ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ‘ଆପ୍’ ମଧ୍ୟ ଏକ ଅଭିଯୁକ୍ତ : ଇଡି

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ଦୁର୍ନୀତିରେ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଅଭିଯୁକ୍ତ କରିବ। ମଙ୍ଗଳବାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଏହା କହିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତିରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ଅଭିଯୁକ୍ତ କରାଯିବ ଏବଂ ଏ ସଂକ୍ରାନ୍ତରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ କହିଛନ୍ତି। ଇଡି ଦିଲ୍ଲୀ ହାଇକୋର୍ଟଙ୍କୁ ଏହା ମଧ୍ୟ କହିଛି ଯେ ଅନେକ ଅଭିଯୁକ୍ତ ମାମଲାର ଶୁଣାଣିରେ ବିଳମ୍ବ କରିବାକୁ ଚେଷ୍ଟା କରୁଛନ୍ତି।

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ୍ ସାଂସଦ ସଞ୍ଜୟ ସିଂହ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ସଞ୍ଜୟ ସିଂହ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଥିବା ବେଳେ ମନୀଷ ସିସୋଦିଆ ଏବେ ବି ଜେଲରେ ଅଛନ୍ତି।

ସୂଚନା ଅନୁଯାୟୀ, ୨୦୨୧ ରେ ଦିଲ୍ଲୀ ସରକାର ଏକ ନୂଆ ଅବକାରୀ ନୀତି ପ୍ରଣୟନ କରିଥିଲେ। ୨୦୨୨ ବେଳକୁ ଅବକାରୀ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନୀତି ପ୍ରଣୟନ ଓ କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଏଲଜି ଭିକେ ସକ୍ସେନା ସୁପାରିସ କରିଥିଲେ। ଏହାପରେ ସିବିଆଇ ଓ ଇଡି ମଧ୍ୟ ଅନିୟମିତତା ନେଇ ମାମଲା ରୁଜୁ କରିଥିଲେ।

 

ସମ୍ବନ୍ଧିତ ଖବର