ହାତୀ ସହିତ କଟେ ରାତି: ଅଭ୍ୟସ୍ତ ହୋଇଗଲେଣି ଜିଏ କଲୋନି ବାସିନ୍ଦା

ଖଣ୍ଡଗିରି: ଚନ୍ଦକା ଜଙ୍ଗଲ ନିକଟସ୍ଥ ଜିଏ କଲୋନି। ପୂର୍ବରୁ ଏହି ଅଞ୍ଚଳରେ ଘଞ୍ଚ ଅରଣ୍ୟ ଥିଲା। ସମୟକ୍ରମରେ ଜିଏ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ବିକଶିତ କରାଯାଇ କଲୋନି ସ୍ଥାପନ ହେଲା। ଏଠାରେ ବର୍ତ୍ତମାନ ୧୨୦୦ରୁ ଅଧିକ ପ୍ଲଟରେ ଲୋକେ ଘର କରି ରହୁଛନ୍ତି। କଲୋନି ପାଖରେ ଅଛି ବସ୍ତି। ହାତୀ ଚଲାପଥକୁ ସରକାର ମନୁଷ୍ୟ ଆବାସସ୍ଥଳୀରେ ପରିଣତ କରି ଦେଲେ ସିନା ହାତୀ କିନ୍ତୁ ଏବେବି ନିଜ ଚଲାପଥ ଭୁଲିନାହିଁ। ବିଶେଷ କରି ଦନ୍ତାହାତୀ ରାମୁ ପାଇଁ ଜିଏ କଲୋନି ହିଁ ରାତ୍ରିଯାପନ କେନ୍ଦ୍ର ପାଲଟିଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ବର୍ଷରେ ଏଭଳି କୌଣସି ମାସ ନାହିଁ ଯେବେ ସେ ଏଠିକୁ ଆସୁନାହିଁ। ବରଂ ମାସକୁ ପ୍ରାୟ ୧୫ରୁ ୨୦ ଦିନର ରାତି ତା’ର ଏଇଠି କଟେ। ପୂର୍ବରୁ ପାଚେରି ଭାଙ୍ଗି ପଶୁଥିଲା। ଏବେ କିନ୍ତୁ କବାଟ ଖୋଲି ପଶୁଛି। ଗଛ ଡାଳ, ଆମ୍ବ, କଦଳୀ ଯାହା ବାଟରେ ପଡ଼ିଲା ଖାଇ ଦିଏ। ପ୍ରଥମେ ଯେତେବେଳେ କଲୋନି ପ୍ରତିଷ୍ଠା ହୋଇଥିଲା, ତାକୁ ଦେଖି ଲୋକେ ଡରୁଥିଲେ। ଏବେ କିନ୍ତୁ ତା’ ସହିତ ବଞ୍ଚିବା ଶିଖିଗଲେଣି। ବରଂ ଅଧିକାଂଶ ବ୍ୟକ୍ତି ମତ ଦିଅନ୍ତି, ସେ ଆମ ଜାଗାରେ ନୁହେଁ ଆମେ ତା ସ୍ଥାନରେ ରହୁଛୁ। ତେଣୁ ସେ ଯଦି ଆସୁଛି ତେବେ ଆମେ ଗ୍ରହଣ କରିବା ପାଇଁ ବାଧ୍ୟ। ରାଜଧାନୀ ସ୍ଥିତ ଜିଏ କଲୋନିର ହାତୀ ସହିତ ଅଭ୍ୟସ୍ତ ଜୀବନ ଗୋଟିଏ ନିଆରା ଅଭିଜ୍ଞତା।

ହାତୀ ସ୍ଥାନରେ ଆମେ ରହୁଛୁ
କଲୋନିରେ ରହିବାର ୬ ବର୍ଷ ମଧ୍ୟରେ ହାତୀ ୬୦୦ ଥର ଆସିଥିବ। ପୂର୍ବରୁ ପ୍ରଥମେ ଯେତେବେଳେ ଏଠି ଘର କରି ରହିଲୁ, ହାତୀ ଭଳି ଏତେ ବଡ଼ ଜୀବକୁ ଦେଖି ଭାରି ଭୟ ଲାଗୁଥିଲା। କିନ୍ତୁ ସମୟକ୍ରମରେ ଅନୁଭବ ହୋଇଥିଲା ଯେ ଆମେ ତା’ର କ୍ଷତି ନ କଲେ ସେ ମଧ୍ୟ ଆମ ପାଇଁ ବିପଜ୍ଜନକ ହେବ ନାହିଁ। ତା’ ଛଡ଼ା ସେ ଆମ ସ୍ଥାନରେ ନୁହେଁ ବରଂ ଆମେ ତା’ ସ୍ଥାନରେ ରହୁଥିବା ଅନୁଭବ କରି ସାରିଛୁ। ତେଣୁ ଆମେ ତାକୁ ଦେଖି ଅଭ୍ୟସ୍ତ ହୋଇଗଲୁଣି। ଅନେକ ସମୟରେ ମୂଲ୍ୟବାନ ଗାଡ଼ି ରାସ୍ତାରେ ଛିଡ଼ା ହୁଏ, କିନ୍ତୁ ସେ କୌଣସି ଗାଡ଼ିକୁ କେବେ ଭାଙ୍ଗି ନାହିଁ। ଆମେ ମଧ୍ୟ ବାଲକୋନିରେ ଥାଇ ତାକୁ ଦେଖୁ। ପିଲାଙ୍କୁ ଦେଖାଉ। ନିର୍ଦ୍ଦିଷ୍ଟ ଗୋଟିଏ ହାତୀ ହିଁ ପ୍ରତିରାତିରେ ଆସେ। ଭୋର୍‌ରେ ଚାଲିଯାଏ।
– ରଞ୍ଜୁକ୍ତା ନାଏକ, ଗୃହିଣୀ

ହାତୀ ପାଇଁ ପୂର୍ବରୁ କଦଳୀ ଗଛ ଲଗାଉଥିଲି
ଆମେ ପ୍ରାୟ ୪ ବର୍ଷ ହେଲା ଏହି କଲୋନିରେ ରହୁଛୁ। ରାତି ପ୍ରାୟ ୨ଟାରୁ ୩ଟାରେ ଗୋଟିଏ ହାତୀ ଆସେ। ସେହି ହାତୀ ପାଇଁ ଘର ପାଖରେ ଥିବା ଖାଲି ସ୍ଥାନ ଦେଖି କିଛି କଦଳୀ ଗଛ ଲଗାଇଥିଲି। ହାତୀ ମଧ୍ୟ ଗଛ ଡାଳ ଭାଙ୍ଗି ଆଗ୍ରହ ସହିତ ଖାଉଥିଲା। କିଛି ଦିନ ପୂର୍ବରୁ ପଡ଼ୋଶୀ ଜଣଙ୍କ ପାଚେରି ଭାଙ୍ଗିବା ପରେ କଦଳୀ ଗଛ ଲଗାଇବା ବନ୍ଦ କରି ଦେଇଛି। ହାତୀ ପ୍ରତି କେବେ ଭୟ ନଥିଲା। ବରଂ ଛାତରେ କ୍ୟାମେରା ଲଗାଇଥାଏ। ପିଲାଙ୍କୁ ଦେଖାଏ। ହାତୀଟି କଲୋନିକୁ ପ୍ରତିଦିନ ଆସୁଥିଲେ ମଧ୍ୟ ନିର୍ଦିଷ୍ଟ ଅଞ୍ଚଳକୁ ପ୍ରତିଦିନ ଆସେ ନାହିଁ।
– ଆଶୁତୋଷ ବର୍ମା, ବ୍ୟବସାୟୀ

ହାତୀ ତା’ ବାଟରେ ଆସେ, ଖାଇକି ଯାଏ
ହାତୀ ତା’ ବାଟରେ ଆସେ। ଖାଇକି ଯାଏ। ଏହି କଲୋନିକୁ ଆସୁଥିବା ହାତୀ ହିଂସ୍ର ନୁହେଁ। କାହାକୁ ଆକ୍ରମଣ କରିବା ଭଳି ଘଟଣା ଘଟିନାହିଁ। ସନ୍ଧ୍ୟା ୬ଟାରେ ଜଙ୍ଗଲରୁ ଚାଲି ଆସୁଛି। କିନ୍ତୁ ଲୋକଙ୍କ ଚଳପ୍ରଚଳ ଅଞ୍ଚଳକୁ ଆସେ ନାହିଁ। ନିଛାଟିଆ ସ୍ଥାନ ଦେଖି ବୁଲୁଥାଏ। କଲୋନି ରାସ୍ତାକୁ ରାତି ୧୨ଟା ପରେ ଆସେ। ଥରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ ମଧ୍ୟ ସେ କିଛି କରିନଥିଲା। ଆମେ ମଧ୍ୟ ତା’ସହିତ ବଞ୍ଚିବା ଶିଖିଗଲୁଣି।
– ଅଶୋକ ଦାସ, ସ୍ଥାନୀୟ ଅଧିବାସୀ

ସମ୍ବନ୍ଧିତ ଖବର