ନାମାଙ୍କନ ବେଳେ ଭିଡ଼, ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ବର: ୨୯ ତାରିଖରୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଭୁବନେଶ୍ବରରେ ଲୁଇସ୍‌ ରୋଡ୍‌ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପାୱାର ହାଉସ୍‌ ଛକସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲର ବ୍ୟବସ୍ଥା ହୋଇଛି। ଆଜି ଉତ୍ତର ଭୁବନେଶ୍ବରର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଉଭୟ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ କର୍ମୀ ଓ ଗାଡ଼ି ସାମିଲ ହୋଇଥିବାରୁ ପ୍ରବଳ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। କଳ୍ପନାରୁ ବିଜେବି କଲେଜ, ମାଉସୀ ମା’ ଛକରୁ କଳ୍ପନା, ନାଗେଶ୍ବର ଟାଙ୍ଗୀ ଅଞ୍ଚଳ ଏବଂ କୋର୍ଟ ପଛପାଖର ସମସ୍ତ ଛୋଟ ବଡ଼ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଥିଲା।

ଉପଜିଲ୍ଲାପାଳ, ତହସିଲଦାର, ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ ଓ କୋର୍ଟକୁ କାମରେ ଆସୁଥିବା ଲୋକଙ୍କ ଗାଡ଼ିସବୁ ମୁଖ୍ୟରାସ୍ତା ସହ ଗଳିକନ୍ଦି‌ରେ ଖୁନ୍ଦି ହୋଇ ଯାଉଛି। ପୁଣି ଶୋଭାଯାତ୍ରା ଯୋଗୁ ସମସ୍ୟା ସଙ୍ଗୀନ ହୋଇପଡ଼ିଥିଲା। ଆଜି ଏହି ଭିଡ଼ ପାଇଁ ମ୍ୟୁଜିୟମ ଛକ ନିକଟରେ ଓ ମାଉସୀମା ଛକ ନିକଟରେ ଆମ୍ବୁଲାନ୍ସ କିଛି ସମୟ ଅଟକି ଯାଇଥିଲା। ସ୍ବେଚ୍ଛାସେବୀମାନେ ରାସ୍ତା ଖାଲି କରିବାରୁ ଆମ୍ବୁଲାନ୍ସ ଯିବାରେ ସକ୍ଷମ ହୋଇଥିଲା। ସେହିପରି ପାୱାର୍‌ ହାଉସ୍‌ ଛକ ନିକଟରେ ମଧ୍ୟ କିଛି ସମୟ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ପ୍ରବଳ ଖରା ହେଉଥିବାରୁ ପୁଲିସ୍‌ ଏହି ଶୋଭାଯାତ୍ରାଗୁଡ଼ିକୁ ବ୍ୟବସ୍ଥିତ କରିବା ଉଚିତ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି। ଏହାଦ୍ବାରା ସାଧାରଣ ଜନତାଙ୍କୁ ଆଉ ଖରାରେ ବହୁ ସମୟ ଠିଆ ହେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର