ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ପୋଙ୍ଗଲ ପାଳନ ପାଇଁ ନିମନ୍ତ୍ରଣପତ୍ରକୁ ନେଇ ରାଜ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି। ତାମିଲ ଓ ଇଂରାଜୀ ଦୁଇଟି ଭାଷାରେ ଲିଖିତ ଏହି ନିମନ୍ତ୍ରଣପତ୍ରରେ ତାମିଲନାଡ଼ୁକୁ ଦୁଇ ପ୍ରକାର ଲେଖାଯାଇଛି ଏବଂ ଏଥିରେ କେବଳ କେନ୍ଦ୍ର ସରକାରଙ୍କ ପ୍ରତୀକ (ଏମ୍‌ବ୍ଲେମ୍) ଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରତୀକ ନାହିଁ।

Advertisment

ତାମିଲ ଭା‌ଷାରେ ଲଖିତ ନିମନ୍ତ୍ରଣପତ୍ରରେ ତାମିଲନାଡ଼ୁକୁ ତାମିଲଗାମ୍ ଲେଖାଯାଇଥିବା ବେଳେ ଇଂରାଜୀ ଭାଷାରେ ଏହାକୁ ତାମିଲନାଡ଼ୁ ବୋଲି ଲେଖାଯାଇଛି। ପ୍ରାଚୀନକାଳରେ ତାମିଲନାଡ଼ୁକୁ ତାମିଲଗାମ୍ କୁହାଯାଉଥିଲା ଯାହାର ଅର୍ଥ ତାମିଲମାନଙ୍କ ରାଜ୍ୟ। ତାମିଲନାଡ଼ୁ ସରକାରଙ୍କ ଲୋଗୋ ବ୍ୟବହାର ହୋଇ ନ ଥିବାରୁ ମଧ୍ୟ ବିରୋଧର ସ୍ବର ଉଠିଛି।

ସିପିଆଇଏମ୍‌ ସାଂସଦ ସୁ ଭେଙ୍କଟେଶ ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି, ରାଜ୍ୟପାଳଙ୍କ ନିମନ୍ତ୍ରଣପତ୍ରରେ କାହିଁକି ତାମିଲନାଡ଼ୁର ଲୋଗୋ ବ୍ୟବହାର କରାଯାଇ ନାହିଁ? ଗତବର୍ଷର ନିମନ୍ତ୍ରଣପତ୍ରରେ ରାଜ୍ୟର ଲୋଗୋ ଥିଲା, ଏବର୍ଷ କେବଳ କେନ୍ଦ୍ର ସରକାରଙ୍କ ପ୍ରତୀକ ବ୍ୟବହାର କରାଯିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସାଂସଦ କହିଛନ୍ତି ଯେ ରାଜ୍ୟର ଲୋଗୋରେ ତାମିଲନାଡ଼ୁ ଲେଖା ଅଛି, କିନ୍ତୁ ରାଜ୍ୟପାଳ ଏହାକୁ ତାମିଲଗାମ୍ ବୋଲି ଲେଖିଛନ୍ତି। ସେଇଥିପାଇଁ ସେ ରାଜ୍ୟର ଲୋଗୋ ବ୍ୟବହାର କରିନାହାନ୍ତି ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି। ୨୦୨୨ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ରେ ରାଜ୍ୟପାଳ ରବି ରାଜଭବନରେ ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ ଯାହାକୁ ଡିଏମ୍‌କେ ଓ ସହଯୋଗୀ ଦଳଗୁଡ଼ିକ ବର୍ଜନ କରିଥିଲେ। ରାଜ୍ୟପାଳ ନିଟ୍-ବିରୋଧୀ ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ନ ଥିବାରୁ ଡିଏମ୍‌କେ ଓ ସହଯୋଗୀ ଦଳଗୁଡ଼ିକ ତାହାର ମଧ୍ୟ ପ୍ରତିବାଦ କରିଛନ୍ତି। ନିକଟରେ ବିଧାନସଭାରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଓ ଅନୁମୋଦିତ ଲିଖିତ ଭାଷଣକୁ କାଣ୍ଟଛାଣ୍ଟ କରି ପଢ଼ିଥିବାରୁ ତାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା।