ଜାନୁଆରି ୩୧ରୁ ବଜେଟ୍‌ ଅଧିବେଶନ; ଦୁଇଗୁଣ ହୋଇପାରେ ମହିଳା ଚାଷୀଙ୍କ ଆୟ

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ସଂସଦ ଏବେଠାରୁ ପ୍ରସ୍ତୁତ ହେଲାଣି। ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନୀ ଦିବସରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି‌ବେ। ଅଧିବେଶନରେ ଏଥର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଅନୁମାନ କରାଯାଉଛି।

ଅଧିବେଶନ ପାଇଁ ସଂସଦ ପ୍ରସ୍ତୁତ ହେଉଥିବା ବେଳେ ଏହାରି ମଧ୍ୟରେ ଏକ ବଡ଼ ସୂଚନା ମଧ୍ୟ ହସ୍ତଗତ ହୋଇଛି। ସୂଚନା ରହିଛି ଯେ ଅଧିବେଶନରେ ମହିଳା ଚାଷୀମାନଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ ଦ୍ବିଗୁଣ ହୋଇପାରେ।

ଆପଣଙ୍କର ମନେଥିବ ଯେ, କିଛି ଦିନ ପୂର୍ବେ ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଥିଲା ​​କି  ଜମିର ମାଲିକ ଥିବା ମହିଳା ଚାଷୀଙ୍କ ବାର୍ଷିକ ଦେୟ ଦ୍ୱିଗୁଣିତ କରି ୧୨ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି।

ଆଗାମୀ ‌ଦିନରେ ହେବାକୁ ଥିବା ବଜେଟରେ ଏହି ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି ଏବଂ ସରକାରଙ୍କର ଏଥିପାଇଁ ଅତିରିକ୍ତ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ନ୍ୟୁଜ୍ ଏଜେନ୍ସିର ରିପୋର୍ଟରେ ଦର୍ଶାଯାଇଛି।

ଏହା ଯଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ମଧ୍ୟବର୍ତ୍ତୀ ବଜେଟରେ ପାରିତ ହୁଏ, ତେବେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମହିଳା କୃଷି ଶ୍ରମିକମାନଙ୍କୁ ସଶକ୍ତିକରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ। ତେବେ ଆୟକର ନିୟମରେ ବଡ଼ ପରିବର୍ତ୍ତନ ଆଗାମୀ ମଧ୍ୟବର୍ତ୍ତୀ ବଜେଟରେ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର