କିଛି ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି, ଏସସିଓ ବୈଠକରେ ପାକିସ୍ତାନର ନାମ ନ ନେଇ ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀ ବୈଠକରେ ଯୋଗ ଦେଇଛନ୍ତି | ଏହି ବୈଠକରେ ଋଷ ଏବଂ ଚୀନ୍ ସମେତ ଏସସିଓ ସଦସ୍ୟ ଦେଶମାନେ ଅଂଶଗ୍ରହଣ କରିଥିଲେ | ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ସମୟରେ ବିଶ୍ୱ ବିବାଦ, ଉତ୍ତେଜନା ଏବଂ ମହାମାରୀ ଦ୍ୱାରା ଘେରି ରହିଛି, ଏଭଳି ପରିସ୍ଥିତିରେ ଆମକୁ ଏକାଠି କାମ କରିବାକୁ ପଡିବ। ସେ ଏସସିଓରେ ସଂସ୍କାର ଆଣିବାକୁ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ନାମ ନ ନେଇ ବର୍ଷିଥିଲେ | ସେ କହିଥିଲେ ଯେ ଆତଙ୍କବାଦ କ୍ଷେତ୍ରୀୟ ଓ ବିଶ୍ୱର ଶାନ୍ତି ପାଇଁ ବିପଦ ହୋଇଥିବାବେଳେ ଏହାକୁ ମୁକାବିଲା ପାଇଁ ନିର୍ଣ୍ଣାୟକ ପଦକ୍ଷେପର ଆବଶ୍ୟକତା ରହିଛି |

ଆତଙ୍କବାଦ ଯେକୌଣସି ରୂପରେ ହୋଇପାରେ, ଯେକୌଣସି ପ୍ରକାରେ ଆମକୁ ଏହା ବିରୋଧରେ ଲଢ଼ିବାକୁ ପଡିବ | କେତେକ ଦେଶ ସୀମା ଆତଙ୍କବାଦକୁ ସେମାନଙ୍କ ନୀତିର ସାଧନ ଭାବରେ ବ୍ୟବହାର କରନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦିଅନ୍ତି । ଏଭଳି ଦେଶକୁ ସମାଲୋଚନା କରିବାକୁ ଏସସିଓ କୁଣ୍ଠାବୋଧ କରିବା ଉଚିତ୍ ନୁହେଁ। ଆଫଗାନିସ୍ତାନ ପ୍ରସଙ୍ଗରେ ମୋଦୀ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ଆମ ସମସ୍ତଙ୍କ (ଦେଶ) ର ସୁରକ୍ଷା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ଆଫଗାନିସ୍ତାନ ସମ୍ବନ୍ଧରେ ଭାରତର ଚିନ୍ତା ଏବଂ ଆଶା ଅଧିକାଂଶ ଏସସିଓ ସଦସ୍ୟ ଦେଶମାନଙ୍କ ସହିତ ସମାନ | ଆଫଗାନିସ୍ତାନର ଲୋକଙ୍କ କଲ୍ୟାଣ ପାଇଁ ଆମକୁ ମିଳିତ ପ୍ରୟାସ କରିବାକୁ ପଡିବ। ପଡୋଶୀ ଦେଶରେ ଅଶାନ୍ତି ସୃଷ୍ଟି କରିବା କିମ୍ବା ଉଗ୍ରବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆଫଗାନିସ୍ତାନର ଭୂମି ବ୍ୟବହାର କରାଯିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର