ସର୍ବକ୍ଷମା ଯୋଜନା: ଠିକଣାରେ ନାହାନ୍ତି ହିତାଧିକାରୀ, ଫେରୁଛି ‌ଚେକ୍‌

ଘର ମାଲିକଙ୍କ ନାଁ, ଆର୍କିଟେକ୍ଟଙ୍କ ଠିକଣା, କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ?

ଭୁବନେଶ୍ବର: ସର୍ବକ୍ଷମା ଯୋଜନାରେ ସାମିଲ ହେବା ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା କେତେକ ଆବେଦନକାରୀଙ୍କୁ ବିଡିଏ ସେମାନଙ୍କର ଜମା ଅର୍ଥ ଫେରାଇବା ଆରମ୍ଭ କରିଛି। ସର୍ବକ୍ଷମା ଯୋଜନାରେ ସାମିଲ ହେବା ଆଶାରେ ସେମାନେ ଜମା କରିଥିବା ଅର୍ଥକୁ ଚେକ୍‌ ଜରିଆରେ ବିଡିଏ ସେମାନଙ୍କ ଡାକ ଠିକଣାରେ ଫେରାଉଛି। କିନ୍ତୁ ସେହି ଠିକଣାରେ କେହି ନଥିବାରୁ ଚିଠି ଫେରି ଆସୁଛି। ଏଯାବତ୍‌ ବିଡିଏକୁ ପ୍ରାୟ ୧୪୦ ଚେକ୍‌ ଫେରି ଆସିଲାଣି। କୌତୁହଳପ୍ରଦ ହେଉଛି, ୯୫ ପ୍ରତିଶତ ଚିଠିରେ ହିତାଧିକାରୀଙ୍କ ନାଁ ଓ ଆର୍କିଟେକ୍ଟ୍‌ଙ୍କ ଠିକଣା ରହିଛି। ଅନେକ ସ୍ଥଳରେ ଆର୍କିଟେକ୍ଟ୍‌ଙ୍କ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବା ବେଳେ କେତେକଙ୍କର ଭଡ଼ାଘର ବଦଳି ଯାଇଛି। ଏଣୁ ଚିଠି ଫେରିବାରେ ଲାଗିଛି। ଏଣେ ଘର ମାଲିକ ସର୍ବକ୍ଷମା ଯୋଜନାର ଲାଭ ପାଇବା ପାଇଁ ଅପେକ୍ଷା କରି ବସିଛି।

ଅନ୍ୟପଟେ ଯେଉଁମାନଙ୍କ ପାଖକୁ ଏହି ଜମା ଅର୍ଥ ଫେରୁଛି ସେମାନେ ସର୍ବକ୍ଷମା ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ସର୍ବକ୍ଷମାରେ ସାମିଲ୍‌ ହେବା ପାଇଁ ଆବେଦନ କରିଥିବା ପ୍ରାୟ ୯,୦୦୦ ଆବେଦନପତ୍ରରୁ ୩,୦୦୦ ଏଭଳି ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ତାଙ୍କ ଠିକଣାରେ ଏହି ଜମା ଅର୍ଥ ଫେରାଯାଉଛି। ଅର୍ଥାତ୍‌ ସର୍ବକ୍ଷମାରୁ ବାଦ୍‌ ପଡ଼ିଥିବା ଏହି ଆବେଦନକାରୀ ବା ଘରମାଲିକମାନେ ଘର ନିର୍ମାଣ‌ରେ ଆଇନ ଉଲ୍ଲଂଘନ କରିଥିବା ପ୍ରମାଣିତ ହୋଇଛି। ଏଣୁ ଏହି ୩୦୦୦ ଘର ମାଲିକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ପ୍ରଶ୍ନ ଉଠିଛି। ଏହି ଘର ସବୁ ଉଚ୍ଛେଦ ହେବ କି? ନା ଆଉ ଥରେ ସେମାନଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ସୁଯୋଗ ଦିଆଯିବ? ଏବେ ଏହି ଯୋଜନାରେ ଆବେଦନ କରିବାକୁ ବା ସାମିଲ୍‌ ହେବାକୁ ଆଉ ସୁଯୋଗ ନାହିଁ। ତେବେ ସରକାର ଚାହିଲେ ଆଉଥରେ ଏହି ଘରମାଲିକମାନଙ୍କୁ ସୁଯୋଗ ଦେଇ ପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେହିଭଳି ଚେକ୍‌ ଫେରିବା ପରେ ବିଡିଏ ଏହାର ତର୍ଜମା କରିଛି। ୯୫ ପ୍ରତିଶତ ଆବେଦନକାରୀଙ୍କ ଠିକଣା ଆର୍କିଟେକ୍ଟଙ୍କ ଆଧାରରେ ରହିଥିବା ଜଣାପଡ଼ିଛି। ଏ ସମସ୍ତ ଆର୍କିଟେକ୍ଟ ବିଡିଏର ପ୍ୟାନେଲ୍‌ରେ ରହିଛନ୍ତି। ହିତାଧିକାରୀମାନେ ସେମାନଙ୍କର ଚେକ୍‌ ପାଉ ନାହାନ୍ତି। ସେଥିପାଇଁ ଏହି ଆର୍କିଟେକ୍ଟମାନେ ହିଁ ଦାୟୀ। ଏଣୁ ଏମାନଙ୍କ ଉପରେ ବିଡିଏ କାର୍ଯ୍ୟାନୁଷ୍ଠାନ ନେବ କି? ତେବେ କେବଳ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହେବନାହିଁ ବରଂ ଆବେଦନକାରୀଙ୍କ ପାଖରେ ଏହି ଅର୍ଥ କିଭଳି ପହଞ୍ଚିବ, ତାହା ବଡ଼ ଆହ୍ବାନ। କାରଣ ଆର୍କିଟେକ୍ଟ ଠିକଣା ଛଡ଼ା ଆବେଦନକାରୀଙ୍କର ସହ ଯୋଗାଯୋଗର ଆଉ କୌଣସି ବ୍ୟବସ୍ଥା ନାହିଁ। ଏହି ଅର୍ଥ ନ ପହଞ୍ଚିବା ପର୍ଯ୍ୟନ୍ତ ଏହି ଘରମାଲିକମାନେ ସର୍ବକ୍ଷମା ଯୋଜନାରେ ସାମିଲ୍‌ ‌ହୋଇଛନ୍ତି ବୋଲି ଭ୍ରମରେ ରହିବେ। ଯେଉଁମାନେ ବିଡିଏର ଏହି ନିଷ୍ପତ୍ତିକୁ ଚାଲେଞ୍ଜ୍‌ କରିବାକୁ ଚାହୁଛନ୍ତି, ସେମାନେ ମଧ୍ୟ ଉଚିତ୍‌ ସମୟରେ ଅଦାଲତକୁ ଯାଇ ପାରିବେ ନାହିଁ। ଏଥିପାଇଁ କିଏ ଦାୟୀ ରହିବ? ବିଡିଏ ନା ଆର୍କିଟେକ୍ଟ, ଯିଏ ଆବେଦନକାରୀଙ୍କ ଠିକଣା ଜାଗାରେ ନିଜ ଠିକଣା ଦେଇ ଅଡ଼ୁଆ ସୃଷ୍ଟି କରିଛି? ଅନ୍ୟପଟେ ବିଡିଏ କହିଛି, ଉପଯୁକ୍ତ ପ୍ରମାଣ ଦେଖାଇ ଆବେଦନକାରୀ ବିଡିଏରୁ ସିଧା ସଳଖ ଏହି ଅର୍ଥ ନେଇପାରିବେ।

ସୂଚନାଯୋଗ୍ୟ, ସହରରେ ପାଖାପାଖି ୩ ଲକ୍ଷ ଘର ରହିଛି। ସେଥିରୁ ୮୦% ଘର ବେଆଇନ ଭାବେ ନିର୍ମାଣ ହୋଇଛି ବା ପ୍ଲାନ୍‌ ମୁତାବକ ହୋଇନାହିଁ। ଏହି ବେଆଇନ କାମକୁ କ୍ଷମା ଦେବାପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା କରିଥିଲା। ୨୦୧୮ରୁ ଏହି ଯୋଜନା ଆରମ୍ଭ ହୋଇଥିଲା। ଦୁଇବର୍ଷରେ ପ୍ରାୟ ୯,୦୦୦ ଆବେଦନ ଆସିଥିଲା। ବିଡିଏ ଧାର୍ଯ୍ୟ କରିଥିବା ଦେୟ ସେମାନେ ବିଡିଏରେ ଜମା କରିଥିଲେ। ଏଥିରୁ ବିଡିଏ ୩,୦୦୦ ଆବେଦନକାରୀଙ୍କୁ ଅଯୋଗ୍ୟ ବିବେଚନା କରି ସେମାନଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଥିଲା। କେଉଁ କାରଣରୁ ସେମାନଙ୍କୁ ଏହି ଯୋଜନାରୁ ବାଦ୍‌ ଦିଆଯାଉଛି ସେ କାରଣ ଲେଖି ଆବେଦନକାରୀଙ୍କ ଠିକଣାରେ ଚିଠି ପଠାଇଥିଲା। ବିଡିଏ ଦର୍ଶାଇଥିବା କାରଣ ଯଦି ଯୁକ୍ତିଯୁକ୍ତ ନୁହେଁ, ତେବେ ଆବେଦନକାରୀ ଉପଯୁକ୍ତ ପ୍ରମାଣ ସହ ବିଡିଏକୁ ଉତ୍ତର ଲେଖିବାକୁ ସୁଯୋଗ ରହିଥିଲା। କିନ୍ତୁ କରୋନା କାରଣରୁ ଅନେକ ଚିଠି ପୋଷ୍ଟ ଅଫିସ୍‌ରେ ପଡ଼ି ରହିଲା, ଆବେଦନକାରୀଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ମୌନ ରହିବା ସମ୍ମତିର ଲକ୍ଷଣ ନୀତିରେ ବିଡିଏ ଏହି ଆବେଦନକାରୀମାନଙ୍କୁ ସେମାନେ ଜମା କରିଥିବା ଦେୟ ଫେରସ୍ତ କରିବା ଆରମ୍ଭ କରିଥିଲା। ୩,୦୦୦ ଆବେଦନକାରୀଙ୍କର ମୋଟ୍‌ ଜମାର ପରିମାଣ ପ୍ରାୟ ୩୦ କୋଟି ଟଙ୍କା। ଏସବୁ ଫେରାଇବା ପ୍ରକ୍ରିୟା ଜାରି ରହିଛି, କିନ୍ତୁ ଆବେଦନକାରୀଙ୍କ ପାଖରେ ଚିଠି ପହଞ୍ଚୁନଥିବାରୁ ସେମାନେ ଜାଣି ପାରୁ ନାହାନ୍ତି। ଆଉ ୨,୦୦୦ରୁ ଅଧିକ ଚେକ୍‌ ପଠାଇବାକୁ ଅଛି। ଏଥିରୁ ୫୦ ପ୍ରତିଶତରୁ ଅଧିକ ଚିଠି ଆକିଟେକ୍ଟ୍‌ଙ୍କ ଠିକଣା ରହିଥିବାରୁ ଆବେଦନକାରୀଙ୍କ ପାଖରେ ପହଞ୍ଚିବ କି ନାହିଁ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର