ଭାରତୀୟଙ୍କ ବିଦେଶ ବୁଲା ସଉକ: ୧୦ ବର୍ଷରେ ଖର୍ଚ୍ଚ ୨୯ ଗୁଣା ବୃଦ୍ଧି

ମୁମ୍ବାଇ: ବ୍ୟବସାୟ କାର୍ଯ୍ୟ ହେଉ ଅଥବା ପାଠପଢ଼ା। ଭ୍ରମଣ ଉଦ୍ଦେଶ୍ୟ ହେଉ କିମ୍ବା ସମ୍ପର୍କୀୟଙ୍କ ଘରକୁ ବୁଲିଯିବା। ଏହି ସବୁ କାର୍ଯ୍ୟରେ ଭାରତୀୟମାନେ ବିଦେଶ ଯାଉଥିବା ବେଳେ ସେଠାରେ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଦଶନ୍ଧି ଭିତରେ ବିଦେଶରେ ଭାରତୀୟଙ୍କ ଖର୍ଚ୍ଚରେ ୨୯ ଗୁଣା ବୃଦ୍ଧି ଘଟିଛି। ଭାରତୀୟମାନେ ବିଦେଶରେ କରିଥିବା ଖର୍ଚ୍ଚରେ ଭ୍ରମଣର ଭାଗ ୫୩.୬ ପ୍ରତିଶତ ରହିଛି। ସମ୍ପର୍କୀୟଙ୍କ ଭରଣପୋଷଣରେ ସେମାନେ ୧୫.୯ ପ୍ରତିଶତ, ଉପହାର ବାବଦରେ ୧୧.୩ ପ୍ରତିଶତ ଏବଂ ପିଲାଙ୍କ ପାଠପଢ଼ାରେ ୧୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି।

୨୦୧୩-୧୪ରେ ବିଦେଶରେ ଭାରତୀୟମାନେ କରିଥିବା ଖର୍ଚ୍ଚ ୧୧୦ କୋଟି ଡଲାର ଥିଲା। ୨୦୨୩-୨୪ରେ ସେହି ଖର୍ଚ୍ଚ ୩୧୭୦ କୋଟି ଡଲାରକୁ ବୃଦ୍ଧି ପାଉଛି। ଲୋକମାନେ ବିଦେଶ ଭ୍ରମଣ ବେଳେ ଅଧିକ ଖର୍ଚ୍ଚ କରୁଥିବା ଜଣାପଡ଼ିଛି। ୨୦୧୩-୧୪ରେ ବିଦେଶରେ ଥିବା ଭାରତୀୟମାନେ ୭୦୦୦ କୋଟି ଡଲାର ଭାରତକୁ ପଠାଇଥିଲେ। ୨୦୨୩-୨୪ ସୁଦ୍ଧା ସେହି ରାଶି ୭୧ ପ୍ରତିଶତ ବୃଦ୍ଧି ପାଇ ୧୨,୦୦୦ କୋଟି ଡଲାରରେ ପହଞ୍ଚିଛି।
ବିଦେଶରୁ ପାଣ୍ଠି ହାସଲ କରିବାରେ ସାରା ବିଶ୍ବରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ମେକ୍ସିକୋ ଯେତିକି ପାଣ୍ଠି ପାଉଛି ତା’ଠାରୁ ଦୁଇ ଗୁଣା ଅଧିକ ପାଣ୍ଠି ଭାରତ ପାଉଛି। ବ୍ୟାଙ୍କ ଅଫ୍ ବରୋଦାର ଏକ ରିପୋର୍ଟ ଅନୁସାରେ ଗତ ଦଶନ୍ଧିରେ ଭାରତକୁ ଆସିଥିବା ପାଣ୍ଠିରେ ବାର୍ଷିକ ୫ ପ୍ରତିଶତ ବୃଦ୍ଧି ହୋଇଛି ଯାହା ବିଶ୍ବର ହାରାହାରି ହାର ୪ ପ୍ରତିଶତଠାରୁ ଅଧିକ। ତେ‌ବେ ପାଣ୍ଠି ପାଇବାରେ ବାର୍ଷିକ ଅଭିବୃଦ୍ଧି ହାର ମେକ୍ସିକୋରେ ସର୍ବାଧିକ ୧୦ ପ୍ରତିଶତ ରହିଛି। ଫଳରେ ଏହା ଚୀନ୍‌କୁ ଅତିକ୍ରମ କରି ବିଶ୍ବ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।

ଭାରତକୁ ଆସୁଥିବ‌ା ପାଣ୍ଠିର ସବୁଠୁ ବଡ଼ ଉତ୍ସ ଆମେରିକା ହୋଇଥିବା ବେଳେ ଏହା ପଛକୁ ରହିଛନ୍ତି ଜର୍ମାନୀ, ବ୍ରିଟେନ୍ ଓ ରୁଷିଆ। ଆରବୀୟ ରାଷ୍ଟ୍ରଗୁଡ଼ିକରୁ ଆସୁଥିବା ପାଣ୍ଠି ପରିମାଣ ହ୍ରାସ ପାଇଛି। ତୈଳ ବଜାରରେ ସ୍ଥିରତା ଫେରିଲେ ସେଥିରେ ସୁଧାର ଘଟିବ ବୋଲି ଆଶା କରାଯାଉଛି। ଅନ୍ୟ ପକ୍ଷରେ, ଭାରତର ମଧ୍ୟବିତ୍ତ ପରିବାରର ଲୋକମାନେ ଜୀବନକୁ ଭଲ ଭାବେ ଉପଭୋଗ କରିବା ଲାଗି ବିଦେଶ ଭ୍ରମଣ କରୁଛନ୍ତି। ସେଥିପାଇଁ ସେମାନଙ୍କ ପରିବାର ଖର୍ଚ୍ଚରେ ବୃଦ୍ଧି ହାଇଛି।

ସମ୍ବନ୍ଧିତ ଖବର