ଅନୁଗୁଳରୁ ଉଦ୍ଧାର ହାତୀଛୁଆ ଯିବ କପିଳାସ

ଅନୁଗୁଳ: ଅନୁଗୋଳ ଜିଲ୍ଲା ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳର ଡଙ୍ଗାମାଳ ଗାଁ ନିକଟରେ ଗତକାଲି ଉଦ୍ଧାର ହୋଇଥିବା ହାତୀ ଛୁଆଟିକୁ ଢେଙ୍କାନାଳ ଜିଲ୍ଲା କପିଳାସରେ ଥିବା ଚିଡ଼ିଆଘରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉଦ୍ଧାର ହାତୀଛୁଆଟିର ଚିକିସା ଚାଲିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଓ ପରିବେଶ ସହିତ ଖାପ ଖୁଆଇ ଚଳିପାରିବା ଭଳି ହେଲା ପରେ ତାକୁ କପିଳାସ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଅନୁଗୁଳ ବନ ବିଭାଗ ପକ୍ଷରୁ କୁୁହାଯାଇଛି।
ସୂଚନାଯୋଗ୍ୟ ଯେ ଏହି ହାତୀ ଛୁଆଟି ତାର ମା ସହିତ ମିଶି ହାତୀପଲରେ ଛେଣ୍ଡିପଦା ବନାଞ୍ଚଳର ଡଙ୍ଗାମାଳ ଗାଁ ନିକଟକୁ ଆସିଥିବାବେଳେ କୌଣସି ପରିସ୍ଥିତିରେ ହାତୀପଲ ଓ ତାର ମାଆ ଠାରୁ ଅଳଗା ହୋଇ ଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇ ବନବିଭାଗ ଗାଁରେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ। ପରେ ତାକୁ ଅନୁଗୁଳସ୍ଥିତ ଫରେଷ୍ଟ ରେଞ୍ଜର୍ସ କଲେଜ ପରିସରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ହାତୀ ଛୁଆଟି ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ନିୟମିତ ୍ୟୃବଧାନରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ହାତୀ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଢେଙ୍କାନାଳର କପିଳାସ ଚିଡିଆଖାନାକୁ ପଠାଯିବ ବୋଲି ଅନୁଗୋଳ ଡିଏଫଓ ଭି କାର୍ତ୍ତିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର