ରଙ୍ଗିଲା ରମେଶ ନାଁରେ ପୁଣି ଏକ ମାମଲା: ପଞ୍ଜାବୀ ଅଧ୍ୟାପିକାଙ୍କୁ ବାହା ହୋଇ ୧୯ ଲକ୍ଷ ଚଳୁ

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବାରେ ଲାଗିଛି। ମାଟ୍ରିମୋନି ସାଇଟ୍‌ରୁ ବାଛି ବାଛି ବିଧବା କିମ୍ବା ସ୍ବାମୀ ପରିତ୍ୟକ୍ତା ପଇସାବାଲା ମହିଳାଙ୍କୁ ଫସାଉଥିବା ପ୍ରମାଣ ମିଳିବାରେ ଲାଗିଛି। ପୂର୍ବରୁ ଡାକ୍ତରାଣୀ, ଶିକ୍ଷୟିତ୍ରୀଙ୍କ ଭଳି ମହିଳାଙ୍କୁ ଫସାଇଥିବା ରମେଶ ଜାଲରେ ଜଣେ ପଞ୍ଜାବୀ ଅଧ୍ୟାପିକା ଫସିଥିବା ଜଣାପଡ଼ିଛି। ତାଙ୍କୁ ବାହା ହୋଇ ରମେଶ ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏନେଇ ଆଜି ଅଭିଯୋଗ ହେବା ପରେ ମହିଳା ଥାନା ପୁଲିସ ଆଉ ଏକ ମାମଲା ରୁଜୁ କରିଛି।

ସୂଚନାନୁସାରେ ୨୦୧୮ ମସିହାରେ ରମେଶ ମାଟ୍ରିମୋନି ସାଇଟ୍‌ ଜରିଆରେ ପଞ୍ଜାବର ଏହି ଅଧ୍ୟାପିକାଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲା। ରମେଶର କଥାରୁ ସେ ଜଣେ ନକଲି ଲୋକ ବୋଲି ସେ ତିଳେ ବି ସନ୍ଦେହ କରିନଥିଲେ। କେନ୍ଦ୍ର କୃଷି ମନ୍ତ୍ରାଳୟର ଜଣେ ପଦସ୍ଥ ଅଧିକାରୀଙ୍କ ଭଳି ସେ କଥାବାର୍ତ୍ତା କରିଥିଲେ। ରମେଶ ନିଜ ଆଡ଼ୁ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ବିଶ୍ବାସ କରି ସେ ରାଜି ହୋଇଥିଲେ।

ଏହା ପରେ ଯଥାରୀତି ନିର୍ବନ୍ଧ ମଧ୍ୟ ହୋଇଥିଲା ଓ ପଞ୍ଜାବରେ ସେମାନଙ୍କର ବିବାହ ହୋଇଥିଲା। ବିବାହ ପୂର୍ବରୁ ଓ ପରେ ବିଭିନ୍ନ ବାହାନା କରି ରମେଶ ତାଙ୍କ ଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ଏବେ ଗଣମାଧ୍ୟମରୁ ତା’ର କାରନାମା ଜାଣିବା ପରେ ଅଧ୍ୟାପିକା ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଏଣେ ରମେଶର ମିଛଧରା ପରୀକ୍ଷା ପାଇଁ ପୁଲିସ କରିଥିବା ଆବେଦନର ଶୁଣାଣି ଆଜି ହୋଇପାରିନାହିଁ।

ସମ୍ବନ୍ଧିତ ଖବର