‘ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକା ଆଗ୍ରହୀ’

ୱ‌ାଶିଂଟନ୍‌: ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକା ଆଗ୍ରହୀ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଆମେରିକାର ବିଦେଶ ବିଭାଗ ମୁଖପାତ୍ର ବେଦାନ୍ତ ପଟେଲ୍‌ ପ୍ରେସ୍‌ବାର୍ତ୍ତାରେ କହିଛନ୍ତି। ବିଶିଷ୍ଟ ଶିଳ୍ପପତି ଏଲନ୍‌ ମସ୍କ କିଛି ଦିନ ପୂର୍ବେ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯିବା ଉଚିତ ବୋଲି ମତ ଦେଇଥିଲେ। ମସ୍କଙ୍କ ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ଗତକାଲି ଅନୁଷ୍ଠିତ ପ୍ରେସ୍‌ବାର୍ତ୍ତାରେ ମୁଖପାତ୍ର ପଟେଲ୍‌ କହିଛନ୍ତି ଯେ ଏନେଇ ଆମେରିକା ରାଷ୍ଟ୍ରପତି ପୂର୍ବରୁ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ସ୍ପଷ୍ଟ କରିସାରିଛନ୍ତି। ଜାତିସଂଘର ସଚିବ ମଧ୍ୟ ଏହି କଥାକୁ ସ୍ବାଗତ କରିଛନ୍ତି।

ଏକବିଂଶ ଶତାବ୍ଦୀର ବିଶ୍ବର ପ୍ରତିଫଳନ ନିମନ୍ତେ ମିଳିତ ଜାତିସଂଘ ଓ ସୁରକ୍ଷା ପରିଷଦର ସଂସ୍କାର ଆଣିବାକୁ ସେମାନେ (ଆମେରିକା) ସହଯୋଗ କରିବେ। ତେବେ ଏଥିପାଇଁ କେଉଁ ପଦକ୍ଷେପ ନିଆଯିବ ସେନେଇ ସେ ସ୍ପଷ୍ଟଭାବେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ସଂସ୍କାରର ଆବଶ୍ୟକତାକୁ ଅନୁଭବ କରୁଛନ୍ତି। ବର୍ତ୍ତମାନ ସେ ଏହି କଥାକୁ ଏତିକିରେ ଶେଷ କରିବାକୁ ଚାହାନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରେରେ, ଏଲନ୍‌ ମସ୍କ୍‌ କହିଥିଲେ ଯେ ସୁରକ୍ଷା ପରିଷଦରେ ଭାରତକୁ ସଦସ୍ୟତା ନ ମିଳିବା ଏକ ଅସ୍ବାଭାବିକ କଥା। ଯେଉଁ ରାଷ୍ଟ୍ରଗୁଡ଼ିକ ନିକଟରେ ଅଧିକ କ୍ଷମତା ରହିଛି ସେମାନେ ତାହା ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି।

ସମ୍ବନ୍ଧିତ ଖବର