ପ୍ରଧାନମନ୍ତ୍ରୀଙ୍କ ଆଗରେ ନଇଁଲେ, ମୋ ଆଗରେ ନୁହେଁ: ଲୋକସଭା ବାଚସ୍ପତିଙ୍କୁ ରାହୁଲଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ସୋମବାର ଦିନ ଗୃହରେ ଏକ ବିତର୍କ ହୋଇଛି। ତେବେ ବାଚସ୍ପତି ରାହୁଲଙ୍କ ପ୍ରଶ୍ନର ଉତ୍ତର ମୁରୁକି ହସି ଦେଇଛନ୍ତି। ପ୍ରକୃତରେ ରାହୁଲ ଗାନ୍ଧୀ ତାଙ୍କୁ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ସମୟରେ ସେ (ବିର୍ଲା) କାହିଁକି ତାଙ୍କ ଆଗରେ ନଇଁ ପ୍ରଣାମ କଲେ?। ଆପଣ ଗୃହର ମୁଖ୍ୟ। ଆପଣ କାହା ଆଗରେ ନଇଁବା ଆପଣଙ୍କ ପଦମର୍ଯ୍ୟାଦା ଦୃଷ୍ଟିରୁ ଠିକ୍ ନୁହେଁ।

ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ଆପଣ ମୋ ସହ ହାତ ମିଳାଇଲେ, ମୁଁ ଗୋଟିଏ କଥା ଲକ୍ଷ୍ୟ କଲି ଯେ ସେତେବେଳେ ଆପଣ ସିଧା ଠିଆ ହୋଇଥିଲେ। କିନ୍ତୁ ଯେତେବେଳେ ଆପଣ ମୋଦୀଜୀଙ୍କ ସହ ହାତ ମିଳାଇଲେ, ଆପଣ ତାଙ୍କ ଆଗରେ ନଇଁ ପ୍ରଣାମ କରୁଥିଲେ।

ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନରେ କରତାଳି ଦେଇ ଖୁସି ବ୍ୟକ୍ତ କରିଥିବାବେଳେ ଏନଡିଏ ସାଂସଦମାନେ ଏହାକୁ ବିରୋଧ କରିଥି‌ଲେ। ଗୃହମନ୍ତ୍ରୀ ଅମିତ ଶାହା ଠିଆ ହୋଇ କହିଥିଲେ ଏହା ବାଚ‌ସ୍ପତିଙ୍କ ଆସନ ବି‌ରୋଧରେ ପ୍ରତ୍ୟକ୍ଷ ଅଭିଯୋଗ।

ତେବେ ଲୋକସଭା ବାଚସ୍ପତି ଓମ ବିର୍ଲା ମୁରୁକି ହସି ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେଇଥିଲେ। ସେ କହିଥିଲେ ମୋର ସଂସ୍କୃତି ଏବଂ ମୂଲ୍ୟବୋଧ କହୁଛି ଯେ ବ୍ୟକ୍ତିଗତ ଜୀବନରେ କିମ୍ବା ସାଧାରଣ ଜୀବନରେ ଏବଂ ଏପରିକି ଏହି ଆସନରେ ଥିବା ସମୟରେ ମଧ୍ୟ ଆମଠାରୁ ବୟସ୍କ ବ୍ୟକ୍ତିଙ୍କୁ ପ୍ରଣାମ କରିବା ଏବଂ ଆବଶ୍ୟକ ସ୍ଥଳେ ପାଦ ଛୁଇଁବା ଉଚିତ୍।

ସେହିପରି, ତୁମ ସହିତ ସମାନ କିମ୍ବା ବୟସରେ ତୁମଠାରୁ ସାନ ଥିବା ଲୋକଙ୍କୁ ଆବଶ୍ୟକୀୟ ବ୍ୟବହାର କରିବା ଜରୁରୀ ବୋଲି ମୁଁ ଶିଖିଛି। ପ୍ରଧାନମନ୍ତ୍ରୀ ଗୃହର ନେତା ଏବଂ ସେ ମୋଠାରୁ ବୟସରେ ବଡ ତେଣୁ ମୁଁ ମୋର ମୂଲ୍ୟବୋଧକୁ ଅନୁସରଣ କରିଛି ବୋଲି ବାଚସ୍ପତି କହିଛନ୍ତି।

ସମ୍ବନ୍ଧିତ ଖବର