୨୦୨୩ରେ ହୋଇପାରେ ବିବାହ

୨୦୨୨ ମସିହା ବଲିଉଡ୍‌ ବିବାହ ପର୍ବରେ ଏକ ପ୍ରକାର ପରିପୂର୍ଣ୍ଣ ଥିଲା। ଏ ବର୍ଷ ଆଲିଆ ଭଟ୍ଟ-ରଣବୀର କପୁର, ଫରହାନ ଅକତର-ଶିବାନୀ ଦାଣ୍ଡେକର, ମୌନୀ ରାୟ-ସୂରଜ ନାମ୍ବିଆର୍, ଅଲୀ ଫେଜଲ-ଋଚା ଚଢ଼ା ଭଳି ଚର୍ଚ୍ଚିତ ବଲିଉଡ୍‌ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୨୩ ମସିହା ଆଉ କେତେକ ଲୋକପ୍ରିୟ ଯୋଡ଼ିଙ୍କ ବିବାହର ସମ୍ଭାବନା ନେଇ ଆସୁଛି। ସେ ମଧ୍ୟରେ ଅଗ୍ରଣୀ ହେଉଛନ୍ତି ସିଦ୍ଧାର୍ଥ ମଲ୍‌ହୋତ୍ରା ଓ କିଆରା ଆଡ଼ଭାନୀ। ଉଭୟ ନିଜର ପ୍ରେମ ଜୀବନ ନେଇ ନିରବତା ଅବଲମ୍ବନ କରିଆସୁଥିଲେ ହେଁ ଆସନ୍ତା ବର୍ଷ ସେମାନଙ୍କ ହାତଗଣ୍ଠି ପଡ଼ିବାର ସବୁ ଯୋଜନା ପ୍ରସ୍ତୁତ ହୋଇସାରିଥିବାର ଜଣାପଡ଼ିଛି। ଚଣ୍ଡୀଗଡ଼ରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି।

ଏ ବର୍ଷ ତମାମ ଆଉ ଏକ ଯୋଡ଼ି ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା- ଆଥିୟା ସେଟ୍ଟୀ ଓ କେ ଏଲ୍‌ ରାହୁଳ। ନୂଆ ବର୍ଷ ଆରମ୍ଭରୁ ଏମାନଙ୍କ ବିବାହ ସମ୍ପନ୍ନ ହୋଇଯିବ ବୋଲି କୁହାଯାଉଛି। ଜାନୁଆରି ୨୧ରୁ ୨୩ ତାରିଖ ଯାଏ ଆଥିଆଙ୍କ ବାସଭବନରେ ଦକ୍ଷିଣ ଭାରତୀୟ ରୀତିନୀତିରେ ଏମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଅର୍ଜୁନ କପୁର ଓ ମଲାଇକା ଅରୋଡ଼ା ବିବାହ କରିବା ନେଇ ପରସ୍ପର ମଧ୍ୟରେ ଆଲୋଚନା କରିଥିବାର ଜଣାପଡ଼ିଛି। ତେବେ ସେମାନେ ବିବାହ ନେଇ କୌଣସି ତାରିଖ ଏ ଯାଏଁ ଧାର୍ଯ୍ୟ କରିନାହାନ୍ତି। ଗତ ବର୍ଷ ରକୁଲ ପ୍ରୀତ ସିଂହ ଓ ଜ୍ୟାକି ଭଗନାନି ସେମାନଙ୍କ ପ୍ରେମ ସମ୍ପର୍କ ନେଇ ଘୋଷଣା କରି ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେମାନେ ୨୦୨୩ରୁ ଏକାଠି ନୂଆ ଜୀବନ ଆରମ୍ଭ କରିବାର ସମ୍ଭାବନା ରହିଛି। ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ତେଜସ୍ବୀ ପ୍ରକାଶ ଓ କରଣ କୁନ୍ଦ୍ରାଙ୍କ ସମ୍ପର୍କ କାହାରିକୁ ଅଛପା ନାହିଁ। ଆସନ୍ତା ବର୍ଷ ମଝି ଆଡ଼କୁ ସେମାନେ ବିବାହ କରିବେ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର