ବିଧାନସଭା ନିର୍ବାଚନ: ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନ ଓ ଛତିଶଗଡ଼ର ୭୦ ଆସନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ: ଆଜି ନିର୍ଦ୍ଧାରିତ ସମୟରେ ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ଓ ଦ୍ବତୀୟ ପର୍ଯ୍ୟାୟରେ ଛତିଶଗଡ଼ର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

ଏହି ପ୍ରମୁଖ ହିନ୍ଦୀ ଭାଷାଭାଷୀ ରାଜ୍ୟ ଦୁଇଟିରେ ଚାଲିଥିବା ବିଧାନସଭା ନିର୍ବାଚନରେ ‘ବିଜେପି’ ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ମଧ୍ୟପ୍ରଦେଶରେ ‘ବିଜେପି’ ସରକାର ଥିବା ବ‌େଳେ ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି।

ଆଜି ସକାଳ ୭ଟା ବେଳେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ ଲାଗି ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣରେ ୨,୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ୍‌ ଗ୍ରହଣ ପାଇଁ କରାଯାଇଥିବା ବୁଥ୍‌ରେ ଭୋଟ୍‌ ଦେବା ପାଇଁ ଲୋକେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି।

ନରସିଂହପୁର ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ତଥା ‘ବିଜେପି’ ପ୍ରାର୍ଥୀ ପ୍ରହ୍ଲାଦ ପଟେଲ୍‌ ଆଜି ସକାଳୁ ରାଜ୍ୟର ସମସ୍ତ ଭୋଟର୍‌ମାନଙ୍କୁ ଭୋଟ୍‌ ଦେବା ଲାଗି ନିବେଦନ କରିଛନ୍ତି। ଇନ୍ଦୋର୍‌-୧ର ‘ବିଜେପି’ ପ୍ରାର୍ଥୀ କୈଳାସ ବିଜୟବର୍ଗୀୟ ତାଙ୍କ ଇନ୍ଦୋର ବାସଭବନରେ ପୂଜାର୍ଚ୍ଚନା କରି ଜନସାଧରଣଙ୍କୁ ନିବେଦନ କରିଛନ୍ତି କି, ସେମାନେ ନିଶ୍ଚିତ ରୂପେ ଭୋଟ୍‌ ଦେଇ ମଧ୍ୟପ୍ରଦେଶରେ ‘ବିଜେପି’ ସରକାର ଗଠନ କରାନ୍ତୁ।

Madhya Pradesh assembly polls
Image Courtesy of India Today

ସେହିପରି, ଛିନ୍ଦ୍‌ୱାରାର କଂଗ୍ରେସ ପ୍ରାର୍ଥୀ ତଥା ଦଳର ରାଜ୍ୟ ସଭାପତି କମଳ ନାଥ ମତଦାନ କରି ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟବାସୀ ସତ୍ୟ ସପକ୍ଷରେ ଯିବେ ବୋଲି ମୋର ପୂର୍ଣ୍ଣ ଭରସା ଅଛି। ମୁଁ ସର୍ବସାଧାରଣଙ୍କୁ, ଭୋଟର୍‌ମାନଙ୍କୁ ବିଶ୍ବାସ କରେ। ମୁଁ ଶିବରାଜ ସିଂହ ନୁହେଁ ଯେ, କହିବି ଆମେ ଏତେ ଆସନ କି, ସେତେ ଆସନ ଜିତିବୁ। ଜନସାଧାରଣ ଆସନ ସଂଖ୍ୟା ନିର୍ଦ୍ଧାରଣ କରିବେ।

‌ଏହାଛଡ଼ା, ଆଜି ସକାଳ ୮ଟା ବେଳେ ଛତିଶଗଡ଼‌ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ‌ହୋଇଛି। ଏଥିରେ ୭୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଆଜିର ଏହି ମତଦାନରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ୨୦୧ଟି ବୁଥ୍‌ରେ କେବଳ ମହିଳା ଟିମ୍‌ ମତଦାନ ପରିଚାଳନା କରୁଛନ୍ତି ବୋଲି ଜିଲ୍ଲା ପ୍ରଶାସନ କହିଛି।

Chhattisgarh assembly election phase 2
Image Courtesy of India Today

ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ଜନସାଧାରଣଙ୍କୁ କହିଛନ୍ତି, ଆଜି ବାକି ୭୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ଆପଣମାନଙ୍କର ଗୋଟିଏ ଭୋଟ୍‌ ଯୁବା, କୃଷକ ଓ ମହିଳାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଦୟାପୂର୍ବକ ଭୋଟ୍‌ ଦେବାକୁ ଘରୁ ବାହାରି ଆସନ୍ତୁ। ଛତିଶଗଡ଼ର ଉନ୍ନତି ପାଇଁ ଭୋଟ୍‌ ଦିଅନ୍ତୁ।

ସମ୍ବନ୍ଧିତ ଖବର