ନୂଆଦିଲ୍ଲୀ : ଭାରତରେ କିଛି ନେତା, ସାମ୍ବାଦିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କର ହ୍ବାଟ୍‌ସଆପ୍‌ ହ୍ୟାକ୍‌ ହୋଇଥିବା ମାମଲାରେ ଆଜି ହ୍ବାଟ୍‌ସଆପ୍‌ ପକ୍ଷରୁ ବୟାନ ଜାରି କରାଯାଇଛି। ଭାରତ ସରକାରଙ୍କୁ ଚଳିତ ବର୍ଷ ସେପ୍‌ଟେମ୍ବରରେ୧୨୧ ଭାରତୀୟଙ୍କ ହ୍ବାଟ୍‌ସଆପ୍‌ ହ୍ୟାକ୍‌ ହୋଇଥିବା ସଂପର୍କରେ ସୂଚନା ଦିଆଯାଇଥିଲା ଏବଂ ଏଥିରେ ଇସ୍ରାଏଲ୍‌ର ଏକ ପ୍ରଯୁକ୍ତି ସଂସ୍ଥା ସଂପୃକ୍ତ ଥିବା କୁହାଯାଇଥିଲା ବୋଲି ହ୍ବାଟ୍‌ସଆପ୍‌ ବୟାନ ଜାରି କରିଛି। ହ୍ବାଟ୍‌ସଆପ୍‌କୁ ହ୍ୟାକ୍‌ କରାଯାଉଥିବା ସଂପର୍କରେ ପୂର୍ବରୁ ମଧ୍ୟ ସରକାରଙ୍କୁ ଥରେ ଅବଗତ କରାଯାଇଥିଲା ବୋଲି ଏହାର ଅଧିକାରୀମାନେ କହିଛନ୍ତି। ଗତ ଗୁରୁବାର ଦିନ ସରକାର ଏହି ମାମଲାରେ ହ୍ବାଟ୍‌ସଆପ୍‌କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଆସନ୍ତକାଲି ସରକାରଙ୍କୁ ଏ ବାବଦରେ ରିପୋର୍ଟ ମିଳିବ ବୋଲି ଜଣାପଡ଼ିଛି। ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ପେଗାସସ୍‌ ସ୍ପାଇୱେର୍‌ ବ୍ୟବହାର କରି ଫୋନ୍‌ ହ୍ୟାକ୍‌ କରିଥିବା ସ୍ପଷ୍ଟ ହୋଇଯାଇଥିବାରୁ ଏହି ସଂସ୍ଥା ବିରୋଧରେ କି ପଦକ୍ଷେପ ନିଆଯାଇଛି ସେ ବାବଦରେ ମଧ୍ୟ ସରକାର ତଥ୍ୟ ମାଗିଛନ୍ତି।

Advertisment

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତର ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ କରିବା ଅଧିକାର କାହାର ନାହିଁ ଏବଂ ସରକାର ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ତେବେ ଏହି ମାମଲାରେ ବିରୋଧୀ ଦଳ ଅଯଥା ରାଜନୀତି କରି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଏବଂ ସରକାରକୁ ବଦନାମ କରିବାକୁ ପ୍ରୟାସ ହେଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି ଯେ ଆମେ କୌଣସି ଭୁଲ୍‌ କାମ କରିନାହୁ ଏବଂ କେବଳ ଉଚ୍ଚସ୍ତରୀୟ ସରକାରୀ ସଂସ୍ଥାକୁ ହିଁ ଆମେ ସଫ୍‌ଟୱେର ଉପଲବ୍ଧ କରାଇଛୁ। ୨୦ଟି ରାଷ୍ଟ୍ରରେ ପ୍ରାୟ ୧୪ ଶହ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କର ଯେଉଁ ତଥ୍ୟ ହ୍ୟାକ୍‌ ହୋଇଛି ସେଥିରେ ସିଧାସଳଖ ଆମର କୌଣସି ସଂପୃକ୍ତି ନାହିଁ ବୋଲି ଏନ୍‌ଏସ୍‌ଓ କହିଛି।