୨୦୨୪ରେ ହେବ ମୋଦୀ-କେଜ୍ରିୱାଲ୍ ଲଢ଼େଇ; ସିବିଆଇ ଚଢ଼ଉ ପରେ କହିଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଗତକାଲି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏତଲା ରୁଜୁ କରିବା ପରେ ଚଢ଼ଉ ଆରମ୍ଭ କରିଥିଲା। ତେବେ ସିବିଆଇ ଚଢ଼ଉ ପରେ ଏବେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଉପମୁଖ୍ୟମନ୍ତ୍ରୀ ସିସୋଦିଆ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା ସହି ନପାରି ବିଜେପି ଏଭଳି କରୁଥିବା ନେଇ ଅଭିଯୋଗ କରିବା ସହ ୨୦୨୪ରେ ହେବାକୁ ଥିବା ନିର୍ବାଚନ ମୋଦୀ ବନାମ କେଜ୍ରିୱାଲ ହେବ ବୋଲି ସେ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)ର ମୁଖ୍ୟ କେଜ୍ରିୱାଲଙ୍କୁ ଭୟଭୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କୌଶଳ ପ୍ରୟୋଗ କରୁଛନ୍ତି। ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଅଟକାଇବାକୁ ଚାହୁଁଛନ୍ତି ଯାହାଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ନୀତି ବିଷୟରେ ସାରା ବିଶ୍ବ ଆଲୋଚନା କରୁଛି। କେଜ୍ରିୱାଲ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା ବେଳେ ମୋଦୀ କେବଳ ଧନୀମାନଙ୍କ ପାଇଁ କାମ କରନ୍ତି।

ତାଙ୍କ କହିବା ମୁତାବକ, ନ୍ୟୁୟର୍କ ଟାଇମ୍ସରେ କରୋନା କାଳରେ ଗଙ୍ଗା କୂଳରେ ଜଳୁଥିବା ଶବଗୁଡ଼ିକର ଫଟୋ ଛପା ଯାଇଥିଲା। ବର୍ତ୍ତମାନ ଆମର ଶିକ୍ଷା ନୀତିର ଫଟୋ ନ୍ୟୁୟର୍କ ଟାଇମ୍ସରେ ମୁଦ୍ରିତ ହୋଇଛି। ଦେଶବାସୀ ଏହା ପାଇଁ ଗର୍ବିତ ଅଛନ୍ତି। କିନ୍ତୁ ବିଜେପି ଏହି କଥାକୁ ପସନ୍ଦ କରୁନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ବିଜେପି ସହିପାରୁନାହିଁ।

ସମ୍ବନ୍ଧିତ ଖବର