ମୋ ସ୍ତ୍ରୀକୁ ମୋତେ ଫେରାଇଦିଅ, ମୋଦୀଙ୍କୁ ଅନୁରୋଧ କଲେ ପାକିସ୍ତାନ ଯୁବକ

ନୂଆଦିଲ୍ଲୀ: ପବଜି ଖେଳୁଖେଳୁ ଭାରତୀୟ ଯୁବକଙ୍କୁ ଭଲ ପାଇବସିଲେ ପାକିସ୍ତାନର ଜଣେ ମହିଳା | ଆଉ ନିଜ ପିଲାମାନଙ୍କ ସହ ଭାରତ ଚାଲି ଆସିଲେ | ତେବେ ନିଜ ପତ୍ନୀଙ୍କୁ ଫେରି ପାଇବାକୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ମହିଳାଙ୍କ ସ୍ୱାମୀ | ମିଳିଥିବା ସୂଚନା ମୁତାବକ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡି ପାକିସ୍ତାନରୁ ନୋଏଡା ଚାଲିଆସିଥିବା ସୀମା ହାଇଦରଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ବାସ୍ତବରେ ବେଆଇନ ଭାବେ ଭାରତରେ ରହୁଥିବା ଅଭିଯୋଗରେ ଜୁଲାଇ ୪ରେ ପୁଲିସ ସୀମାଙ୍କୁ ଗିରଫ କରିଥିଲା | ଆଉ ଏବେ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ସ୍ୱାମୀ ଗୁଲାମ ହାଇଦର ସୀମା ଏବଂ ପିଲାମାନଙ୍କୁ ପାକିସ୍ତାନକୁ ପଠାଇବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ସୀମାଙ୍କ ସ୍ୱାମୀ ସାଉଦି ଆରବରୁ ଏକ ଭିଡିଓ ଜାରି କରି ମୋଦୀ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି।

ପାକିସ୍ତାନୀ ମହିଳା ସୀମା ତିନି ଦେଶର ସୀମା ଅତିକ୍ରମ କରି ଭାରତୀୟ ଯୁବକ ସଚିନଙ୍କୁ ଭେଟିବା ପାଇଁ ଗ୍ରେଟର ନୋଏଡାରେ ପହଞ୍ଚିଥିଲେ। ମହିଳାଙ୍କ ସହ ଚାରି ସନ୍ତାନ ମଧ୍ୟ ଥିଲେ | ପାକିସ୍ତାନୀ ମହିଳା ସଚିନଙ୍କ ସହ ଗ୍ରେଟର ନୋଏଡାରେ ପ୍ରାୟ ଏକ ମାସ ରହିଥିଲେ। ଏହି ରହସ୍ୟ ପଦାକୁ ଆସିବା ପରେ ସଚିନ୍ ଏବଂ ପାକିସ୍ତାନୀ ମହିଳାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପାକିସ୍ତାନୀ ମହିଳାଙ୍କ ସ୍ୱାମୀ ଗୁଲାମ ହାଇଦର ଏହି ଭିଡିଓ ଜାରି କରି ନରେନ୍ଦ୍ର ମୋଦୀ ସରକାରଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ସାଉଦି ଆରବରୁ ଏହି ଭିଡିଓ ରିଲିଜ୍ କରି ଗୁଲାମ ହାଇଦର କହିଛନ୍ତି ଯେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ପାକିସ୍ତାନକୁ ପଠାଇଦିଅନ୍ତୁ । ସେ କହିଛନ୍ତି ଯେ ସୀମାଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା | ସୀମା ତାଙ୍କର ଘର ବିକି ସୁନାଗହଣା ନେଇ ଛୁଆମାନଙ୍କ ସହ ଚାଲିଯାଇଛନ୍ତି | ଏବେ ସେ ଗିରଫ ହୋଇଥିବାର ଗଣମାଧ୍ୟମରୁ ସୂଚନା ପାଇଛନ୍ତି। ତେଣୁ ତାଙ୍କ ପତ୍ନୀ ଓ ଛୁଆଙ୍କୁ ପାକିସ୍ତାନକୁ ପଠାଇଦେବାକୁ ସେ ଅନୁରୋଧ କରିଛନ୍ତି |

ସମ୍ବନ୍ଧିତ ଖବର