ଜାନୁଆରି ୨୨ରେ ଅଧା ଦିନର ଛୁଟି ଘୋଷଣା କରି ମନ୍ତ୍ରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାମ ମନ୍ଦିରର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି।  ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖ‌ରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି କି, କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି।

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଅବସରରେ ସମ୍ପୂର୍ଣ୍ଣ ଭାରତରେ ସମସ୍ତ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଜାନୁଆରି ୨୨ ତାରିଖ ଦ୍ବିପହର ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ ଅଧାଦିନ ପର୍ଯ୍ୟନ୍ତ ଛୁଟି ରହିବ। ଏହା ଏଥିପାଇଁ ନିଷ୍ପତ୍ତି ନିଆଯାଇଛି କି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଜନସାଧାରଣ ସୁବିଧାରେ ଦେଖି ପାରିବେ।

ମନ୍ଦିର ଉଦଘାଟନକୁ ଅଳ୍ପ କିଛିଦିନ ବାକି ରହିଥିବା ବେଳେ ଏହାର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରୀଙ୍କ ମତାମତ ନେଇଛନ୍ତି। ଏଥିସହିତ ମନ୍ତ୍ରୀମାନଙ୍କୁଜାନୁଆରି ୨୨ ତାରିଖ ଦିନ ଦୀପାଳି ଭଳି ଉତ୍ସବ ପାଳନ ପାଇଁ କୁହାଯାଇଛି।

କେବଳ ଏତିକି ନୁହେଁ ଲୋକଙ୍କୁ  ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଘରେଘରେ ଦୀପ ଜାଳିବା ପାଇଁ କୁହାଯାଇଛି। ଏଥିସହିତ ମନ୍ତ୍ରୀମାନଙ୍କୁ ନିଜନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଜାନୁଆରି ୨୨ ତାରିଖ‌ ପରେ  ଟ୍ରେନଯୋଗେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର