ଚନ୍ଦାହାଣ୍ଡି: ଅବହେଳିତ ତଥା ଅସହାୟ ଭିନ୍ନକ୍ଷମ ମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ତେବେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁଁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ସରକାରୀ ଅର୍ଥରେ ଚିହ୍ନଟ ଶିବିର ଓ ପରିଚୟପତ୍ର ତଥା ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ପ୍ରଚାର କରାଯାଉଛି। ତଥାପି ଫଳପ୍ରଦ ହେଉନାହିଁ। ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମର ବୈଷ୍ଣବ ଡଙ୍ଗରୀଙ୍କ ଦିବ୍ୟାଙ୍ଗ ପୁଅ ମନୋଜ। ବୟସ ପ୍ରାୟ ୧୮ ବର୍ଷ। ସେ ଜନ୍ମରୁ ବିକଳାଙ୍ଗ ହେବା ସହ ମାନସିକ ବିକାରଗ୍ରସ୍ତ। ଯାହାଫଳରେ ସେ ନିଜେ କିଛି କାମ କରି ପାରିନଥାନ୍ତି। ତେଣୁ ବୃଦ୍ଧ ବାପା ମାଆ ପୁଅର ସେବା କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନାହିଁ। ତେବେ ଗତ ପଞ୍ଚାୟତ ନିର୍ବାଚନରେ ଦୁଇ ଯୁବନେତା ହର ପୂଜାରୀ ଏବଂ ତ୍ରିନାଥ ଦାଶଙ୍କୁ ପଞ୍ଚାୟତ ବାସୀ ସରପଞ୍ଚ ଓ ସମିତସଭ୍ୟ ଭାବେ ନିର୍ବାଚିତ କଲେ। କିନ୍ତୁ ଏହି ଦୁଇ ଯୁବନେତା ଏହି ଦିବ୍ୟାଙ୍ଗ ଯୁବକ ପାଇଁ ପେନସନ ଖଣ୍ଡେ କରାଇ ନପାରିବା ଦୁର୍ଭାଗ୍ୟ ଜନକ ବୋଲି ପାଟଖଲିଆ ପଞ୍ଚାୟତବାସୀ କହିଛନ୍ତି। ଏନେଇ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଂଜନ ସାହୁଙ୍କୁ ପଚାରିବାରୁ ସେ ଆଜି ଉକ୍ତ ବିଷୟ ସୋସିଆଲ ମିଡିଆରେ ଜାଣିବାକୁ ପାଇଛନ୍ତି ଏବଂ ତାଙ୍କ ପରିବାର ବର୍ଗଙ୍କ ଠାରୁ ଦିବ୍ୟାଙ୍ଗଙ୍କ ଆଧାର କାର୍ଡ ଆଣି ଖୁବ ଶୀଘ୍ର ତାଙ୍କୁ ପେନସନ ଏବଂ ଟ୍ରାଇ ସାଇକଲ ପ୍ରଦାନ କରାଯିବ ବୋଲି କହିଛନ୍ତି।