ଆଜି ଆର୍ଦ୍ରଭୂମି ଦିବସ, ଆର୍ଦ୍ରଭୂମି ଅସୁରକ୍ଷିତ

ବାରଙ୍ଗ: ଆର୍ଦ୍ରଭୂମି ଯୋଗୁଁ ପୃଥିବୀ ପୃଷ୍ଠରେ ଜୀବସତ୍ତା ସୃଷ୍ଟି ହେବା ସହ ତିଷ୍ଠି ରହିଛି। ଜୀବଜଗତର ଖାଦ୍ୟର ଭଣ୍ଡାର ହେଉଛି ଏହି ଆର୍ଦ୍ରଭୂମି। ପ୍ରାକୃତିକ ହ୍ରଦ ସମେତ ଆର୍ଦ୍ରଭୂମି ବର୍ଷା ଦିନେ ଜଳକୁ ଧାରଣ କରି ବର୍ଷତମାମ ସଂରକ୍ଷିତ ରଖେ। ଯାହା ଗ୍ରୀଷ୍ମ ଦିନରେ ଜଳ ସଂକଟ ଦୂର କରେ। ବାୟୁମଣ୍ଡଳର ଉତ୍ତାପକୁ ମଧ୍ୟ ନିୟନ୍ତ୍ରଣ କରେ। ମାତ୍ର ଅନେକ ଛୋଟ ଛୋଟ ହ୍ରଦ ଲୋପ ପାଇସାରିଛି। ଏହା ଜୀବଜଗତ ପାଇଁ ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ପ୍ରାକୃତିକ ହ୍ରଦ ଓ ଆର୍ଦ୍ରଭୂମି ଜୀବସତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୧୯୭୧ ଫେବ୍ରୁଆରି ୨ ତାରିଖରେ ପ୍ରାକୃତିକ ହ୍ରଦ ଓ ଆର୍ଦ୍ରଭୂମି ସୁରକ୍ଷା ହାତକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିଲା। ଏକ ଦଳ ବିଶ୍ବ ପରିଭ୍ରମଣ କରିଥିଲେ। ଭାରତରେ ୨୬ଟି ହ୍ରଦ ମଧ୍ୟରେ ଓଡ଼ିଶାର ଚିଲିକା ଓ ଭିତରକନିକା ସ୍ଥାନ ପାଇଥିଲା। ତେବେ ଅସ୍ତିତ୍ବ ହରାଇବାକୁ ବସିଥିବା ପ୍ରାକୃତିକ ହ୍ରଦର ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ପାଇଁ ‌ଫେବ୍ରୁଆରି ୨କୁ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶା ତାଲିକାରେ ନନ୍ଦନକାନନର କାଞ୍ଜିଆ ହ୍ରଦ, ବାଙ୍କୀର ଅଂଶୁପା ହ୍ରଦ ସମେତ ଆହୁରି ଅନେକ ହ୍ରଦ ରହିଛି। ତାଲିକା ବାଦ୍‌ ଆହୁରି ଛୋଟ‌ ହ୍ରଦ ରହିଛି। ତେବେ ସେଥିମଧ୍ୟରୁ ଅନେକ ଲୋପ ପାଇବାକୁ ବସିଛି। ପକ୍ଷୀଙ୍କ ଆଗମନ ହେଉଥିବା ବାରଙ୍ଗର ସଇଦ୍‌ପୁରିଆ ହ୍ରଦ, ରଘୁନାଥପୁରର ଜଳି ସମେତ ଆଖପାଖରେ ଅନେକ ଛୋଟ ହ୍ରଦ ଲୋପ ପାଇସାରିଛି। ନିୟମିତ ବୃଷ୍ଟି, ଜଳଧାରଣ ପାଇଁ ଭଣ୍ଡାରର ସୁରକ୍ଷା, ବାୟୁମଣ୍ଡଳର ଉତ୍ତାପ ନିୟନ୍ତ୍ରଣ ପାଇଁ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବ ଦିଆଯିବା ଉଚିତ୍‌। ନଚେତ୍‌ ଜୀବଜଗତକୁ ଏହା ଗଭୀର ଭାବେ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର