‘ଲିଓ’ରେ ତ୍ରିଶାଙ୍କ ସହ ଦୁଷ୍କର୍ମ ଦୃଶ୍ୟ କରିବାକୁ ଚାହୁଥିଲି, ହେଲେ ସୁଯୋଗ ମିଳିଲାନି: ମନସୁର

ମୁମ୍ବାଇ: ରିଲିଜ ପରେ ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ ବକ୍ସ ଅଫିସରେ ଧମାଲ କରିଥିଲା। ଦୀର୍ଘ ଦିନ ଧରି, ପ୍ରଶଂସକମାନେ ଏହି ଫିଲ୍ମକୁ ଅପେକ୍ଷା କରିଥିବାବେଳେ ଅଗ୍ରୀମ ବୁକିଂ ସମୟରେ ହିଁ ଅନୁମାନ କରାଯାଇଥିଲା ଯେ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିବ। କାରଣ ଏହି ଫିଲ୍ମର ଅଗ୍ରୀମ ବୁକିଂ ଶାହାରୁଖ ଖାନଙ୍କ ‘ଯବାନ’କୁ ମଧ୍ୟ ଅତିକ୍ରମ କରିଥିଲା । ତେବେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମରେ ଥିବା ୨କଳାକାରଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିବା ଦେଖାଯାଇଛି।

ଫିଲ୍ମରେ କାମ କରିଥିବା ଅଭିନେତା ମନସୁର ଅଲି ଖାନ୍, ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନନଙ୍କୁ ନେଇ ଯେଉଁ ବିବାଦୀୟ ବୟାନ ଦେଇଛନ୍ତି, ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ମନସୁରଙ୍କ ବୟାନକୁ ତ୍ରିଶାଙ୍କ ସମେତ ‘ଲିଓ’ର ନିର୍ଦ୍ଦେଶକ ଓ ଅନ୍ୟ କଳାକାରମାନେ ନିନ୍ଦା କରିଛନ୍ତି।

ସୂଚନା ମୁତାବକ, ସାମ୍ବାଦିକ ସମ୍ମିଳନୀ କରି ମନସୁର କହିଥିଲେ ଯେ, “ଯେତେବେଳେ ମୁଁ ଶୁଣିଲି ଯେ ‘ଲିଓ’‌ରେ ତ୍ରିଶା ମଧ୍ୟ ଅଛନ୍ତି ସେତେବେଳେ ମୁଁ ଭାବିଥିଲି ଫିଲ୍ମରେ ମୋର ଦୁଷ୍କର୍ମ ଦୃଶ୍ୟ ରହିବ। ମୁଁ ଭାବିଥିଲି ମୁଁ ତାଙ୍କୁ ଟେକି ଶୋଇବା ଘରକୁ ନେଇଯିବି ଯେପରି ମୁଁ ମୋର ପୂର୍ବ ସିନେମାରେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ କରିଥିଲି। ମୁଁ ବହୁତ ଦୁଷ୍କର୍ମ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ ନୂଆ ନୁହେଁ। କିନ୍ତୁ ‘ଲିଓ’ର ସୁଟିଂ ସମୟରେ ମୋତେ ତ୍ରିଶାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଲାନି।”

ମନସୁରଙ୍କ ଏଭଳି ବୟାନରେ ବିରକ୍ତି ପ୍ରକାଶ କରି ତ୍ରିଶା ଏକ୍ସରେ ଲେଖିଛନ୍ତି ଯେ, ସେ ଆଗକୁ କୌଣସି ଫିଲ୍ମରେ ମନସୁରଙ୍କ ସହ କାମ କରିବେ ନାହିଁ।

ସମ୍ବନ୍ଧିତ ଖବର