ବଢ଼ିଲା ପୋଷ୍ଟାଲ ବାଲଟ୍ ସଂଖ୍ୟା: ୨୦୧୯ରେ ୩୦ ଲକ୍ଷ ଲୋକ ଡାକ ମାଧ୍ୟମରେ ମତଦାନ କରିଥିଲେ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଲୋକସଭା ନିର୍ବାଚନଗୁଡ଼ିକରେ ପୋଷ୍ଟାଲ ବାଲଟ୍ ସଂଖ୍ୟା ବଢ଼ିବା ଦେଖାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ସଦ୍ୟତମ ରାଜ୍ୟ ନିର୍ବାଚନଗୁଡ଼ିକରେ ପୋଷ୍ଟାଲ ବାଲଟ୍‌ର ଅଂଶ ଅଧିକ ରହିଛି। ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ପୋଷ୍ଟାଲ ଭୋଟ୍ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୩୦ ଲକ୍ଷ ଭୋଟର ଡାକ ମାଧ୍ୟମରେ ମତଦାନ କରିଥିଲେ, ଯାହା କି ମୋଟ ଭୋଟ୍‌ର ୦.୫ ପ୍ରତିଶତ ଥିଲା। ୨୦୦୯ ମସିହାରେ ୧ ନିୟୁତରୁ କମ୍ ପୋଷ୍ଟାଲ ଭୋଟ୍ ପଡ଼ିଥିବା ବେଳେ ସାଧାରଣ ନିର୍ବାଚନରେ ମିଳିଥିବା ପୋଷ୍ଟାଲ ଭୋଟ୍ ଅନୁପାତ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏକ ସରକାରୀ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ୨୦୧୪ରେ ସର୍ଭିସ ଭୋଟିଂ ହାର ମାତ୍ର ୪ ପ୍ରତିଶତ ଥିଲା। ଏଥିମଧ୍ୟରୁ ପ୍ରାୟ ତିନିଚତୁର୍ଥାଂଶ ପୋଷ୍ଟାଲ ବାଲଟ୍ ମାତ୍ର ୧୧ଟି ରାଜ୍ୟରୁ ଆସିଛି।

ଭାରତର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରୁ ୧୧ ପ୍ରତିଶତରୁ ଅଧିକ ପୋଷ୍ଟାଲ ବାଲଟ୍ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୧୦.୩ ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରୁ ୯.୭ ପ୍ରତିଶତ, ତାମିଲନାଡ଼ୁରୁ ୮.୩ ପ୍ରତିଶତ, ରାଜସ୍ଥାନରୁ ୭.୯ ପ୍ରତିଶତ ଏବଂ ଗୁଜରାଟରୁ ୭ ପ୍ରତିଶତ ପୋଷ୍ଟାଲ ବାଲଟ୍ ପଡ଼ିଛି। ସେହିପରି ମୋଟ ପୋଷ୍ଟାଲ ବାଲାଟ୍‌ର ୩ରୁ ୬ ପ୍ରତିଶତ ବିହାର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଓଡ଼ିଶା, ମଧ୍ୟପ୍ରଦେଶ ଓ କେରଳରୁ ଆସିଛି। ୨୦୨୩ରେ ବିଧାନସଭା ନିର୍ବାଚନ ହୋଇଥିବା ୯ଟି ରାଜ୍ୟରେ ୧.୭ ନିୟୁତ ପୋଷ୍ଟାଲ ଭୋଟ୍ ପଡ଼ିଥିଲା, ଯାହା ମୋଟ ଭୋଟ୍ ସଂଖ୍ୟାର ପ୍ରାୟ ୧ ପ୍ରତିଶତ।

ସମ୍ବନ୍ଧିତ ଖବର