ସ୍ମାର୍ଟ ପାଇଁ ସହର ଭିତର ବି ଚିକ୍କଣ ହେଉ

ଭୁବନେଶ୍ବର ସହର ବାହାର ଚିକ୍କଣ ହେଲେ ଯେ ସହର ସ୍ମାର୍ଟ ହୋଇଯାଏ ତାହା ନୁହେଁ। ସ୍ମାର୍ଟ ସହର ପାଇଁ ବାହାର ଭଳି ଭିତର ମଧ୍ୟ ଚିକ୍କଣ ହେବା ଦରକାର। ଅର୍ଥାତ ଲୋକମାନଙ୍କ ପାଖରେ ଠିକ୍‌ ଭାବେ ଆଲୁଅ ଓ ପାଣି ପହଞ୍ଚିବା ଦରକାର ‌େବାଲି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଏନ୍‌-୪ରେ ଥିବା ନୟାପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍‌ର ‘ଡିରେକ୍ଟୋରି’ ଉନ୍ମୋଚନ ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଲୋକମାନେ ଠିକ୍ ଭାବେ ଆଲୁଅ ଓ ପାଣି ପାଇପାରୁ ନାହାଁନ୍ତି। ତେଣୁ ଏହାର ସମାଧାନ ହେବା ଆବଶ୍ୟକ। ସେହିପରି ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏ ଦିଗରେ ପଦକ୍ଷେପ ନିଆଯିବା ଦରକାର। ଲୋକମାନେ କିପରି ସୁସ୍ଥ ପରିବେଶ ପାଇବେ, ଟିକେ ଖୋଲା ପବନ ପାଇବେ ସେ ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଦରକାର। ଏହାଛଡ଼ା ସହରର ଟ୍ରାଫିକ୍ ସମସ୍ୟା ଲୋକଙ୍କୁ ଚିନ୍ତାରେ ପକାଇଲାଣି। ତେଣୁ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ ଗାଁ ଲୋକଙ୍କ ପାଖରେ ସୂଚନା ପୁସ୍ତକ ନଥାଏ। ହେଲେ ସେମାନେ ଆଖପାଖ ଅଞ୍ଚଳର ସମସ୍ତ ତଥ୍ୟ ଉପରେ ଅବଗତ ଥାଆନ୍ତି। ଏମିତିକି ଗାଁ ପାନ ଦୋକାନୀକୁ ମଧ୍ୟ କୌଣସି ସୂଚନା ପାଇଁ ପଚାରି‌ଲେ, ସେ ତଥ୍ୟ ଦେଇପାରେ। ହେଲେ ସହରର ଲୋକ ନିଜ ପଡ଼ୋଶୀର ମୃତ୍ୟୁ ଖବର ଜାଣିନଥାନ୍ତି। ଅର୍ଥାତ ସହରର ଲୋକଙ୍କ ପାଖରେ ସମ୍ପର୍କ ଯୋଡ଼ିବା ଓ ଭାବ ବିନିମୟର ଅଭାବ ରହିଛି। ତେଣୁ ସମ୍ପର୍କ ଯୋଡ଼ିବା ଓ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଭଦ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ସଞ୍ଜୀବ ପତି, ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ, ପୂର୍ବତନ ସଭାପତି ଡି କେ ରାୟ ଯୋଗଦେଇ ଅନୁଷ୍ଠାନର ଆଗାମୀ ପନ୍ଥା ଓ ସ୍ଥାନୀୟ ଅଞ୍ଚଳର ଗଠନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ଯୁଗ୍ମ ସମ୍ପାଦକ କାର୍ତ୍ତିକେଶ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଦସ୍ୟ ଦୋବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର