍ୟବସାୟୀ ଏବେ ହାତ ବାନ୍ଧି ବସିଛନ୍ତି। ଅପର୍ଣ୍ଣାନଗରକୁ ମହାନଦୀ ବିହାର ପଟୁ, ନୀଳାଦ୍ରି ବିହାର ପଟୁ ରାସ୍ତା ଖୋଳା ଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ଏହି ମୁଖ୍ୟ ରାସ୍ତା କାର୍ଯ୍ୟ ସାରିବାକୁ ବିଶ୍ୱନାଥ ସାହୁ, ବ୍ରଜ ବାରିକ, ସତ୍ୟମ ସାହୁ, ମିଟୁ ସାହୁ, କାଳିଆ ମଲ୍ଲିକ, ସରୋଜ ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର