ବାକି ଟଙ୍କା ପାଇଁ ଯୁବକଙ୍କୁ ମୁଣ୍ଡ ଜାମିନ୍, ୫ ଅପହରଣକାରୀ ଗିରଫ, ୨ କାର୍‌ ସହ ମାରଣାସ୍ତ୍ର ଜବତ

ଜଳେଶ୍ୱର: ଜଣେ ଯୁବକଙ୍କୁ ମୁଣ୍ଡ ଜାମିନ୍ ରଖି ଧରାପଡ଼ିଛନ୍ତି ୫ ଅପହରଣକାରୀ। ଭୋଗରାଇ ବ୍ଲକ୍‌ କମର୍ଦ୍ଦାର ଲିଲୁ ବେହେରା (୩୦) ଓ ସିଂଲା ଓ ରୂପ୍‌ସା ଅଞ୍ଚଳର କିଛି ଯୁବକଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ବିବାଦ ଥିଲା। ଯୁବକଙ୍କଠାରୁ ଲିଲୁ ୨୦ ହଜାର ଟଙ୍କା ଧାର ନେଇଥିବା​ ବେଳେ ଠିକଣା ସମୟରେ ଦେବାକୁ ସକ୍ଷମ ହୋଇ ନଥିଲେ। ଫଳରେ ସେମାନେ ତାଙ୍କୁ ଅପହରଣ କରି ଘର ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଯୋଜନା କରିଥିଲେ। ଗତକାଲି ଅପରାହ୍ନରେ ଲିଲୁ ଜଳେଶ୍ୱରରୁ ଘରକୁ ବାଇକ୍‌ରେ ଫେରୁଥିବା ବେଳେ ନୂଆବଜାର ଛକରେ ଜଣେ ଯୁବକ ଲିଫ୍‌ଟ ମାଗିଥିଲେ। ଲିଲୁ ଉକ୍ତ ଯୁବକଙ୍କୁ ଲିଫ୍‌ଟ ଦେଇଥିଲେ। ସେ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ଓଭର୍‌ବ୍ରିଜ୍‌ ନିକଟରେ ଓହ୍ଲାଇବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଉକ୍ତ ଯୁବକଙ୍କ କିଛି ସହଯୋଗୀ ଲିଲୁଙ୍କୁ ଏକ କାର୍‌ରେ ଅପହରଣ କରି ନେଇଥିବା ବେଳେ ଜଣେ ସହଯୋଗୀ ଲିଲୁଙ୍କ ବାଇକ୍‌କୁ ନେଇ ଯାଇଥିଲେ। ପରେ ଲିଲୁଙ୍କ ମୋବାଇଲ୍‌ରୁ ତାଙ୍କ ମାଆ ସୁପ୍ରଭାଙ୍କୁ ଫୋନ୍‌ କରି ପୁଅର ଜୀବନ ବଦଳରେ ଲକ୍ଷେ ଟଙ୍କା ମାଗିଥିଲେ।

ସୁପ୍ରଭା ଲକ୍ଷେ ଟଙ୍କା ଦେଇ ପାରିବେନି ବୋଲି କହିବାରୁ ୮୦ ହଜାର ଟଙ୍କାରେ କଥା ଛିଡ଼ିଥିଲା। ସୁପ୍ରଭା ଜଳେଶ୍ୱର ପୁଲିସର ସହାୟତା ଲୋଡ଼ିବା ପରେ ଅପହରଣକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଜଳେଶ୍ୱର ଥାନା ଏସ୍‌ଆଇ ଚିରଞ୍ଜୀବ ରାଉତଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ସଂଧ୍ୟା ବେଳେ ଗାନ୍ଧିଛକ ନିକଟରେ ସୁପ୍ରଭା ଅପହରଣକାରୀଙ୍କୁ ଟଙ୍କା ବ୍ୟାଗ୍‌ ଦେଉଥିବା ବେଳେ ଯୋଜନା ମୁତାବକ ପୁଲିସ ଟିମ୍‌ ସେମାନଙ୍କୁ ମାଡ଼ିବସିଥିଲା। ଏହି ସମୟରେ ୨ ଜଣ ଅପହରଣକାରୀ ଧରାପଡ଼ିଥିବା ବେଳେ ୩ ଜଣ ଖସିଯିବାକୁ ସଫଳ ହୋଇଥିଲେ। ତେବେ ରାତିରେ ମୋବାଇଲ୍‌ ଟ୍ରାକିଂ ଜରିଆରେ ରାସଗୋବିନ୍ଦପୁର ଥାନା ଇଲାକାରୁ ଖସିପଳାଇଥିବା ୩ ଜଣଙ୍କୁ ମଧ୍ୟ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୨ଟି କାର୍‌, ୫ଟି ମୋବାଇଲ୍‌, ନଗଦ ୧୬ ହଜାର ଟଙ୍କା ଓ ବିଭିନ୍ନ ମାରଣାସ୍ତ୍ର ସହ ଲିଲୁଙ୍କ ବାଇକ୍‌ ଜବତ ହୋଇଛି। ଏ ନେଇ ଜଳେଶ୍ୱର ଥାନାରେ ୩୨୫/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର