ନବୀନ ନିବାସ-ପୋଖରୀପୁଟ୍‌ ରାସ୍ତା ପ୍ରଶସ୍ତୀକରଣ

ବଳି ପଡ଼ିବ ୪୮୯ ଗଛ: ବଡ଼ କାଟିବେ, ଚାରା ରୋଇବେ

ଭୁବନେଶ୍ୱର: ନବୀନ ନିବାସ-ପୋଖରୀପୁଟ୍‌ ରାସ୍ତା ପ୍ରଶସ୍ତୀକରଣ ହେବ। ବର୍ଷେ ତଳୁ ଟେଣ୍ଡର ସରିଥିଲେ ମଧ୍ୟ ଏବେ କାମ ଆରମ୍ଭ ହେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନବୀନ ନିବାସରୁ ଷ୍ଟେଟ୍‌ବ୍ୟାଙ୍କ୍‌ (ପଳାସପଲ୍ଲୀ ଶାଖା)ପର୍ଯ୍ୟନ୍ତ ଥିବା ଏୟାରପୋର୍ଟ ପାଚେରୀ ଭଙ୍ଗାଯିବା ସହ ଏହି ରାସ୍ତା କଡ଼ରୁ ଶହେରୁ ଊର୍ଦ୍ଧ୍ବ ଷ୍ଟ୍ରିଟ୍‌ଲାଇଟ୍‌ ହଟିବ। ଏହା ସହିତ ରାସ୍ତାର ଉଭୟପାର୍ଶ୍ବରୁ ୪୮୯ ଗଛ କଟାଯିବ। ଅନ୍ୟ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେ‌ଳେ ପୋଖରୀପୁଟ୍‌ ଛକରୁ ପଳାସପଲ୍ଲୀ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଗଛକଟା ଆରମ୍ଭ ହୋଇ ଯାଇଛି। ଏଠାରୁ ବଡ଼ ବଡ଼ ଗଛ କାଟିବେ, କିନ୍ତୁ ଏହାର କ୍ଷତିପୂରଣ ବାବଦକୁ ଚାରା ରୋଇବେ। ଅର୍ଥାତ୍‌ ଏହି ଗଛ ଭଳି ବଡ଼ ହେବାକୁ ଆଉ ୫ ବର୍ଷ ଲାଗିବ। ପୁଣି ଏ ଯାବତ୍‌ ଠିକ୍‌ ହୋଇନି କେଉଁଠି ଏହି ଗଛ ଲାଗିବ। ଅଧିକାରୀ କହୁଛନ୍ତି, ଏକାଠି ଏତେ ଗଛ ଲାଗିବାକୁ ତ ଗୋଟିଏ ପ୍ୟାଚ୍‌ କେଉଁଠି ଖାଲି ନାହିଁ, ବିଭିନ୍ନ ଜାଗାରେ ଏ ସବୁ ଗଛ ଲାଗିବ ବୋଲି କହି ବନ ବିଭାଗ ଅଧିକାରୀ ଏହାକୁ ଅତି ହାଲୁକା ଭବେ ନେଇଛନ୍ତି। ଯେତିକି ଗଛ କଟାଯାଏ ସେହି ପରିମାଣର ଦୁଇଗୁଣ କ୍ଷତିପୂରଣ ବାବଦକୁ ରୋପଣ କରାଯାଏ। ଯେଉଁ ବିଭାଗ ଏହି ଗଛ କାଟେ ସେହି ବିଭାଗ ବନବିଭାଗକୁ ଗଛ ପିଛା ୮୦୦ ଟଙ୍କା ଦିଏ। ଏହି ଅର୍ଥରେ ଚାରା ରୋପଣ ସହ ପାଣି ଦେବା ଓ ଯତ୍ନ ନେବା କାମ କରିଥାଏ ବନବିଭାଗ। କଟା ଯିବାକୁ ଥିବା ୪୮୯ ଗଛ ପାଇଁ ପୂର୍ତ୍ତ ବିଭାଗ ୩ଲକ୍ଷ ୯୧ ହଜାର ଟଙ୍କା ଜମା କରିବ। ଏ ଯାବତ୍‌ ଟଙ୍କା ଜମା କରିନାହିଁ। କିନ୍ତୁ ଗଛ କାଟିବା ପାଇଁ ସ୍ବୀକୃତି ଦିଆଯାଇଛି ଓ ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ଗଛକାଟିବା ଆରମ୍ଭ କରିଦେଇଛି। ଭୁବନେଶ୍ବର ସହର ଭିତରେ ଗଛ ଲଗାଇବା ପାଇଁ ଜାଗା ନଥିବା ବେଳେ ଏଠାରୁ ଏତେ ପରିମାଣର ଗଛକାଟିଦେବାକୁ ନେଇ ପରିବେଶବିତ୍‌ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ନବୀନ ନିବାସରୁ ପୋଖରୀପୁଟ୍‌ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତାର ଲମ୍ବା ୩ କିଲୋମିଟର। ଏହି ରାସ୍ତା ନବୀନ ନିବାସରୁ ଆରଓବି ପର୍ଯ୍ୟନ୍ତ ମେଡିଆନ୍‌ କରାଯାଇ ଦୁଇଭାଗ କରାଯାଇଥିଲା। କିନ୍ତୁ ଆରଓବି ପରେ କାର୍‌ଗିଲ୍‌ବସ୍ତି ଦେଇ ଏୟାରପୋର୍ଟ ପାଚେରି କଡ଼େ କଡ଼େ ପୋଖରୀପୁଟ୍‌ ପର୍ଯ୍ୟନ୍ତ ମେଡିଆନ୍‌ ନଥିଲା। ଅନେକ ଜାଗାରେ ରାସ୍ତା ସଙ୍କୁଚିତ ଥିଲା। ଗୋଟିଏ ପାର୍ଶ୍ବରେ ଏୟାରପୋର୍ଟ ‌ପାଚେରୀ ରହିଥିବା ବେଳେ ଅନ୍ୟପଟେ କାର୍‌ଗିଲ୍‌ ବସ୍ତି ଓ ରେଳବାଇର ପାଚେରି ରହିଥିଲା। ମେଡିଆନ୍‌ ହେଲେ ଓସାର କମିଯିବା ଆଶଙ୍କାରେ ମେଡିଆନ୍‌ କରାଯାଉନଥିଲା। ଗତ ବର୍ଷ ଏହାକୁ ଚଉଡ଼ା କରାଯିବା ଯୋଜନା କରିବା ସହ ପୂର୍ତ୍ତ ବିଭାଗ ଏହାର ଟେଣ୍ଡର କରିଥିଲା। ୩ କିମି ଲମ୍ବା ରାସ୍ତା ପାଇଁ ୧୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଉଭୟପାର୍ଶ୍ବରେ ବକ୍ସ ଡ୍ରେନ୍‌ ବ୍ୟବସ୍ଥା ମଧ୍ୟ ରହିଥିଲା। ଟେଣ୍ଡର ମୂଲ୍ୟ ଠାରୁ ୧୦ ପ୍ରତିଶତ କମ୍‌ରେ ଏକ ସଂସ୍ଥାକୁ ଗତ ବର୍ଷ ଡିସେମ୍ବର ମାସରେ ଟେଣ୍ଡର ଦିଆଯାଇଥିଲା। ରାସ୍ତାଟି ପୋଖରୀପୁଟ ଛକରୁ ମା ଗୌରୀ ରିସର୍ଟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଓସାର ଥିବା ବେଳେ ଅନେକ ଜାଗାରେ ମାତ୍ର ୧୫ ଫୁଟ୍‌ ଓସାର ଅଛି। ଏହି ରାସ୍ତାରେ ଏୟାରପୋର୍ଟ ପାଚେରୀ ଭାଙ୍ଗିବ ନାହିଁ କି କାର୍‌ଗିଲ୍‌ ବସ୍ତି ଉଚ୍ଛେଦ ମଧ୍ୟ ହେବ ନାହିଁ। ବସ୍ତି ପାର୍ଶ୍ବକୁ ଥିବା ରେଳବାଇ ପାଚେରୀ ମଧ୍ୟ ଭଙ୍ଗା ଯିବ ନାହିଁ। କିନ୍ତୁ ଉଭୟପାର୍ଶ୍ବରେ ଥିବା ୪୮୯ ଗଛ କାଟିବା ପାଇଁ ଓଏଫ୍‌ଡିସି ଲାଗିପଡ଼ିଛି। ଛୋଟ ଗଛ ଠାରୁ ଆରମ୍ଭ କରି ୨୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବରଗଛ ମଧ୍ୟ ରହିଛି। ୩ ଦିନରେ ଦିନରେ ୧୫୦ ମୋଟା ମୋଟା ଗଛ କଟା ସରିଛି। ୧୦ ଦିନ ଭିତରେ ସମସ୍ତ ଗଛ କାଟି ଦେବା ପାଇଁ ଯୋଜନା ରହିଛି। ୧୫ ଫୁଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବାକୁ ‌ଯୋଜନା ଥିବା ବେଳେ ଏଠାରେ କେତେକ ଜାଗା ୪୦ ଫୁଟ ପର୍ଯ୍ୟନ୍ତ ଓସାର ରହିଛି। ଏହି ସବୁ ଜାଗାରେ ଗଛ କାଟିବା ଆବଶ୍ୟକତା ନଥିଲେ ମଧ୍ୟ କାଟି ଦିଆଯାଉଛି।

ଡିସେମ୍ବର ମାସରୁ ଟେଣ୍ଡର ହୋଇଥିଲେ ମଧ୍ୟ ରାସ୍ତା ତିଆରି କଥା ଠିକାଦାରର ଏବେ ମନେ ପଡ଼ିଛି। ପଳାସପଲ୍ଲୀ ଏସ୍‌ବିଆଇରୁ ଇ-ଟଏଲେଟ୍‌ ପର୍ଯ୍ୟନ୍ତ ଏୟାରପୋର୍ଟ ପାଚେରୀ ଭଙ୍ଗାଯିବ। ଅନେକ ଦିନରୁ ଏହି ପ୍ରସ୍ତାବ ଥିବାରୁ ଏୟାରପୋର୍ଟ କର୍ତ୍ତୃପକ୍ଷ ଭିତରେ ନୂଆ ପାଚେରୀ ତିଆରି କରିସାରିଛନ୍ତି। ଏହା କେବଳ ଭଙ୍ଗାଯିବାକୁ ରହିଛି। ଶହେରୁ ଅଧିକା ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ହଟିବା ଯୋଜନା ହୋଇଛି। ଏ ନେଇ ସିଟି ଡିଏଫ୍‌ଓ ଅଜିତ ଶତପଥୀ କହିଛନ୍ତି, ‘‘ଗଛକଟା ନେଇ ଯେଉଁ ନିୟମ ରହିଛି ସେହି ସର୍ତ୍ତରେ ଗଛ କାଟିବାକୁ ସ୍ମୀକୃତି ଦିଆଯାଇଛି। ଏହି ପରିମାଣର ଗଛ ବିଭିନ୍ନ ଜାଗାରେ ରୋପଣ କରାଯିବ।’’

ସମ୍ବନ୍ଧିତ ଖବର