ଅଦମନୀୟ ଶ୍ରୀକାନ୍ତ, ଅସାଧାରଣ ରାଜକୁମାର

ଭାରତର ପ୍ରଥମ ଦୃଷ୍ଟିବାଧିତ ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖୁଥିବା ସ୍କୁଲ ଛାତ୍ର ଶ୍ରୀକାନ୍ତ ବୋଲ୍ଲା ସେଦିନ ତତ୍‌କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ଚକିତ କରିଦେଇଥିଲା। ଏକ ଦରିଦ୍ର ପରିବାରରେ ଜନ୍ମିତ ସେହି ଦୃଷ୍ଟିବାଧିତ ପିଲା କେମିତି ଦେଶର ଶିକ୍ଷା ବ୍ୟବସ୍ଥା ସହିତ ଲଢ଼ିବା ସହ ବିଶ୍ବର ଶ୍ରେଷ୍ଠତମ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ିବା ପରେ ସ୍ବଦେଶକୁ ଫେରି ନିଜ ସ୍ବପ୍ନ ସାକାର କରୁଛନ୍ତି ସେ ସଂଘର୍ଷମୟ ଜୀବନ କାହାଣୀର ନାମ ହେଉଛି ‘ଶ୍ରୀକାନ୍ତ’।

ନିର୍ଦେଶକ ତୁଷାର ହୀରାନନ୍ଦାନି ଶ୍ରୀକାନ୍ତଙ୍କ କାହାଣୀକୁ ସରଳରୈଖିକ ଭାବେ ପ୍ରଦର୍ଶିତ କରିଛନ୍ତି। ୧୯୯୨ରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌ ଗ୍ରାମରେ ଶ୍ରୀକାନ୍ତଙ୍କ ଜନ୍ମରୁ ଏ କାହାଣୀ ଆରମ୍ଭ ହୁଏ। ପ୍ରାଥମିକ ସ୍କୁଲ୍‌ ବେଳୁ ଶ୍ରୀକାନ୍ତଙ୍କୁ ଲାଞ୍ଛନା ଓ ପକ୍ଷପାତର ସାମ୍ନା କରିବାକୁ ପଡ଼େ। ଆମ ସମ୍ମୁଖରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଆସି ଛିଡ଼ା ହେଲେ ଦୁଇଟି ରାସ୍ତା ଥାଏ- ଦୌଡ଼ି ପଳାଇବା ଅଥବା ଲଢ଼ିବା। ଶ୍ରୀକାନ୍ତଙ୍କ ଲାଗି ଦୌଡ଼ି ପଳାଇବାର ସୁଯୋଗ ନ ଥିଲା, ତେଣୁ ତାଙ୍କ ପାଇଁ ଲଢ଼େଇ ହିଁ ଏକମାତ୍ର ବିକଳ୍ପ ବୋଲି ସେ ଅଳ୍ପ ବୟସରୁ ବୁଝିସାରିଥିଲେ। ଭାରତରେ ଦୃଷ୍ଟିବାଧିତ ଲୋକଙ୍କୁ ଶେଷରେ ଭିକ ମାଗିବାକୁ ପଡ଼େ ବୋଲି ଶ୍ରୀକାନ୍ତ ଛୋଟ ବେଳୁ ଶୁଣିଆସିଥିଲେ। ସେହି ଭୟ ତାଙ୍କୁ କାହାଣୀର ପ୍ରଥମାର୍ଦ୍ଧରେ କଠିନ ପରିଶ୍ରମ କରିବା ପାଇଁ ପ୍ରୋତ୍ସାହିତ କରିଛି ଏବଂ ପରେ ସେ ତାଙ୍କ ଭଳି ଅନ୍ୟମାନଙ୍କୁ ଆତ୍ମନିର୍ଭର କରାଇଛନ୍ତି।

ଦୃଷ୍ଟିବାଧିତ ଚରିତ୍ରରେ ରାଜକୁମାର ରାଓଙ୍କ ଅସାଧାରଣ ଅଭିନୟ ଏହି ଚଳଚ୍ଚିତ୍ରର ବଡ଼ ବିଶେଷତ୍ବ। ଏଥିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତୀକରଣର ଦୁର୍ବଳ ସ୍ଥିତିକୁ କାଠଗଡ଼ାରେ ଠିଆ କରାଯାଇଛି। ଆମ ଦେଶରେ ଦୁଇ ଦଶନ୍ଧି ପୂର୍ବେ ଯୋଗ୍ୟ ଦୃଷ୍ଟିବାଧିତ ଛାତ୍ରଙ୍କୁ କଲେଜରେ ବିଜ୍ଞାନ ପଢ଼ିବାର ସୁଯୋଗ ସୁଦ୍ଧା ମିଳୁ ନ ଥିଲା। ତେଣୁ ଶ୍ରୀକାନ୍ତ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢ଼ି ବିଜ୍ଞାନ ପଢ଼ିବାର ଅଧିକାର ହାସଲ କରିଥିଲେ। ସର୍ବୋଚ୍ଚ ନମ୍ବର ରଖିବା ସତ୍ତ୍ବେ ତାଙ୍କୁ ଆଇଆଇଟିରେ ପଢ଼ିବାର ସୁଯୋଗ ମିଳି ନ ଥିଲା। ସେ ନିଜର ଦକ୍ଷତା ବଳରେ ଆମେରିକାର ‘ଏମ୍‌ଆଇଟି’ରେ ପଢ଼ିବାର ସୁଯୋଗ ପାଇଥିଲେ।

ଆମେରିକାର ଭିତ୍ତିଭୂମି ଓ ସମାଜ ଭିନ୍ନକ୍ଷମଙ୍କ ପାଇଁ କେତେ ସୁବିଧାଜନକ ତାହା ଅନୁଭବ କରି ଶ୍ରୀକାନ୍ତ ପଢ଼ା ସରିବା ପରେ ଭାରତ ଫେରିବାର ନିଷ୍ପତ୍ତି ବଦଳାଇଦିଅନ୍ତି। ତେବେ ତାଙ୍କ ବାନ୍ଧବୀ ସ୍ବାତୀ (ଅଲାୟା ଏଫ୍‌) ଦେଶ ପ୍ରତି ତାଙ୍କର ଦାୟିତ୍ବ ବାବଦରେ ମନେ ପକାଇଦେଇଛନ୍ତି। ଶ୍ରୀକାନ୍ତ ଭାରତ ଫେରି ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେବା ଲାଗି ଶିଳ୍ପ ପ୍ରତିଷ୍ଠା କରିବାର ଉଦ୍ୟମ କରିଛନ୍ତି। ବହୁ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ଅବଦୁଲ କଲାମ ପ୍ରଥମେ ତାଙ୍କ ଉଦ୍ୟୋଗ ଲାଗି ପୁଞ୍ଜି ଦେଇଛନ୍ତି ଏବଂ ସେ ‘ବୋଲାଣ୍ଟ ଇଣ୍ଡଷ୍ଟ୍ରିଜ୍’ ପ୍ରତିଷ୍ଠା କରିଛନ୍ତି। ସଫଳତାର ସ୍ବାଦ ଚାଖିବା ପରେ ସେ କିପରି ସାମୟିକ ଭାବେ ଅହଂକାରୀ ହୋଇଯାଇଛନ୍ତି ତାହା ମଧ୍ୟ ଚଳଚ୍ଚିତ୍ରରେ ସତ୍ୟନିଷ୍ଠ ଢଙ୍ଗରେ ଦେଖାଯାଇଛି। ଜଣେ ଖଳ ରାଜନେତାଙ୍କ ପ୍ରରୋଚନାରେ ସେ ବଡ଼ ଭୁଲ୍ କରିବା ପୂର୍ବରୁ ଶିକ୍ଷୟିତ୍ରୀ ଦେବିକା (ଜ୍ୟୋତିକା) ତାଙ୍କୁ ଠିକ୍ ବାଟ ଦେଖାଇଛନ୍ତି। ଶେଷରେ ଏକ ପୁରସ୍କାର ଉତ୍ସବରେ ଶ୍ରୀକାନ୍ତ ଏକ ସାରଗର୍ଭକ ବକ୍ତବ୍ୟ ଦେଇଛନ୍ତି ଯାହା ଦର୍ଶକଙ୍କ ମନରେ ଭିନ୍ନକ୍ଷମମାନଙ୍କ ପ୍ରତି ରହିଥିବା ଭାବନାକୁ ସଂପୂର୍ଣ୍ଣ ରୂପେ ବଦଳାଇଦେବ। ଏହି ବକ୍ତବ୍ୟରେ ଭାବପ୍ରବଣତା କମ୍, ହାସ୍ୟରସ ଅଧିକ ରହିଛି, ଯେଉଁଥିପାଇଁ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ ହୋଇପାରିଛି। ଦୃଷ୍ଟିଶକ୍ତି ଠାରୁ ଦୂରଦୃଷ୍ଟି ଯେ ଅଧିକ ବଳଶାଳୀ, ଶ୍ରୀକାନ୍ତ ବୋଲ୍ଲା ହେଉଛନ୍ତି ତାହାର ଜଣେ ଜୀବନ୍ତ ଉଦାହରଣ। ଏ ଚଳଚ୍ଚିତ୍ରର ବାର୍ତ୍ତା ହେଉଛି ଶ୍ରୀକାନ୍ତଙ୍କ ଭଳି ପ୍ରତିଭା ଭିନ୍ନକ୍ଷମତା ପାଇଁ ଯେମିତି ସୁଯୋଗରୁ ବଞ୍ଚିତ ନ ହେବେ ତାହା ଜଣେ ଭଲ ଶିକ୍ଷକ, ବିଶ୍ବସ୍ତ ବନ୍ଧୁ ଓ ଉନ୍ନତ ବ୍ୟବସ୍ଥା ସୁନିଶ୍ଚିତ କରିପାରିବେ। ଶ୍ରୀକାନ୍ତ କହିବା ଭଳି, ଭିନ୍ନକ୍ଷମମାନେ ଦୟା ନୁହେଁ, ସମାନ ସୁଯୋଗ ଚାହାନ୍ତି।

ସମ୍ବନ୍ଧିତ ଖବର