ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନା: ସପ୍ତାହେ ହେଲା ଏମ୍‌ଆର୍‌ଆଇ ମେସିନ୍‌ ଅଚଳ

ବାଲେଶ୍ବର: ବାଲେଶ୍ବରସ୍ଥିତ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ ଏମ୍‌ଆରଆଇ ସେବା ଗତ ସପ୍ତାହେ ହେଲା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇପଡ଼ିଛି। ଫଳରେ ଏମ୍‌ଆର୍‌ଆଇ କରିବାକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ହାସପାତାଳ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ବାଲେଶ୍ବର ହାସପାତାଳରେ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏମ୍‌ଆର୍‌ଆଇ ସେବା ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ଯୋଗାଇ ଦିଆଯାଇଥାଏ। ପ୍ରତିଦିନ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ସମେତ ପଶ୍ଚିମବଙ୍ଗରୁ ଫକୀରମୋହନ ଭେଷଜ ମହାବିଦ୍ୟାଳୟକୁ ଏହି ସେବା ପାଇବା ପାଇଁ ଅନେକ ରୋଗୀ ଆସିଥା’ନ୍ତି। ମାତ୍ର ସରକାରୀ ବ୍ୟବସ୍ଥା ଦୃଷ୍ଟିରୁ ମାତ୍ର ୩୦ରୁ ୩୫ ଜଣ ରୋଗୀଙ୍କୁ ଏହି ସେବା ଯୋଗାଇ ଦିଆଯାଇଥାଏ। ଗତ ଶନିବାର ଅର୍ଥାତ୍‌ ୫ ତାରିଖରେ ଏହି ମେସିନ୍‌ କୌଣସି କାରଣରୁ ଅଚଳାବସ୍ଥାକୁ ଚାଲିଗଲା। ସେବେଠାରୁ ଏହା ସେମିତି ସ୍ଥିତିରେ ରହିଛି। ସେହିପରି ସପ୍ତାହେ ହେଲା ଏମ୍‌ଆରଇ ସେବା ବନ୍ଦ ଥିବାରୁ ସେବା ପାଇବା ପାଇଁ ରୋଗୀଙ୍କ ପଞ୍ଜୀକରଣ ସଂଖ୍ୟା ବଢ଼ି ଚାଲିଛି। ପାଖାପାଖି ୨୦୦ରୁ ଅଧିକ ରୋଗୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଏମ୍‌ଆର୍‌ଆଇ ପାଇଁ ହାସପାତାଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥା ଉପଲବ୍ଧ ନଥିବାରୁ ସାଧାରଣ ଗରିବ ରୋଗୀମାନେ ବାଧ୍ୟ ହୋଇ ମେସିନ୍‌ ଠିକ୍‌ ହେବା ଯାଏ ଅପେକ୍ଷା କରି ବସିଥିବା ଦେଖାଯାଇଛି। ସେପଟେ ଏମ୍‌ଆର୍‌ଆଇ ରିପୋର୍ଟ ନିହାତି ଜରୁରୀ ଥିବା ରୋଗୀମାନେ ଡାକ୍ତରଖାନା ବାହାରକୁ ଯାଇ ଘରୋଇ ଏମ୍‌ଆର୍‌ଆଇ ସେବା କେନ୍ଦ୍ରରେ ଭିଡ଼ ଜମାଇବା ସହ ସେଠାରେ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା କହିଛନ୍ତି।

ଏ ନେଇ ଏମ୍‌ଆର୍‌ଆଇ ସେବା କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ, ମେସିନ୍‌କୁ ସଜାଡ଼ିବା ଲାଗି ଇଞ୍ଜିନିୟରଙ୍କୁ ଓଡ଼ିଶା ବାହାରୁ ଡକାଯାଇଛି। ଗତକାଲି ମେସିନ୍‌କୁ କିଛିକାଂଶରେ ସଜଡ଼ା ଯାଇଥିଲା। ତେବେ ଖୁବ୍‌ଶୀଘ୍ର ଏହା ଠିକ୍‌ ହୋଇ ରୋଗୀଙ୍କ ସେବାରେ ଲାଗିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର