ହିନ୍ଦୁ-ମୁସ୍‌ଲିମ ଅଲଗା ନୁହନ୍ତି ସବୁ ଭାରତୀୟଙ୍କ ଡିଏନ୍‌ଏ ଏକ: ମୋହନ ଭାଗବତ

ନୂଆଦିଲ୍ଲୀ: ସବୁ ଭାରତୀୟଙ୍କ ‌ଡିଏନ୍‌ଏ ଏକ। ହିନ୍ଦୁ ହୁଅନ୍ତୁ କି ମୁସ୍‌ଲିମ୍‌, ଧର୍ମ ନିର୍ବିଶେଷରେ ସମସ୍ତ ଭାରତୀୟ ଏକ ବୋଲି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ମୁସ୍‌ଲିମ ରାଷ୍ଟ୍ରୀୟ ମଂଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଉଦ୍‌ବୋଧନ ଦେଇ ଭାଗବତ କହିଛନ୍ତି, ଭାରତ ସର୍ବଦା ଶାନ୍ତି, ସଦ୍‌ଭାବନା ଓ ଏକତାର ମନ୍ତ୍ର ଦେଇ ଆସିଛି। ଭାରତ ବିଶ୍ବଗୁରୁ ହେବା ସାଂପ୍ରତିକ ବିଶ୍ବ ପାଇଁ ଏକ ବଡ଼ ଆବଶ୍ୟକତା, ଅନ୍ୟଥା ବିଶ୍ବ ପାଇଁ ବିପଦ ବଢ଼ିଯିବ ବୋଲି ସେ କହିଛନ୍ତି। ହିନ୍ଦୁ ମୁସ୍‌ଲିମମାନଙ୍କର ପୂଜା କରିବା ପଦ୍ଧତିକୁ ନେଇ ସେମାନଙ୍କ ଭିତରେ କୌଣସି ପ୍ରଭେଦ ଅଛି ବୋଲି ବିଚାରବା ଠିକ୍‌ ନୁହେଁ। ହିନ୍ଦୁ-ମୁସ୍‌ଲିମଙ୍କ ଭିତରେ କୌଣସି ଫରକ ନାହିଁ ଏବଂ ମୁସ୍‌ଲିମମାନେ ଇସ୍‌ଲାମ ପ୍ରତି ବିପଦ ରହିଛି ବୋଲି ଏକ କାଳ୍ପନିକ ଭୟ ଚକ୍ର ଭିତରେ ଫସି ରହିବା ଆଦୌ ଉଚିତ ନୁହେଁ ବୋଲି ଭାଗବତ କହିଛନ୍ତି।

ଭିଡ଼ ଦ୍ବାରା ପିଟି ପିଟି ଲୋକଙ୍କୁ ହତ୍ୟା (ଲିଞ୍ଚିଂ)ରେ ସାମିଲ ହେଉଥିବା ଲୋକେ ହିନ୍ଦୁତ୍ବ ବିରୋଧୀ ଏବଂ ସେମାନେ ମାନବତାର ବିରୋଧୀ ବୋଲି ମତ ଦେଇ ଭାଗବତ କହିଛନ୍ତି ଯେ ଏକତା ବିନା ଦେଶର ବିକାଶ ସମ୍ଭବ ନୁହେଁ। ଏକତାର ଆଧାର ରାଷ୍ଟ୍ରବାଦ ହେବା ଉଚିତ ବୋଲି ସେ କହିଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏଠାରେ ହିନ୍ଦୁ କିମ୍ବା ମୁସ୍‌ଲିମଙ୍କର ଆଧିପତ୍ୟ ରହିପାରିବ ନାହିଁ। ଏଠାରେ କେବଳ ଭାରତୀୟମାନଙ୍କର ହିଁ ପ୍ରାଧାନ୍ୟ ଚାଲିବ ବୋଲି ଭାଗବତ କହିଛନ୍ତି। ହିନ୍ଦୁସ୍ତାନ ଗୋଟିଏ ରାଷ୍ଟ୍ର ଏବଂ ସମ୍ବିଧାନ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛି। ତେଣୁ ମୁସ୍‌ଲିମ ସଂପ୍ରଦାୟ କାହାକୁ ଭୟ ନକରି ଏକତାର ରାସ୍ତାରେ ଚାଲିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର