‘ପ୍ରେମଭକ୍ତି ଗୀତା’ର ପଞ୍ଚମ ଅଧ୍ୟାୟରେ ଯଶୋବନ୍ତ ଦାସ କହିଛନ୍ତି-
ଦେଖ ଏ ନିତ୍ୟ ନୀଳାଚଳ। ସକଳ ତୀର୍ଥଙ୍କର ଆଳ।।
ଗୋପ ମଥୁରା ବୃନ୍ଦାବନ। ଦ୍ୱାରିକା ଆଦି ଯେତେ ସ୍ଥାନ।।
ସକଳ ଏହି ସ୍ଥାନେ ପାଇ। ଆବର କାଶୀ ମଧ୍ୟେ ହୋଇ।।
ଅତଏବ, କଳିଯୁଗରେ ପ୍ରତିଷ୍ଠିତ ନୀଳାଚଳ ଧାମ ଓ ଦ୍ୱାପରରେ ପ୍ରତିଷ୍ଠା ଲାଭ କରିଥିବା ବୃନ୍ଦାବନ ଏକ ଏବଂ ଅଭିନ୍ନ। ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେବାପୂଜା, ରୀତିନୀତି, ପର୍ବପର୍ବାଣିରେ ଶ୍ରୀକୃଷ୍ଣଙ୍କ ଗୋପଲୀଳାର ପ୍ରଭାବ ଓ ପ୍ରତିଛବି ଅତି ସୁସ୍ପଷ୍ଟ। ସେ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କର ‘ଚାଚେରୀ ଲୀଳା’ ଅନ୍ୟତମ।
ବୈଷ୍ଣବ କବିମାନଙ୍କର ବର୍ଣ୍ଣନା ଅନୁଯାୟୀ- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀଳାଚଳ ହେଉଛି ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟଲୀଳାକ୍ଷେତ୍ର ଦ୍ୱାରକା ଏବଂ ଗୋପପୁରୀ ହେଉଛି ସୁନ୍ଦରାଚଳ (ଗୁଣ୍ଡିଚା ମନ୍ଦିର)। ଏକଦା ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀ ସେ ବିମର୍ଷ ରହୁଥିବାର କାରଣ ପଚାରନ୍ତେ, ଶ୍ରୀକୃଷ୍ଣ କହିଥିଲେ- “ଗୋପୀବିହାରସ୍ଥଳୀ ଯେଉଁସ୍ଥାନ; ସେହି ସ୍ଥାନ ସୁମରି ମୋର ମନ; ନିରନ୍ତର ହୋଇଥାଇ ଉଚ୍ଛନ୍ନ।।” ଏହାର ଅର୍ଥ, ଗୋପପୁରୀର ଆନନ୍ଦଘନ ମୁହୂର୍ତ୍ତମାନଙ୍କୁ ମନେପକାଇ ଶ୍ରୀକୃଷ୍ଣ ସର୍ବଦା ଦୁଃଖିତ ହେଉଥିଲେ। ସେହିପରି, ଶ୍ରୀଜଗନ୍ନାଥଙ୍କୁ ଆନନ୍ଦ ପ୍ରଦାନ ଉଦ୍ଦେଶ୍ୟରେ ରଥଯାତ୍ରାଠାରୁ ଆରମ୍ଭ କରି ଫଗୁଖେଳ ପର୍ଯ୍ୟନ୍ତ ବ୍ୟବସ୍ଥା।
ଏହାର ଅଭିପ୍ରାୟ- ମହାପ୍ରଭୁ ବିଷଣ୍ଣ ନହୁଅନ୍ତୁ।
ଚାଚେରୀ ଲୀଳା ତାହାର ଏକ ଅଂଶ।
ଦୋଳପୂର୍ଣ୍ଣିମାର ପୂର୍ବଦିନ, ଅବିର ଓ ପିଚକାରୀ ଆଦି ମାରି, କରତାଳି ଧ୍ୱନି କରି, ଯେଉଁ ହୋରି ଉତ୍ସବ ପାଳନ କରାଯାଏ, ତାକୁ ‘ଚାଚେରୀ’ କୁହାଯାଏ। ଏହି ବସନ୍ତ ଉତ୍ସବରେ ଗୋପୀମାନଙ୍କ ସହିତ ରାଧା ଓ କୃଷ୍ଣ ଦିବ୍ୟ ମହାରାସ ରଚନା କରିଥିଲେ। କବି ଦେବଦୁର୍ଲ୍ଲଭ ଦାସ ତାଙ୍କ ‘ରହସ୍ୟମଞ୍ଜରୀ’ରେ ଲେଖିଛନ୍ତି-
‘‘ପଲ୍ଲବିଲେ ତରୁଲତା ଫୁଟିଗଲେ ଫୁଲ
ଚାଚେରୀ ଗହଳ ସଖି ଗୋବିନ୍ଦଙ୍କ ଦୋଳ
ସର୍ବ ସୁଖ ଘେନିଗଲେ ମଦନ ଗୋପାଳ’’।
ସେହି ଦିବ୍ୟସ୍ମୃତିର ପ୍ରତିଫଳନ ସ୍ୱରୂପ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ଚାଚେରୀବେଶ ଓ ଚାଚେରୀ ଲୀଳା। ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ, ନାଲି ବାରଲାଗି ବସ୍ତ୍ର ସହିତ ବିଭିନ୍ନ ପୁଷ୍ପାଳଙ୍କାର ଓ ରତ୍ନାଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇଥାନ୍ତି। ତାଙ୍କର ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହିତ ଚାଚେରୀ ବେଶ ହୋଇ ଜଗନ୍ନାଥ ବଲ୍ଲଭକୁ ବିଜେ କରିଥାନ୍ତି। ସେଠାରେ ଜଉଡାବ ଖେଳ ହୋଇଥାଏ। ପରେ ବେଣ୍ଟଶିକାର ନୀତି ଅନୁଷ୍ଠିତ ହୁଏ। ଏହି ଲୀଳା ଭଗବାନଙ୍କୁ ଚରମ ଆନନ୍ଦ ଦେଇଥାଏ ବୋଲି ବୈଷ୍ଣବ ଭକ୍ତମାନେ ବିଶ୍ୱାସ କରନ୍ତି।
ଡକ୍ଟର ତୁଳସୀ ଓଝା।