୯୯ ବର୍ଷୀୟ ଯୋଦ୍ଧା କରୋନା ଭାଇରସ୍‌କୁ ପରାଜିତ କଲେ

ନୂଆଦିଲ୍ଲୀ : ଦ୍ବିତୀୟ ବିଶ୍ବଯୁଦ୍ଧରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ବ୍ରାଜିଲ ସେନାବାହିନୀର ଲେଫ୍ଟନାଣ୍ଟ କମାଣ୍ଡର ଏର୍‌ମାଣ୍ଡୋ ପିଭେଟା କରୋନା ଭାଇରସକୁ ମଧ୍ୟ ପରାଜିତ କରି ପାରିଛନ୍ତି। ୯୯ ବର୍ଷୀୟ ଏର୍‌ମାଣ୍ଡୋ ବ୍ରାଜିଲର ସବୁଠୁ ବୟସ୍କ ବ୍ୟକ୍ତି ଭାବେ କରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇ ମଧ୍ୟ ଭାଇରସକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ସେ କହିଛନ୍ତି, ବିଶ୍ବଯୁଦ୍ଧ ବିଜୟୀ ହେବା ତାଙ୍କ ପାଇଁ ଯେତିକି ଆହ୍ବାନ ଥିଲା, କରୋନା ଭଳି ଅଦୃଶ୍ୟ ଶକ୍ତିକୁ ଜୟ କରିବା ତା’ଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ଯୁଦ୍ଧରେ ମରିବା କିମ୍ବା ମାରିବା ଭଳି ସ୍ଥିତି ଥାଏ, ମାତ୍ର ଏହି ଯୁଦ୍ଧରେ କେବଳ ମରିବାର ଭୟ ସବୁବେଳେ ରହିଛି। ତେବେ କରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇ ମଧ୍ୟ ଏଥିରୁ ମୁକ୍ତିଲାଭ କରି ସୁସ୍ଥ ହୋଇ ଫେରିଥିବାରୁ ୯୯ ବୟସ୍କ ଏହି ବିଶ୍ବଯୁଦ୍ଧ ଲେପ୍‌ଟନାଣ୍ଟ କମାଣ୍ଡରଙ୍କ ମନୋବଳ ଅଧିକ ଶକ୍ତ ହୋଇଛି। ଏର୍‌ମାଣ୍ଡୋ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ଘଟଣା ସମଗ୍ର ବ୍ରାଜିଲ ପାଇଁ ଏକ ବଡ଼ ଖବର ପାଲଟିଛି। ଗତ ଦୁଇ ସପ୍ତାହ ତଳେ ଏର୍‌ମାଣ୍ଡୋଙ୍କର କୋଭିଡ-୧୯ ପଜିଟିଭ ଆସିଥିଲା। ତାଙ୍କୁ ବ୍ରାଜିଲର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ଆଇସିୟୁରେ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସବୁଠୁ ବଡ଼ କଥା ହେଉଛି, ସେ ଭେଣ୍ଟିଲେଟର ଆବଶ୍ୟକ କରି ନଥିଲେ। ଏର୍‌ମାଣ୍ଡୋ ବ୍ରାଜିଲ ସେନାବାହିନୀର ଜଣେ ଲେଫ୍ଟନାଣ୍ଟ ‌କମାଣ୍ଡର ଭାବେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାଗ ନେଇ ଆଫ୍ରିକାରେ ଲଢେଇ କରିଥିଲେ। ତେବେ ଏବେ ସେ କରୋନା ଭାଇରସ ସହ ଲଢେଇ କରି ବିଜୟୀ ହେବା ଖବର ସମଗ୍ର ବ୍ରାଜିଲ ପାଇଁ ଶୁଭ ସମାଚାର ପାଲଟିଛି।

ସମ୍ବନ୍ଧିତ ଖବର