ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ଉପରେ ଫୋକସ୍‌: ଅହମଦାବାଦ ଓ ଗାନ୍ଧୀନଗରରେ ଅମିତ ଶାହଙ୍କ ରୋଡ୍‌ ସୋ

କେରଳ ମୁଖ୍ୟମନ୍ତ୍ରୀ ମୋତେ ନିରନ୍ତର ଆକ୍ରମଣ କରୁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି (ଶୁକ୍ରବାର) ଭୋଟ୍‌ ଗ୍ରହଣ ହେବାକୁ ଯାଉଥିବା ବେଳେ ରାଜନୈତିକ ନେତାମାନେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଆସନଗୁଡ଼ିକ ଉପରେ ଫୋକସ୍ କରୁଛନ୍ତି। ଅହମଦାବାଦ ଓ ଗାନ୍ଧୀନଗରର ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରୋଡ୍‌ ସୋ କରିଛନ୍ତି। ସେପଟେ କେରଳରେ ଥିବା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଏହା ଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଛି ଏବଂ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ମୋଦୀ ଗଣମାଧ୍ୟମକୁ ପୂରା କବ୍‌ଜା କରିନେଇଛନ୍ତି। ସେମାନେ ଭାଷା, ସ୍ଥାନ, ଧର୍ମ ଓ ଜାତି ଭିତ୍ତିରେ ଲୋକଙ୍କୁ ଭାଗଭାଗ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ନିଜ ମେଣ୍ଟଭୁକ୍ତ ଦଳର ନେତା ତଥା କେରଳ ମୁଖ୍ୟମନ୍ତ୍ରୀ ପିନାରାୟିଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ମୁଁ ୨୪ ଘଣ୍ଟା ବିଜେପି ଉପରେ ଆକ୍ରମଣ କରୁଛି, କିନ୍ତୁ କେରଳ ମୁଖ୍ୟମନ୍ତ୍ରୀ ମୋତେ ଆକ୍ରମଣ କରିବା ପାଇଁ ୨୪ ଘଣ୍ଟା ସମୟ ଦେଉଛନ୍ତି।

ଅପରପକ୍ଷେ କୋଲାମରେ ଏକ ସଭାକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଥରେ ରାଜୀବ ଗାନ୍ଧୀ କହିଥିଲେ ଯେ ଭାରତରେ ଏତେ ପରିମାଣର ଦୁର୍ନୀତି ହୋଇଛି ଯେ ଯଦି ମୁଁ କେନ୍ଦ୍ରରୁ ୧୦୦ ପଇସା ପଠାଇବି, ତେବେ ମାତ୍ର ୧୪ ପଇସା ଲୋକଙ୍କ ପାଖରେ ପହଞ୍ଚିଥାଏ ଏବଂ ୮୬ ପଇସା ବାଟମାରଣା ହୋଇଥାଏ। ସ୍ୱାଧୀନ ଭାରତରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଆଜି ଯଦି ଦିଲ୍ଲୀ ବ୍ୟାଙ୍କରୁ ୧୦୦ ପଇସା ପଠାଯାଏ, ତେବେ ଆପଣଙ୍କ ପକେଟରେ ୧୦୦ ପଇସା ପହଞ୍ଚେ ଏବଂ ଗୋଟିଏ ପଇସା ବି ବାଟମାରଣା ହୁଏ ନାହିଁ। ଜବାହରଲାଲ ନେହରୁ ହୁଅନ୍ତୁ, ଇନ୍ଦିରା ଗାନ୍ଧୀ ହୁଅନ୍ତୁ କିମ୍ବା ରାଜୀବ ଗାନ୍ଧୀ ସମସ୍ତେ କହିଥିଲେ ଯେ ଆମେ ଦାରିଦ୍ର୍ୟ ଦୂର କରିବୁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ମେରଠରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜି ଦେଶରେ ଯାହା ବି ପରିବର୍ତ୍ତନ ହୋଇଛି, ତାହା ଅନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ ବୃଦ୍ଧି ହେଉ, ନିରାପତ୍ତା ହେଉ କିମ୍ବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ହେଉ ସବୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ହୋଇଛି।

ସମ୍ବନ୍ଧିତ ଖବର