ମୋ’ ଜଙ୍ଗଲ ଜମି କମିଟି ଗଠନରୁ ବଞ୍ଚିତ ଅଣରାଜସ୍ବ ଗ୍ରାମ: ବନବାସୀ ଅସନ୍ତୁଷ୍ଟ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ପାରମ୍ପରିକ ବନବାସୀମାନେ ରହୁଥିବା ଗ୍ରାମ ଗୁଡ଼ିକ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ମୋ ଜଙ୍ଗଲ ଜମି କମିଟି ଗଠନରେ ତାଲିକାଭୁକ୍ତ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସଂପୃକ୍ତ ଗ୍ରାମ ଗୁଡ଼ିକରେ କମିଟି ଗଠନ କରାଯିବା ପାଇଁ ସିନାପାଲି ବ୍ଲକ ମଙ୍ଗଳ ଅଧିକାରୀ ସୁନୀଲ ସାହୁଙ୍କ ଜରିଆରେ ନୂଆପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅଭିଯୋଗ ଅନୁସାରେ ସିନାପାଲି ବ୍ଲକ୍‌ର ବନବାସୀମାନେ ଦୀର୍ଘ ବର୍ଷ ଧରି ପୁରୁଷାନୁକ୍ରମେ ଚାଷବାସ କରି ପରିବାର ପ୍ରତିପୋଷଣ କରିବା ସହ ଜଙ୍ଗଲରେ ବସତି ସ୍ଥାପନ କରିଛନ୍ତି। ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ବଳରେ ବ୍ୟକ୍ତିଗତ ପଟ୍ଟା ପାଇବା ସହ ଗୋଷ୍ଠୀଗତ ଅଧିକାର ଓ ଗୋଷ୍ଠୀ ସମ୍ବଳ ଅଧିକାର ପାଇଁ ଆବେଦନ ମଧ୍ୟ କରିଛନ୍ତି। ଏପରିକି ନିଜ ବାସସ୍ଥାନ କରିଥିବା ଗ୍ରାମ ନାମରେ ପଟ୍ଟା ମଧ୍ୟ ପାଇ ସାରିଛନ୍ତି। କିନ୍ତୁ ବର୍ତ୍ତମାନ ଗତ ୧୦ ତାରିଖଠାରୁ ୧୬ ତାରିଖ ମଧ୍ୟରେ ନୂତନ କମିଟି ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ଯେଉଁ ଗ୍ରାମଗୁଡ଼ିକ ପ୍ରକୃତରେ ଦୀର୍ଘ ବର୍ଷ ଧରି ପୁରୁଷାନୁକ୍ରମେ ଚାଷବାସ କରିବା ସହ ବସତି ସ୍ଥାପନ କରିଛନ୍ତି ସେହି ଗ୍ରାମ ଗୁଡ଼ିକ ନୂତନ କମିଟି ଗଠନରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଗୋଷ୍ଠୀଗତ ଅଧିକାର, ଗୋଷ୍ଠୀ ସମ୍ବଳ ଅଧିକାର, ରାଜସ୍ବ ଗ୍ରାମ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏପରିକି ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ତେଣୁ ଏହି ଗ୍ରାମ ଗୁଡ଼ିକରେ ସରକାରଙ୍କ ପକ୍ଷରୁ କମିଟି ଗଠନ ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ଘାଟମାଳ ପଞ୍ଚାୟତର ଗଡିଆଯୋର, ତିଲେଇପଲନା, ବଡ଼ମୁଲା, ସିଂହବାହଲି, ବେଲପାଟି, ଧଙ୍ଗରୀଟାଳ, ଗିଣ୍ଡୁଲ ପାଣି, ନୂଆଖଲିଆପଡ଼ା, ସେହିପରି ନଙ୍ଗଲବୋର୍ଡ ପଞ୍ଚାୟତର ଗୋଲାବେଡ଼ା, ଗୋଡାଲ ପଞ୍ଚାୟତର ଯୋଗିମଠ, ନୂଆମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା, ଖନ୍ଦାପଡ଼ା ସମେତ ଅନେକ ଗ୍ରାମ ଗୁଡିକରେ ନୂତନ କମିଟି ଗଠନ ପାଇଁ ସରକାରୀ ସ୍ତରରେ ତାଲିକାଭୁକ୍ତ ହୋଇ ନାହାନ୍ତି। ଫଳରେ ବନବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ଏହି ବନବାସୀମାନେ ସିନାପାଲି ବ୍ଲକ୍‌ ଅଫିସ୍‌କୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ବିରାଟ ଆନ୍ଦୋଳନ କରିବା ସହ ତହସିଲ ଓ ବ୍ଲକ୍‌ ଅଫିସ ଘେରାଉ କରିବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ଆବାହକ ମେଘନାଦ ଖର୍ସେଲ, ଜିଲ୍ଲା ପ୍ରମୁଖ ଖୁଟୁରାମ ସୁନାନୀ, ସିନାପାଲି ବ୍ଲକ୍‌ ସଂଯୋଜକ ଶୁଭ୍ରାଂଶୁ ନାଏକ, ସିନାପାଲି ବ୍ଲକ ସଭାପତି ହନୁରାମ ମାଝୀ, ବ୍ଲକ୍‌ ସମ୍ପାଦକ ଚୈତନ୍ୟ ମାଝୀ, ଲକ୍ଷ୍ମଣ ମାଝୀ, ରୁଦ୍ର ସିଂ ମାଝୀ, ଅମର ସିଂ ମାଝୀ, ବୁଧୁରାମ ମାଝୀ, ସହଦେବ ମାଝୀ, କେଶରୀ ମାଝି ସମେତ ଅନେକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର