ପ୍ରଧାନମନ୍ତ୍ରୀଙ୍କ ରାଲିରେ ଯାଉଥିବା କାରକୁ ଚାପି ଦେଲା ଟ୍ରକ; ଘଟଣାସ୍ଥଳରେ ୫ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଚୁରୁରେ ସୁଜାନଗଢ଼ ସଦର ଥାନା ଅଞ୍ଚଳରେ ବାଘସରା ଫାଣ୍ଟା ନିକଟରେ ଆଜି ସକାଳ ୬ଘଟିକାରେ ଘଟିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଖିନବସର ଥାନାରେ ନିୟୋଜିତ ଥିବା ୭ଜଣ ପୁଲିସ କର୍ମଚାରୀ ଡିୟୁଟି ପାଇଁ ତାରାନଗର ଯାଉଥିଲେ। ପୁଲିସ କର୍ମଚାରୀ ଯାଉଥିବା କାରଟି ଟ୍ରାକ୍ଟର ସହିତ ଧକ୍କା ହୋଇଯାଇଥିଲା। ଫଳରେ ଏଥିରେ ଥିବା ଏଏସଆଇଙ୍କ ସମେତ ୫ଜଣ ପୁଲିସକର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ସୁଜାନଗଢ଼ ସିଓ ସକିଲ ଖାନ ସୂଚନା ଦେଇଛନ୍ତି।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଶୋକବ୍ୟକ୍ତ କରିବା ସହିତ ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

 

ଏକାଠି ୫ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଶୋକରଛାୟା ଖେଳି ଯାଇଛି। ମୃତ ପୁଲିସ କର୍ମଚାରୀଙ୍କ ନାମ ଏଏସଆଇ ରାମଚନ୍ଦ୍ର, କନଷ୍ଟେବଳ କୁମ୍ଭାରମ, ସୁରେଶ ମିନା, ତାନାରାମ ଓ ମହେନ୍ଦ୍ର ବୋଲି ଜଣାପଡ଼ିଛି।

ତେବେ ରାଜସ୍ଥାନରେ ନଭେମ୍ବର ୨୫ରେ ଭୋଟ ଥିବା ବେଳେ ଭୋଟଗଣତି ଡିସେମ୍ବର ୩ ତାରିଖରେ ରହିଛି। ନିର୍ବାଚନ ପାଇଁ ‌ବୈଠକ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ରାଲିରେ ସାମିଲ ହୋଇ ଏହି ନିର୍ବାଚନ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ୫ଜଣ ପୁଲିସ କର୍ମଚାରୀ ଏହି ଦୁର୍ଘଟଣାର ଶିକାର ହୋଇଥିବା ଚୁରୁର ସୁପରିଟେଣ୍ଡେଣ୍ଟ ପୁଲିସ ପ୍ରବୀଣ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର