ସରଳ ବିଚାର: ସଂବିଧାନ ବଦଳିବାର ଭୟ!

ସରଳ କୁମାର ଦାସ

ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି ‘ଏଇ ଥର, ଚାରି ଶହ ପାର’ ପରିପ୍ରେକ୍ଷୀରେ ବିଶ୍ଳେଷକମାନେ ତହିଁର ନିହିତାର୍ଥ ବୁଝିବା ଲାଗି ଭିନ୍ନ ଭିନ୍ନ ପ୍ରକାରେ ତର୍ଜମା କରୁଛନ୍ତି। ଏହା ହୁଏତ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଆତ୍ମବିଶ୍ୱାସର ସଂକେତ ହୋଇପାରେ ବା ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଏହା ଏକ ଉଦ୍ୟମ ମଧ୍ୟ ହୋଇପାରେ ନା ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି! ଦର ବୃଦ୍ଧି ଓ ବେକାରି ଭଳି ଉତ୍କଟ ସମସ୍ୟାଗୁଡ଼ିକ କାରଣରୁ ଜନତାଙ୍କ ରୋଷ ବୃଦ୍ଧି ପାଇଥିବାରୁ ୪୦୦ରୁ ଅଧିକ ଆସନ ପାଇବା ସହଜସାଧ୍ୟ ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦ୍‌ଘୋଷଣା ପଛରେ ଆଉ କିଛି ଅଭିସନ୍ଧି ଥାଇପାରେ ବୋଲି ବିରୋଧୀ ପକ୍ଷଙ୍କ ଅନୁମାନ। ସେମାନେ କହନ୍ତି ଯେ ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ୪୦୦ରୁ ଅଧିକ ଆସନ ଅର୍ଥାତ୍‌ ସଂପୂର୍ଣ୍ଣ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ କରି ସଂବିଧାନକୁ ବଦଳାଇବା ଲାଗି ସରକାର ଉଦ୍ୟମ କରିବେ। ତେଣୁ ଏ ସଂଦର୍ଭରେ ଏକ ଆଲୋଚନା କରାଯିବା ଉଚିତ।
ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜେପି ସଂବିଧାନକୁ ବଦଳାଇ ସମାଜର ଦଳିତ, ପଛୁଆ ତଥା ବଞ୍ଚିତ ବର୍ଗର ଅଧିକାରକୁ ସେମାନଙ୍କ ଠାରୁ ଛଡ଼ାଇ ନେବାକୁ ଚାହୁଁଛି କି? କିନ୍ତୁ ଏଭଳି ବଖାଣଟିଏ ଏବେ ପ୍ରସାରିତ ହେବାରେ ଲାଗିଛି; ଯାହା ସେହି ବର୍ଗର ଲୋକଙ୍କ ମନରେ ଭୟ ଉଦ୍ରେକ କରିବା ପାଇଁ ଯଥେଷ୍ଟ। ଅବଶ୍ୟ ସଂବିଧାନ ପରିବର୍ତ୍ତନ ନେଇ ଆଲୋଚନା ରହିଛି ବୋଲି ବିତର୍କଟିଏ କିଛି ଦିନ ଧରି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କ ମତରେ (୨୦୨୩ରେ ତାଙ୍କ ଲିଖିତ ଏକ ଆଲେଖ୍ୟ ଅନୁସାରେ) ଲିଖିତ ସଂବିଧାନଗୁଡ଼ିକର ହାରାହାରି ବୟସ ୧୭ ବର୍ଷ ହୋଇଥାଏ। ସୁତରାଂ, ବର୍ତ୍ତମାନର ସଂବିଧାନ ସ୍ଥାନରେ ଏକ ନୂଆ ସଂବିଧାନର ଆବଶ୍ୟକତା ଉପୁଜିଲାଣି। ନିକଟରେ ଏକାଧିକ ବିଜେପି ନେତା ସଂବିଧାନ ବଦଳାଇବା ସପକ୍ଷରେ ଦୃଢ଼ ମତ ରଖିଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଠିକ୍ ପୂର୍ବରୁ କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ ହେଗ୍‌ଡ଼େ ମାର୍ଚ୍ଚ ମାସର ଆଦ୍ୟ ଭାଗରେ କହିଲେ ଯେ କଂଗ୍ରେସ ସଂବିଧାନକୁ ବଦଳାଇ ସେଥିରେ ଯେଉଁ ସବୁ ହିନ୍ଦୁତ୍ୱ ବିରୋଧୀ ପ୍ରାବଧାନ ପୂରାଇଛି, ସେ ସବୁକୁ ଦୂର କରି ସଂବିଧାନକୁ ବଦଳାଇବା ଲାଗି ବିଜେପିକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ଏହା ପରେ ପରେ ରାଜସ୍ଥାନର ନାଗୌର ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଜ୍ୟୋତି ମିର୍ଦ୍ଧା, ଉତ୍ତର ପ୍ରଦେଶସ୍ଥିତ ଫୈଜାବାଦର ସାଂସଦ ଲାଲୁ ସିଂହ ଓ ମିରଟ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଅରୁଣ ଗୋଭିଲ ମଧ୍ୟ ଅନୁରୂପ ମତ ପ୍ରଦାନ କରିଛନ୍ତି। ଯଦିଓ ବିଜେପି ପକ୍ଷରୁ କୁହାଯାଉଛି ଯେ ଏହା ସେମାନଙ୍କ ବ୍ୟକ୍ତିଗତ ମତ ଓ ଦଳ ସେଥିରେ ସହମତ ନୁହେଁ, ସେମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କରା ନ ଯିବା କାରଣରୁ ଦଳର ଆଭିମୁଖ୍ୟ ନେଇ ମଧ୍ୟ ସନ୍ଦେହ ଉଠୁଛି।
ବିଜେପିର ଦଳୀୟ ସଂବିଧାନର ଧାରା ୩ ଅନୁଯାୟୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ ପୁସ୍ତକଟିରେ ଉଲ୍ଲିଖିତ ଚିନ୍ତନଗୁଡ଼ିକ ହେଉଛି ଦଳର ମୌଳିକ ଦର୍ଶନ। ଏଥିରେ ଧର୍ମକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ବସ୍ତୁତଃ, ଏହା ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାଙ୍କ ଠାରୁ ଉଚ୍ଚତର, ଏପରିକି ଜନସାଧାରଣଙ୍କ ଠାରୁ ମଧ୍ୟ ଉପରେ। ଅନ୍ୟ ପକ୍ଷରେ ଭାରତୀୟ ସଂବିଧାନରେ ଜନସାଧାରଣଙ୍କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ପୁସ୍ତକଟି ଅନୁସାରେ ଧର୍ମ ବିରୋଧରେ କାର୍ଯ୍ୟ କରିବାର କୌଣସି ଅଧିକାର ଜନସାଧାରଣଙ୍କ ନିକଟରେ ନାହିଁ। ସଂବିଧାନରେ ଥିବା ଧର୍ମନିରପେକ୍ଷତା ଶବ୍ଦ ହିଁ ତ୍ରୁଟିପୂର୍ଣ୍ଣ ଅଟେ। ରାଷ୍ଟ୍ର ପାଇଁ ଧର୍ମ ହିଁ ପ୍ରୟୋଜନୀୟ ସର୍ତ୍ତ, ଯେଉଁ କାରଣରୁ କୌଣସି ବିଷୟ ଧର୍ମ ଆଧାରିତ ହୋଇ ନ ଥିଲେ, ତାହା ଗ୍ରହଣୀୟ ହୋଇ ନ ପାରେ। ତେଣୁ ଧର୍ମନିରପେକ୍ଷତାକୁ କୌଣସି ପ୍ରକାରେ ଗ୍ରହଣ କରାଯାଇ ନ ପାରେ। ଏହି ଠାରେ ଭାରତୀୟ ସଂବିଧାନର ମୂଳ ଢାଞ୍ଚା ସହ ‘ଏକାତ୍ମ ମାନବବାଦ’ ଦର୍ଶନର ସିଧାସଳଖ ସଂଘା‌ତ ପରିଲକ୍ଷିତ ହୁଏ। କେବଳ ସେତିକି ନୁହେଁ ପୁସ୍ତକରେ ଜାତୀୟ ଏକତାକୁ ଭାରତର ରାଷ୍ଟ୍ର ଧର୍ମ ରୂପେ ଗ୍ରହଣ କରାଯାଇଥିବାରୁ କୌଣସି ପ୍ରକାର ବିବିଧତାକୁ ସ୍ୱୀକାର କରିବା ସମସ୍ୟାଯୁକ୍ତ ହୋଇପାରେ। ତେଣୁ, ଭାରତର ସଂବିଧାନର ସଂରଚନାକୁ ସଂଘୀୟ (ଫେଡେରାଲ୍)ରୁ ଐକାନ୍ତିକ (ୟୁନିଟାରି) ବ୍ୟବସ୍ଥାକୁ ବଦଳାଇବାର ଆବଶ୍ୟକତା ରହିଛି, ଯେଉଁଥିରେ ରାଜ୍ୟଗୁଡ଼ିକର କୌଣସି ପ୍ରକାର ଆଇନ ପ୍ରଣୟନ କରିବାର କ୍ଷମତା ରହିବ ନାହିଁ। ‌େତଣୁ, ଅ‌େନକ ବିଶ୍ଳେଷଣକାରୀ କହନ୍ତି ଯେ ଏଭଳି ଦର୍ଶନଗତ ବିଭେଦ କାରଣରୁ ବିଜେପି ଦଳ ସୁଯୋଗ ପାଇ‌େଲ ସଂବିଧାନରେ ପରିବର୍ତ୍ତନ ଆଣିବାକୁ କୁଣ୍ଠିତ ହେବ ନାହିଁ।
ସଂବିଧାନକୁ ସଂଶୋଧନ କରିବା ଲାଗି ତିନି ପ୍ରକାର ପ୍ରାବଧାନ ରହିଛି। ପ୍ରଥମଟି ହେଲା‌, ସଂସଦର ଉଭୟ ସଦନରେ ସାଧାରଣ ସଂଖ୍ୟାଗରିଷ୍ଠତା (ଅର୍ଦ୍ଧାଧିକ ସଦସ୍ୟ) ଜରିଆରେ ସଂବିଧାନକୁ ସଂଶୋଧନ କରାଯାଇଥାଏ। ଦ୍ୱିତୀୟ ପ୍ରକାରରେ ସଂସଦରେ ଉପସ୍ଥିତ ଥାଇ ଭୋଟ୍ ଦେଉଥିବା ସଦସ୍ୟଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ସଦସ୍ୟ ସଂଶୋଧନ ସପକ୍ଷରେ ଭୋଟ୍ ଦେଲେ କେତେକ ସଂଶୋଧନ କରିବା ସମ୍ଭବ ହୁଏ। ତେବେ ଏହି ପ୍ରକ୍ରିୟାରେ ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କଲା ଭଳି କୌଣସି ସଂଶୋଧନ ହୋଇପାରି ନ ଥାଏ। ତୃତୀୟ ପ୍ରକାରେ, ସଂସଦର ଉଭୟ ସଦନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ଅର୍ଦ୍ଧେକ ରାଜ୍ୟ ବିଧାନସଭାର ସମ୍ମତି ସଂବିଧାନ ସଂଶୋଧନ ଲାଗି ଲୋଡ଼ା ଯାଇଥାଏ। ରାଷ୍ଟ୍ରପତିଙ୍କ ନିର୍ବାଚନ, କେନ୍ଦ୍ର ଓ ରାଜ୍ୟଗୁଡ଼ିକର କାର୍ଯ୍ୟନିର୍ବାହୀ କ୍ଷମତା, କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଆଇନ ପ୍ରଣୟନ କରିବାର ପରିସର, ସଂସଦରେ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଭଳି ସଂଶୋଧନର କଥା ସଂବିଧାନର ଅନୁଚ୍ଛେଦ ୩୬୮ରେ ରହିଛି। ଅର୍ଥାତ୍ ଏହି ପ୍ରକ୍ରିୟାରେ ରାଜ୍ୟ ତାଲିକାରେ ଥିବା ବିଷୟ ଉପରେ ମଧ୍ୟ କେନ୍ଦ୍ର ଆଇନ ପ୍ରଣୟନ କରିବାକୁ ସମର୍ଥ ହୋଇଥାଏ। ତେବେ, ଏହା ଦ୍ୱାରା ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହୋଇ ରାଜ୍ୟଗୁଡ଼ିକ ତୁଳନାରେ କେନ୍ଦ୍ର ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ଥାଏ।
ଏବେ ‘ଏଥର ବିଜେପି ୩୭୦ ଓ ଏନ୍‌ଡିଏ ୪୦୦ ପାର’ ଭଳି ସ୍ଲୋଗାନଟିର ତର୍ଜମା କରାଯାଉ। ଲୋକସଭାରେ କୌଣସି ଦଳକୁ ନିରଙ୍କୁଶ ବା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବାକୁ ହେଲେ ତା’ର ୩୬୨ଟି ଆସନ ଆବଶ୍ୟକ। ଅର୍ଥାତ୍ ବିଜେପିର ୩୭୦ ପାର୍ ସ୍ଲୋଗାନର ଆଭିମୁଖ୍ୟ ହେଉଛି ଅନ୍ୟ କୌଣସି ଦଳ ଉପରେ ନିର୍ଭର ନ କରି ସେହି କୁହୁକ ସଂଖ୍ୟାଟି ହାସଲ କରିବା। ଏବଂ ଦଳ ଏହି ଲକ୍ଷ୍ୟ ହାସଲ କରିବାକୁ ଅସମର୍ଥ ହେଲେ ମେଣ୍ଟ ପାଇଁ ଧାର୍ଯ୍ୟ ହୋଇଥିବା ୪୦୦ ପାର ଦ୍ବାରା ମଧ୍ୟ ଉଦ୍ଦେଶ୍ୟ ପୂରଣ କରାଯାଇପାରେ। ଲୋକସଭା ପରେ ରାଜ୍ୟସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦିଗରେ ପଦକ୍ଷେପ ନିଆଯାଇପାରେ। ରାଜ୍ୟସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ ଦଳକୁ ୧୬୪ଟି ଆସନ ଦଖଲକୁ ନେବାକୁ ହେବ, ଯେଉଁଥି ପାଇଁ ଅଧିକାଂଶ ବଡ଼ ରାଜ୍ୟକୁ ମିଶାଇ ଅନ୍ତତଃ ୨୦ଟି ରାଜ୍ୟରେ ଦଳକୁ ଶାସନ କ୍ଷମତାକୁ ଆସିବାକୁ ହେବ। ଅନେକଙ୍କ ମତରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଗି ବିଜେପିର ବ୍ୟାକୁଳତା ପଛରେ ଥିବା କାରଣ ସଂବିଧାନରେ ସଂଶୋଧନ।
ଏ ଯାବତ୍ ସଂବିଧାନ ୧୦୬ ଥର ସଂଶୋଧିତ ହୋଇସାରିଛି। ତେଣୁ, ଏବେ ସଂବିଧାନ ବଦଳିବା ନେଇ ଉଦ୍‌ବିଗ୍ନ ହେବାର କାରଣ କ’ଣ ବୋଲି ପ୍ରଶ୍ନ କରାଯାଉଛି। ତେବେ ସଂବିଧାନରେ ସଂଶୋଧନ କରିବା ଓ ସଂବିଧାନର ମୂଳ ଢାଞ୍ଚାରେ ପରିବର୍ତ୍ତନ କରି ତା’ର ସମ୍ପୂର୍ଣ୍ଣ ନବୀକରଣ କରାଯିବା ଏକ‌ା କଥା ନୁହେଁ। ଅବଶ୍ୟ ବିଜେପିର ଅ‌େନକ ତୁଙ୍ଗ ନେତା ଏ ସଂଦର୍ଭରେ ଆତ୍ମରକ୍ଷାମୂଳକ ମୁଦ୍ରାକୁ ଚାଲି ଆସିଲେଣି। ସଂବିଧାନ ବଦଳାଇ ଦଳିତ ଓ ସଂଖ୍ୟାଲଘୁ ସଂପ୍ରଦାୟକୁ ସୀମାନ୍ତରିତ କରିବା ପାଇଁ ବିଜେପି ସଂବିଧାନ ବଦଳାଇବା ଲାଗି ଉଦ୍‌ଗ୍ରୀବ ଭଳି ଧାରଣା ଅମୂଳକ ବୋଲି ସେମାନେ କହୁଛନ୍ତି।
ଏକ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ ଓ ବିରୋଧୀ ଦଳ ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ। କୁହାଯାଉଛି ଯେ ବିଜେପିର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦେଶକୁ ମଧ୍ୟ ଶକ୍ତିଶାଳୀ କରିବ। କିନ୍ତୁ ବାସ୍ତବତା ହେଲା, କୌଣସି ଦଳର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଓ ଦେଶ ଶକ୍ତିଶାଳୀ ହେବା ଭିତରେ କୌଣସି ସଂପର୍କ ନାହିଁ। ଆମେରିକାରେ ଦୁଇଟି ଦଳ ନିର୍ବାଚନ ଲଢ଼ନ୍ତି; ଡେମୋକ୍ରାଟିକ୍ ଓ ରିପବ୍ଲିକାନ୍। ସେଠାକାର ନିର୍ବାଚନରେ କୌଣସି ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରୁ ନ ଥିଲେ ମଧ୍ୟ ତାହା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ। ୧୯୬୯ ମସିହାର ବ୍ୟାଙ୍କ୍ ଜାତୀୟକରଣ ହେଉ, ବା ୧୯୯୧ର ଆର୍ଥିକ ଉଦାରୀକରଣ ଅବା ୧୯୯୯ର ପରମାଣୁ ବୋମା ପରୀକ୍ଷା ନିଷ୍ପତ୍ତି ଭଳି କ୍ରାନ୍ତିକାରୀ ନିର୍ଣ୍ଣୟଗୁଡ଼ିକ ଗ୍ରହଣ କଲାବେଳେ ତତ୍କାଳୀନ ସରକାରଗୁଡ଼ିକ ନିକଟରେ କେବଳ କାମଚଳା ସଂଖ୍ୟାଗରିଷ୍ଠତାର ସୁଯୋଗ ଉପଲବ୍‌ଧ ଥିଲା, ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନୁହେଁ। ଅଧିକନ୍ତୁ, କାମଚଳା ସଂଖ୍ୟାଗରିଷ୍ଠତା ଶାସକକୁ ଜନତାଙ୍କ ପ୍ରତି ଅଧିକ ବିଶ୍ୱସ୍ତ ରହିବାକୁ ବାଧ୍ୟ କରି ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିପାରେ। ସେମିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହିତ ଅବାଧ କ୍ଷମତା ଶାସକ ଠାରେ ଏକଛତ୍ରବାଦୀ ମାନସିକତା ସୃଷ୍ଟି କରାଇଥାଏ, ଯହିଁରେ ନାଗରିକ ନିଜର ଅଧିକାରମାନ ହରାଇ ସଂତ୍ରସ୍ତ ହୋଇରହେ। ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସଂବିଧାନରେ ପରିବର୍ତ୍ତନର ଆଶଙ୍କାକୁ ଦୃଢ଼ କରୁଥିବାରୁ ମତ ଦାନ ସମୟରେ କୌଣସି ଦଳ ବା କୌଣସି ଘୋଷିତ/ଅଘୋଷିତ ମେଣ୍ଟକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପ୍ରଦାନ କରିବା ପୂର୍ବରୁ ଟିକିଏ ସତର୍କତା ଅବଲମ୍ୱନ କରନ୍ତୁ ଓ ବିବେଚନାପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ।
ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର