କି ହେବ ଶୁଆ ପୋଷିଲେ?

ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କର ଏହି ପ୍ରଶଂସନୀୟ ପଦକ୍ଷେପର କିନ୍ତୁ ଏକ ଦୁର୍ବଳତା ହେଲା, ଏହି ମାର୍ଗଦର୍ଶିକାକୁ ଅନୁସରଣ କରିବା ଓକିଲ ଓ ବିଚାରପତିମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ନ୍ୟାୟପାଳିକାରେ ଲିଙ୍ଗଗତ ନ୍ୟାୟ ନିଶ୍ଚିତ କରିବା ପାଇଁ ଏହାକୁ ଅବିଳମ୍ବେ ବାଧ୍ୟତାମୂଳକ କରାଯିବା ଉଚିତ। ନଚେତ୍‌ ହରିନାମ ଜପୁନଥିବା ଶୁଆଟି ପଞ୍ଜୁରି ଭିତରେ ଚୁପ୍‌ଚାପ୍‌ ହୋଇ ବସିଥିବା ଭଳି ଚନ୍ଦ୍ରଚୂଡ଼ଙ୍କର ଏହି ମାର୍ଗଦର୍ଶିକା ସେଇ ହାଣ୍ଡବୁକ୍‌ର ମଲାଟ ଭିତରେ ଚୁପ୍‌ଚାପ୍‌ ପଡ଼ି ରହିବା ସାର ହେବ। କି ହେବ ଶୁଆ ପୋଷିଲେ?

‘‘ଘରକୁ ସୁନ୍ଦର ସିନା ଘରଣୀ ଥିଲେ/ ଘରଣୀ ଥିଲେ କି ହେବ?, କଳ ଚାଉଳ ଖାଇଲେ/ କି ହେବ ଶୁଆ ପୋଷିଲେ?‌, ହରିନାମ ନ ଜପିଲେ/ କି ହେବ ଶୁଆ ପୋଷିଲେ?’’ ଅତୀତରେ ଯେତେବେଳେ ଚାଉଳ କଳର କ୍ରମଶଃ ଅନୁପ୍ରବେଶ ପରେ ଓଡ଼ିଶାର ଗାଁ ଗହଳରୁ ଢିଙ୍କି ଉଭାନ ହେବାକୁ ଆରମ୍ଭ କଲା (ଢିଙ୍କି ହେଉଛି ଏକ ଲମ୍ବାର କାଠ ଗଣ୍ଡି, ଯାହାକୁ ବାରମ୍ବାର ପାଦରେ ଦବାଇ ଧାନକୁ କୁଟି ‌ସେଥିରୁ ଚାଉଳ ବାହାର କରାଯାଇଥାଏ), ସେତେବେଳେ କୌଣସି ଏକ ବ୍ୟଙ୍ଗ କବିଙ୍କ ଦ୍ବାରା ରଚିତ ଏହି ଗୀତଟି ବେଶ୍‌ ଆଦୃତି ଲାଭ କରିଥିଲା। ଗୀତଟି ସେଇ ଗୃହିଣୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା, ଯେଉଁମାନେ ପରିଶ୍ରମକାତର ହୋଇ ଢିଙ୍କିଶାଳକୁ ନ ଯିବାରୁ ସେ ପରିବାରକୁ କଳକୁଟା ଚାଉଳ ଖାଇବାକୁ ପଡ଼ିଥାଏ। ଅର୍ଥାତ୍‌ ପରମ୍ପରା ଅନୁସାରେ ବିବାହ ଓ ସନ୍ତାନ ପ୍ରସବ ଯେଉଁ ଭଳି ନାରୀର ସ୍ବାଭାବିକ କାର୍ଯ୍ୟ ରୂପେ ବିବେଚିତ ହୋଇଥାଏ, ଗୃହିଣୀଙ୍କ ପାଇଁ ଢିଙ୍କିରେ ଧାନ କୁଟି ପରିବାରକୁ ଚାଉଳ ଯୋଗାଇବା ମଧ୍ୟ ସେଇଭଳି ଏକ ସ୍ବାଭାବିକ କାର୍ଯ୍ୟ ହୋଇଥାଏ।
ଏଥର ଓଡ଼ିଶାର ଏହି ଗ୍ରାମ୍ୟ ବ୍ୟଙ୍ଗ କବିଙ୍କୁ ଛାଡ଼ି ଊନବିଂଶ ଶତାବ୍ଦୀର ତଥା ସର୍ବକାଳୀନ ମହାନ ଜର୍ମାନ୍‌ ଦାର୍ଶନିକ ଫ୍ରେଡେରିକ୍‌ ନିଚାଙ୍କର ନିମ୍ନୋକ୍ତ ମନ୍ତବ୍ୟ ପ୍ରତି ଧ୍ୟାନ ଦିଆଯାଉ। ତାଙ୍କର ଅନୁରାଗୀମାନଙ୍କ ଦୃଷ୍ଟିରେ ପ୍ରାୟ ଏକ ଧର୍ମଗ୍ରନ୍ଥର ମର୍ଯ୍ୟାଦା ଲାଭ କରିଥିବା ନିଚାଙ୍କର ପ୍ରସିଦ୍ଧ ପୁସ୍ତକ ‘‘ଦସ୍‌ ସ୍ପେକ୍‌ ଜରାଥୁଷ୍ଟ୍ର’ରେ ସେ କହିଥିଲେ: ‘‘ପୁରୁଷ ତାଲିମ ପାଇବ ଯୁଦ୍ଧ ପାଇଁ ଏବଂ ନାରୀ ତାଲିମ ପାଇବ ଯୋଦ୍ଧାଙ୍କର ମନୋରଞ୍ଜନ ପାଇଁ। ଅନ୍ୟ ସମସ୍ତ ହେଉଛି ମୂର୍ଖାମି।’’ ନିଚା ପୁଣି ମନୋରଞ୍ଜନ କିପରି ଭରପୂର ହେବ, ଯୋଦ୍ଧାମାନଙ୍କୁ ତା’ର ଏକ ଉପାୟ ବତାଇ ଦେଇଥିଲେ: ‘‘ତୁମେ ଏକ ନାରୀ ପାଖକୁ ଯାଉଛ? ସାଙ୍ଗରେ ତୁମର ଚାବୁକ ନେବାକୁ ଭୁଲ ନାହିଁ।’’
ଇତିହାସ ସାରା ପୁରୁଷପ୍ରଧାନ ସମାଜମାନଙ୍କରେ ନାରୀ ପ୍ରତି ଯେଉଁଭଳି ଆଭିମୁଖ୍ୟ ବଳବତ୍ତର ରହି ଆସିଛି, ଉପର ଉଦାହରଣମାନ ହେଉଛନ୍ତି ତାହାର ଦୁଇଟି ନମୁନା ମାତ୍ର। ଏବେ ମନେ କରାଯାଉ ଆମ ଦେଶର ଆଇନ-ଅଦାଲତମାନଙ୍କରେ ସକ୍ରିୟ ଥିବା ଓକିଲ ଓ ବିଚାରପତିମାନଙ୍କୁ ଉପରେ ପ୍ରଦତ୍ତ ଏ ଦୁଇଟି ଉଦାହରଣ ସମ୍ବନ୍ଧରେ ସେମାନଙ୍କର ମତାମତ କ’ଣ ବୋଲି ପଚରା ଗଲା। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ସେମାନେ ସମସ୍ତେ ନିଶ୍ଚିତ ଭାବରେ ଏପରି ‘ନାରୀ-ବିଦ୍ବେଷୀ’ ମନୋଭାବର କଠୋର ନିନ୍ଦା କରିବେ।
ଏଥର ଆମ ଅଦାଲତମାନଙ୍କରେ ସମୟ ସମ‌ୟରେ ଉଭୟ ଓକିଲ ଓ ବିଚାରପତିମାନଙ୍କ ଦ୍ବାରା ବ୍ୟବହୃତ ନାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଏକ ଶବ୍ଦ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଉ: ‘କ୍ୟାରିଅର୍‌ ଓମ୍ୟାନ୍‌’ ବା‌ ‘ବୃତ୍ତିଧାରିଣୀ’। ଲକ୍ଷ୍ୟ କରିବା କଥା ସେମାନେ କେବେହେଲେ କୌଣସି ପୁରୁଷ ପ୍ରତି ଏହି ବିଶେଷଣ ପ୍ରୟୋଗ କରି ନ ଥାନ୍ତି: ‘କ୍ୟାରିଅର୍‌ ମ୍ୟାନ୍‌’ ବା ‘ବୃତ୍ତିଧାରୀ’। ଏଥିରେ ଥିବା ଲିଙ୍ଗ ବିଦ୍ବେଷ ସୁସ୍ପଷ୍ଟ- ଜ‌େଣ ପୁରୁଷ ‘ବୃତ୍ତିଧାରୀ’ ହେବାରେ ‌କୌଣସି ଅସ୍ବାଭାବିକତା ନାହିଁ; ଜଣେ ନାରୀ ‘ବୃତ୍ତିଧାରିଣୀ’ ହେବା ହେଉଛି ଅସ୍ବାଭାବିକ; ନାରୀଟିଏ ‌େକବଳ ‘ଗୃହିଣୀ’ ବା ଉପରୋକ୍ତ ବ୍ୟଙ୍ଗ ଗୀତର ଭାଷାରେ ‘ଘରଣୀ’ ହୋଇ ଢିଙ୍କିରେ ଧାନ କୁଟିବା ହେଉଛି ସ୍ବାଭାବିକ। ତେଣୁ ଅାମର ଓକିଲ ଓ ବିଚାରପତିମାନେ ଯେତେବେଳେ ‌ଜଣେ ନାରୀଙ୍କୁ ‘କ୍ୟାରିଅର୍‌ ଓମ୍ୟାନ୍‌’ ରୂପେ ବର୍ଣ୍ଣନା କରିଥାନ୍ତି, ସେତେବେଳେ ସେମାନେ ଯେ ତାଙ୍କର ଆଚରଣକୁ ‘ଅସ୍ବାଭାବିକ’ ରୂପେ ଚିହ୍ନିତ କରିଥାନ୍ତି, ତାହା ବୋଧହୁଏ ସେମାନେ ହୃଦୟଙ୍ଗମ କରିପାରିନଥାନ୍ତି। ସେହିପରି ଅଦାଲତରେ ବିଚାର ସମୟରେ ଜଣେ ନାରୀଙ୍କୁ ଯେତେବେଳେ ‘ହାର୍ଲଟ୍‌’ ବା ‘ଗଣିକା’ ରୂପେ ବର୍ଣ୍ଣନା କରାଯାଇଥାଏ, ସେତେବେଳେ ଏଥିରେ ଯେ ଏକ ପୂ‌ର୍ବୋକ୍ତ ନିଚାସୁଲଭ ନାରୀ-ବିଦ୍ବେଷୀ ଆଭିମୁଖ୍ୟ ନିହିତ ଥାଏ, ତାହା ଅନସ୍ବୀକାର୍ଯ୍ୟ।
ଭାରତର ସୁପ୍ରିମ୍‌ କୋର୍ଟ ଏବେ ଏକ ଅତୀବ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରି ଅଦାଲତମାନଙ୍କରେ ଦାଖଲ ହେଉଥିବା ମାମଲା ଓ ବିଚାରପତିମାନେ ଲେଖୁଥିବା ରାୟରେ ବ୍ୟବହୃତ ଭାଷା ଓ ଶବ୍ଦମାନଙ୍କର ଅନୁଶୀଳନ କରି ସେଥିରେ ଥିବା ଏଇଭଳି ଅନେକ ନାରୀ-ବିଦ୍ବେଷୀ ଶବ୍ଦମାନଙ୍କୁ ଚିହ୍ନଟ କରି‌ ସେଗୁଡ଼ିକର ବ୍ୟବହାରକୁ ନିରୁତ୍ସାହିତ କରିବା ସହିତ ତାହାର ବିକଳ୍ପ ଶବ୍ଦ ସମ୍ବଳିତ ଏକ ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି। ଏହି ସାଧୁ ଉଦ୍ୟମଟି ହେଉଛି ପ୍ରଧାନ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ଼ଙ୍କର ମାନସ ସନ୍ତାନ।
‌େକହି କେହି ହୁଏତ ପ୍ରଶ୍ନ କରିପାରନ୍ତି ଯେ ମାମଲାର ବିଚାର ପ୍ରକ୍ରିୟାରେ ଭାଷାକୁ ଏଭଳି ଗୁରୁତ୍ବ ପ୍ରଦାନ କରାଯିବାର ଉପଯୋଗିତା କ’ଣ? ଯେ ‌ପର୍ଯ୍ୟନ୍ତ ପ୍ରଦତ୍ତ ରାୟ ନ୍ୟାୟୋଚିତ ହୋଇଥାଏ, ବ୍ୟବହୃତ ଭାଷାର କୌଣସି ଗୁରୁତ୍ବ ନ ଥାଏ ବୋଲି ଏମାନେ ବିଚାର କରିପାରନ୍ତି। କିନ୍ତୁ ଭାଷା ବିଜ୍ଞାନର ଏକ ତତ୍ତ୍ବ ଅନୁସାରେ ଅନେକ ସମୟରେ ବ୍ୟବହୃତ ଭାଷା ତା’ର ବ୍ୟବହାରକାରୀର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ। କାଉଣ୍ଟ ଆଲ୍‌ଫ୍ରେଡ୍‌ କୋର୍ଜିବ୍‌ସ୍କି ନାମକ ଇଞ୍ଜିନିଅର୍‌ଙ୍କ ଦ୍ବାରା ୧୯୩୩ରେ ଆରମ୍ଭ ହୋଇଥିବା ‘ଜେନେରାଲ୍‌ ସେମାଣ୍ଟିକ୍‌ସ’ ନାମକ ଭାଷା ଆନ୍ଦୋଳନ ଅନ୍ତର୍ଗତ ଏହି ‘ଲିଙ୍ଗୁଇଷ୍ଟିକ୍‌ ଡିଟର୍‌ମିନିଜ୍‌ମ’ (‘ଭାଷାଗତ ନିର୍ଣ୍ଣୟବାଦ’) ତତ୍ତ୍ବ କ‌େହ ଯେ ମନୁଷ୍ୟ କରୁଥିବା ଅନେକ ଭୁଲ୍‌ ଭଟକାର କାରଣ ହେଉଛି ନିର୍ଦ୍ଦିଷ୍ଟ ଭାଷାର ଆଘାତ ଯୋଗୁଁ ତା’ର ଚିନ୍ତାଧାରାରେ ଘଟୁଥିବା କ୍ଷତି। ନାରୀବାଦୀମାନେ ବିଶ୍ବାସ କରୁଥାନ୍ତି ଯେ ନାରୀ-ବିଦ୍ବେଷୀ ଭାଷାର ବ୍ୟବହାର ନାରୀ-ବିରୋଧୀ ଚିନ୍ତାକୁ ଜନ୍ମ ଦିଏ, ଯାହା ଅବଲୀଳା କ୍ରମେ ନାରୀ-ବିରୋଧୀ କାର୍ଯ୍ୟରେ ରୂପାନ୍ତରିତ ହୋଇଥାଏ। କିଏ ଜ‌ାଣେ, ନାରୀ-ବିଦ୍ବେଷୀ ଭାଷାର ବ୍ୟବହାର କେତେ ବିଚାରପତିଙ୍କୁ ନାରୀ-ବିରୋଧୀ ରାୟ ପ୍ରଦାନ କରିବା ପାଇଁ ପ୍ରଭାବିତ କରୁନଥିବ?
ଏଇଭଳି ଆଶଙ୍କା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଏହାର ପ୍ରତିକାର ନିମିତ୍ତ ବର୍ତ୍ତମାନ ଏହି ପଦକ୍ଷେପ ନେବାକୁ ପ୍ରବୃତ୍ତ କରିଛି। ଏହାର ଫଳ ସ୍ବରୂପ ତାଙ୍କ ଦ୍ବାରା ନିଯୁକ୍ତ ଦୁଇ ଜଣ ମହିଳା ବିଚାରପତି ଓ ଜଣେ ଅଧ୍ୟାପିକାଙ୍କୁ ନେଇ ଗଠିତ କମିଟି ଯେଉଁ ଦିଗ୍‌ଦର୍ଶିକା ବା ହାଣ୍ଡବୁକ୍‌ ପ୍ରସ୍ତୁତ କରିଛି, ସେଥିରେ ସ୍ଥାନୀତ ବର୍ଜନୀୟ ଶବ୍ଦମାନଙ୍କ ମଧ୍ୟରୁ ମାତ୍ର କେତୋଟି ନମୁନା ଏଠାରେ ଉପସ୍ଥାପନ କରାଯାଇପାରେ। ‘ସତୀ ନାରୀ’, ‘ପତିତା ନାରୀ’, ‘ବୃତ୍ତିଧାରଣୀ ନାରୀ’ ସ୍ଥାନରେ କେବଳ ‘ନାରୀ’ ଶବ୍ଦ ବ୍ୟବହୃତ ହେବ। ‘ହାଉସ୍‌ୱାଇଫ୍‌’ର ସ୍ଥାନ ନେବ ‘ହୋମ୍‌ମେକର୍‌’। ‘ଅବୈଧ ସମ୍ପର୍କ’ ସ୍ଥାନରେ ବ୍ୟବହୃତ ହେବ ‘ବିବାହ ବାହାରେ ସମ୍ପର୍କ’; ‘ଇଭ୍‌ ଟିଜିଙ୍ଗ୍‌’ ସ୍ଥାନରେ ବ୍ୟବହୃତ ହେବ ‘ଷ୍ଟ୍ରିଟ୍‌ ସେକ୍‌ସୁଆଲ୍‌ ହାରାସ୍‌ମେଣ୍ଟ’; ‘ବେଶ୍ୟା’ ବଦଳରେ ବ୍ୟବହୃତ ହେବ ‘ଯୌନକର୍ମୀ’। ବ୍ୟବହୃତ ଭାଷାକୁ ନାରୀ-ବିଦ୍ବେଷମୁକ୍ତ କରିବା ବ୍ୟତୀତ ନାରୀମାନଙ୍କର ଆଚରଣ ପ୍ରତି ରହିଥିବା ଅନେକ ବଦ୍ଧମୂଳ ଧାରଣା ଦୂର କରିବା ପାଇଁ ମଧ୍ୟ ହାଣ୍ଡବୁକ୍‌ରେ ଚେଷ୍ଟା କରାଯାଇଛି (ଯେମିତି ମଦ୍ୟପାନ କରୁଥିବା ନାରୀ ଯୌନ ଆକ୍ରମଣର ଶିକାର ହେବା ସମ୍ଭାବନା ଅଧିକ ହୋଇଥାଏ, କିମ୍ବା ନାରୀର ପୋଷାକ ତା’ ପ୍ରତି ପ୍ରଦର୍ଶିତ ଆଚରଣର କାରଣ ହୋଇଥାଏ, ଇତ୍ୟାଦି)।
ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କର ଏହି ପ୍ରଶଂସନୀୟ ପଦକ୍ଷେପର କିନ୍ତୁ ଏକ ଦୁର୍ବଳତା ହେଲା, ଏହି ମାର୍ଗଦର୍ଶିକାକୁ ଅନୁସରଣ କରିବା ଓକିଲ ଓ ବିଚାରପତିମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ନ୍ୟାୟପାଳିକାରେ ଲିଙ୍ଗଗତ ନ୍ୟାୟ ନିଶ୍ଚିତ କରିବା ପାଇଁ ଏହାକୁ ଅବିଳମ୍ବେ ବାଧ୍ୟତାମୂଳକ କରାଯିବା ଉଚିତ। ନଚେତ୍‌ ହରିନାମ ଜପୁନଥିବା ଶୁଆଟି ପଞ୍ଜୁରି ଭିତରେ ଚୁପ୍‌ଚାପ୍‌ ହୋଇ ବସିଥିବା ଭଳି ଚନ୍ଦ୍ରଚୂଡ଼ଙ୍କର ଏହି ମାର୍ଗଦର୍ଶିକା ସେଇ ହାଣ୍ଡବୁକ୍‌ର ମଲାଟ ଭିତରେ ଚୁପ୍‌ଚାପ୍‌ ପଡ଼ି ରହିବା ସାର ହେବ। କି ହେବ ଶୁଆ ପୋଷିଲେ?

ସମ୍ବନ୍ଧିତ ଖବର