ଖାଇବା ପ୍ଲେଟ୍‌ରେ ବି ରାଜନୀତି: ମାଛ, ଉପମା ଓ ରାଜନୀତି

ନୂଆଦିଲ୍ଲୀ: ‘ଆଜିକାଲି ଯେତେବେଳେ ଆମେ ବଡ଼ ବଡ଼ ହୋଟେଲକୁ ଖାଇବାକୁ ଯାଇଥାଉ, ସେମାନେ ପ୍ରଥମେ କିଛି ଆପେଟାଇଜର (କ୍ଷୁଧାବର୍ଦ୍ଧକ) ଦେଇଥାନ୍ତି। ତେଣୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କରିଛି ତାହା ଏକ ଆପେଟାଇଜର। ମୁଖ୍ୟ ଖାଦ୍ୟ ଏପର୍ଯ୍ୟନ୍ତ ଆସିନାହିଁ’ ବୋଲି ରାଜସ୍ଥାନର ଚୁରୁରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଖାଦ୍ୟ ଓ ରାଜନୀତି ଏକା ସାଙ୍ଗରେ ଚାଲିବା କୌଣସି ନୂଆ କଥା ନୁହେଁ, କାରଣ ଏହି ନିର୍ବାଚନ ଋତୁ ଆମକୁ ଏକାଧିକ ଉପାୟରେ ଏହା ଜଣାଇଦେଇଛି। ଅନେକ ସମୟରେ କୁହାଯାଏ ଯେ ବ୍ୟକ୍ତିର ହୃଦୟକୁ ତା’ର ପେଟ ଦେଇ ଯାଇହୁଏ। ତେଣୁ ଭୋଟରଙ୍କ ସହ ଯୋଡ଼ି ହେବା ପାଇଁ ଖାଦ୍ୟକୁ ପ୍ରଭାବଶାଳୀ ଉପାୟ ଭାବେ ବ୍ୟବହାର କରିବା ରାଜନେତାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ନୁହେଁ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଶନ୍ଧି ପୁରୁଣା ‘ଜବ ତକ୍ ସମୋସା ମେଁ ରହେଗା ଆଲୁ, ବିହାର ମେଁ ରହେଗା ଲାଲୁ’ ସ୍ଲୋଗାନ ଏବେ ବି ଆମ କାନରେ ଗୁଞ୍ଜରିତ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ନିଜର ନମ୍ର ପୃଷ୍ଠଭୂମିକୁ ଦୃଢ଼ କରିବା ପାଇଁ ଏବଂ ବଂଶବାଦୀ ଦଳଗୁଡ଼ିକୁ ଟାର୍ଗେଟ କରିବା ପାଇଁ ତାଙ୍କର ଚା ବିକିବା ପ୍ରସଙ୍ଗକୁ ବ୍ୟବହାର କରିଆସୁଛନ୍ତି। ବାସ୍ତବରେ ୨୦୧୪ ଲୋକସଭା ନିର୍ବାଚନ ସମୟରେ ତାଙ୍କର ‘ଚାଇ ପେ ଚର୍ଚ୍ଚା’ ଅଭିଯାନ ଭୋଟରଙ୍କ ସହ ଯୋଡ଼ି ହେବାର ଅନ୍ୟତମ ପ୍ରମୁଖ ଉପାୟ ଥିଲା। ଏହାର ୧୦ ବର୍ଷ ପରେ ବି ବିଭିନ୍ନ ରାଜ୍ୟର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଖାଦ୍ୟ ରାଜନୀତି ହିଁ ରାଜନେତାଙ୍କ ପାଇଁ ଏକ ଉପାୟ ପାଲଟିଛି। ବିଜେପିର ତାମିଲନାଡୁ ଅଭିଯାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ ଉପମା ତାଙ୍କର ପ୍ରିୟ ତାମିଲ ଖାଦ୍ୟ ଏବଂ ପେଟକୁ ହାଲୁକା ଓ ସହଜପାଚ୍ୟ ହୋଇଥିବାରୁ ସେ ପୋଙ୍ଗଲକୁ ମଧ୍ୟ ପସନ୍ଦ କରନ୍ତି। ଏହାର କିଛି ଦିନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପାଇଁ ମୁଖ୍ୟତଃ ଘିଅ ଓ ବେସନରୁ ପ୍ରସ୍ତୁତ ଲୋକପ୍ରିୟ ମିଠା ମହୀଶୂର ପାକ କିଣିବା ପାଇଁ ରାସ୍ତା ଡିଭାଇଡର ଉପରକୁ ଡେଇଁପଡ଼ିଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓକୁ ନିଜ ହ୍ୟାଣ୍ଡେଲରେ ପୋଷ୍ଟ କରି ଷ୍ଟାଲିନ୍ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଜୁନ୍ ୪ରେ ଇଣ୍ଡି-ମେଣ୍ଟ ସହଜ ବିଜୟ ଲାଭ କରିବ। କର୍ଣ୍ଣାଟକର ମହୀଶୂରରେ ପ୍ରସ୍ତୁତ ହେଉଥିବା ମହୀଶୂର ପାକ କେବଳ ଏହି ଅଞ୍ଚଳର ଏକ ଲୋକପ୍ରିୟ ମିଠା ହେବା ଅପେକ୍ଷା ରାଜନୈତିକ ମହତ୍ତ୍ୱ ରଖୁଛି। ଏହି ମିଠା ୧୯ଶ ଶତାବ୍ଦୀର ମହୀଶୂର ଶାସକ କୃଷ୍ଣରାଜ ଓଡେୟାରଙ୍କ ରାଜ-ସୂପକାର ତିଆରି କରିଥିଲେ ବୋଲି ବିଶ୍ୱାସ କରାଯାଏ। ଓଡେୟାର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିଥିଲେ ଏବଂ ଧର୍ମନିରପେକ୍ଷ ସଂସ୍କୃତିର ଜଣେ ଦୃଢ଼ ସମର୍ଥକ ଥିଲେ।

ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାରେ ଯେଉଁ ଖାଦ୍ୟ ପ୍ରାଧାନ୍ୟ ଲାଭ କରିଛି ତାହା ହେଉଛି ମାଛ। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପ୍ରଚାର ସମୟରେ ରୁଟି ଓ ମାଛ ଖାଉଥିବାର ଏକ ଭିଡିଓ ପୋଷ୍ଟ କରିବା ପରେ ବିଜେପି ସେଥିରୁ ଦୋଷ ବାହାର କରିଛି। ନବରାତ୍ରିରେ କିଛି ହିନ୍ଦୁ କେବଳ ନିରାମିଷ ଖାଦ୍ୟ ଖାଉଥିବା ବେଳେ ଆରଜେଡି ନେତା ଆମିଷ ଖାଇବାକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା। ତେଜସ୍ୱୀ ସ୍ପଷ୍ଟ କରିଛନ୍ତି ଯେ ଭିଡିଓଟି ନବରାତ୍ରି ପୂର୍ବରୁ ସୁଟିଂ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗକୁ ବ୍ୟବହାର କରି ବିରୋଧୀଙ୍କୁ ‘ମୋଗଲ ମାନସିକତା’ ଥିବା ଅଭିଯୋଗ କରିଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ରାହୁଲ ଗାନ୍ଧୀ ଚମ୍ପାରଣରେ ମଟନ୍ ରୋଷେଇ କରୁଥିବାର ଏକ ଭିଡିଓ ମଧ୍ୟ ସେ ପୋଷ୍ଟ କରିଥିଲେ। ସେମାନେ ଶ୍ରାବଣ ବା ଚତୁର୍ମାସ୍ୟ ବ୍ରତ ସମୟରେ ଏଭଳି ଭିଡିଓ ଜାରି କରି ହିନ୍ଦୁମାନଙ୍କୁ ଚିଡ଼ାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର