ୱାସିଂଟନ: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ସଭ୍ୟତା ପାଇଁ ବିପଦ। ପରମାଣୁ ଯୁଦ୍ଧଠାରୁ ମଧ୍ୟ ଏହା ଭୟଙ୍କର ବୋଲି ବିଶେଷଷଜ୍ଞମାନେ ଯାହା ସତର୍କ କରାଇ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭାବେ ମିଛ ନୁହେଁ। ଆମେରିକା ସେନାରେ ଏକ ସିମୁଲେସନ ପରୀକ୍ଷା ସମୟରେ ଏଆଇ ଦ୍ବାରା ପରିଚାଳିତ ଡ୍ରୋନ ଏହାର ଅପରେଟର ବା ଚାଳକକୁ ହତ୍ୟା କରିଛି। ସିମୁଲେଟେଡେ ମିସନରେ ଏଆଇର ପ୍ରଦର୍ଶନ କିଭଳି ରହୁଛି ତାହାର ପରୀକ୍ଷା କରାଯାଉଥିଲା। ଗୋଟିଏ ଡ୍ରୋନକୁ ଶତ୍ରୁପକ୍ଷର ବାୟୁସେନା ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ବଂସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶତ୍ରୁପକ୍ଷ ଯଦି ମିସନକୁ ପ୍ରତିହତ କରିବାକୁ ଆଗେଇ ଆସେ ତାହେଲେ ତାହାକୁ ପ୍ରତିଆକ୍ରମଣ କରିବା ଲାଗି ପ୍ରୋଗ୍ରାମିଂ କରାଯାଇଥିଲା। କିନ୍ତୁ ଏଆଇ ଡ୍ରୋନ ଅପରେଟରଙ୍କ ପ୍ରୋଗ୍ରାମିଂକୁ ମାନି ନଥିଲା। ମନୁଷ୍ୟର କାର୍ଯ୍ୟକୁ ପ୍ରତିହତ ବୋଲି ଭାବି ଡ୍ରୋନଟି ଅପରେଟରକୁ ମାରି ଦେଇଛି। ଅପରେଟରଙ୍କୁ କ୍ଷତି ନପହଞ୍ଚାଇବା ପାଇଁ ଏଆଇ ଡ୍ରୋନକୁ ତାଲିମ ଦିଆଯାଇଥିଲା। କିନ୍ତୁ ଡ୍ରୋନଟି ଯୋଗାଯୋଗ ଟାୱାରକୁ ପ୍ରଥମେ ଧ୍ବଂସ କରିଥିଲା। ଉକ୍ତ ଯୋଗାଯୋଗ ଟାୱାର ଜରିଆରେ ଅପରେଟର ଡ୍ରୋନକୁ ନିର୍ଦ୍ଦେଶ ଦେଉଥିଲା।
ତେବେ ଆମେରିକା ବାୟୁସେନାର ଏଆଇ ଟେଷ୍ଟ ଓ ଅପରେସନ ମୁଖ୍ୟ କର୍ଣ୍ଣେଲ ଟକର୍ ସିଙ୍କୋ ହାମିଲଟନ କହିଛନ୍ତି ଏସବୁ ସିମୁଲେସନ ଟେଷ୍ଟ ଥିଲା। ତେଣୁ କୌଣସି ପ୍ରକୃତ ବ୍ୟକ୍ତିଙ୍କର କ୍ଷତି ହୋଇନାହିଁ। କର୍ଣ୍ଣେଲ ହାମିଲଟନ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ। ତେବେ ଏଆଇ ଉପରେ ଅତ୍ୟଧିକ ମାତ୍ରାରେ ନିର୍ଭର କରାଯିବାକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଏଆଇ ଏବଂ ଏହାର ନିଷ୍ପତ୍ତି ନେବାର କ୍ଷମତା ସଂପର୍କରେ କିଛି କରିବାକୁ ଯିବାବେଳେ ନୀତିଶାସ୍ତ୍ରକୁ ବିଚାରକୁ ନେବା ଆବଶ୍ୟକ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷରେ ବାୟୁସେନା ପ୍ରବକ୍ତା ଆନ୍ ଷ୍ଟିଫାନେକ୍ ଉକ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ବାୟୁସେନା ବିଭାଗ ଏଭଳି କୌଣସି ଏଆଇ-ଡ୍ରୋନ ସିମୁଲେସନ କରିନାହିଁ ଏବଂ ଏଆଇ ପ୍ରଯୁକ୍ତିର ଦାୟିତ୍ବସଂପନ୍ନ ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଷ୍ଟିଫାନେକ କହିଛନ୍ତି।