ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନ ଖସାଇଲା ବିଏସ୍‌ଏଫ୍‌

ଅମ୍ରିତସର: ଭାରତୀୟ ସୀମା ଭିତରେ ପ୍ରବେଶ କରିଥିବା ପାକିସ୍ତାନ ଡ୍ରୋନକୁ ସୀମା ସୁରକ୍ଷା ବଳ ଗୁଳି କରି ଖସାଇ ଦେଇଛି। ରବିବାର ରାତି ପ୍ରାୟ ୯.୧୫ରେ ସୀମା ସୁରକ୍ଷା ବଳର ୨୨ ବାଟାଲିଅନର ଯବାନମାନେ ରାନିଆ ବୋର୍ଡର ଆଉଟପୋଷ୍ଟରେ ପଇଁତରା ମାରୁଥିବାବେଳେ ପାକିସ୍ତାନ ଡ୍ରୋନଟି ଭାରତୀୟ ସୀମା ଭିତରେ ପ୍ରବେଶ କରିଥିଲା। ଡ୍ରୋନକୁ ଦେଖୁ ଦେଖୁ ବିଏସ୍‌ଏଫ୍‌ ଯବାନମାନେ ତତ୍‌କ୍ଷଣାତ ଗୁଳି ଚଳାଇଥିଲେ। ୧୨ କେଜି ଓଜନର ଏହି ଡ୍ରୋନଟି ଖସି ପଡିଥିଲା।

ତେବେ ଏହି ଡ୍ରୋନଟି କ’ଣ ପାଇଁ ଭାରତ ସୀମା ଭିତରେ ପ୍ରବେଶ କରିଥିଲା ତାହାର ଅନୁସନ୍ଧାନ ଚାଲିଥିବାବେଳେ ଗତ ୩ ଦିନ ଭିତରେ ଏହା ଥିଲା ଦ୍ବିତୀୟ ଡ୍ରୋନ। ଗତ ଶୁକ୍ରବାର ପଞ୍ଜାବର ଗୁରୁଦାସପୁର କ୍ଷେତ୍ରରେ ଏଭଳି ଗୋଟିଏ ପାକିସ୍ତାନ ଡ୍ରୋନ ପ୍ରବେଶ କରିଥିଲା। ତାକୁ ତତକ୍ଷଣାତ ଖସାଇ ଦିଆଯାଇଥିଲା। ତେବେ ବିଏସ୍‌ଏଫ୍‌ ଅଧିକାରୀମାନଙ୍କ କହିବାନୁଯାୟୀ ଗତ ୯ ମାସ ଭିତରେ ୧୯୧ ପାକିସ୍ତାନ ଡ୍ରୋନ ଭାରତୀୟ ସୀମା ଭିତରେ ପ୍ରବେଶ କରିଥିବା ଠାବ କରାଯାଇଛି। ଏଥିରୁ ୧୭୧ ଡ୍ରୋନ ଭାରତ – ପାକିସ୍ତାନ ସୀମା ଦେଇ ପଞ୍ଜାବ ସେକ୍ଟରରେ ପ୍ରବେଶ କରିଥିବାବେଳେ ଆଉ ୨୦ ଡ୍ରୋନ ଜାମୁ ସେକ୍ଟରରେ ପ୍ରବେଶ କରିଛି। ତେବେ ଏଭଳି ଡ୍ରୋନ ଭାରତରେ ପ୍ରବେଶ କରୁଥିବାରୁ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦର ସମ୍ଭାବନା ଥିବା ସ୍ପଷ୍ଟ ହେଉଛି। ତଥାପି ଭାରତର ସୀମା ସୁରକ୍ଷା ବଳ ଏଥିପ୍ରତି ସଜାଗ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର