ଭୁବନେଶ୍ବର: କମିସନର୍ କହିଥିଲେ, ଘରକୁ ଘର ବୁଲୁଥିବା ସଫେଇ ଗାଡ଼ି ଏଥର ଦିନକୁ ଦୁଇଥର ଅଳିଆ ସଂଗ୍ରହ କରିବ। ହେଲେ ତାହା ସଫଳ ହେଲାନି। ନିକଟ ଭବିଷ୍ୟତରେ ସଫଳ ହେବା ଭଳି ମଧ୍ୟ ଦିଶୁ ନାହିଁ। କାରଣ ଯେତିକି ଗାଡ଼ି କିମ୍ବା ଚାଳକଙ୍କର ଆବଶ୍ୟକତା ରହିଛି, ତାହା ବିଏମ୍ସି ପାଖରେ ନାହିଁ। କେବଳ ଏହି ପ୍ରତିଶ୍ରୁତି ନୁହେଁ, ବରଂ ପରିମଳ ବ୍ୟବସ୍ଥାରେ ‘ଜିପିଏସ୍’, ‘ଗାର୍ଡିଆନ୍ ଅଫିସର’ ଭଳି ଏକାଧିକ ପ୍ରତିଶ୍ରୁତି ପାଣିର ଗାର ଭଳି ମିଳେଇ ଯାଇଛି। ଏବେ ବିଏମ୍ସି ‘ସଫା’ ଆପ୍ ପ୍ରଚଳନ କରିବାକୁ ଜୋର୍ସୋର୍ରେ ଉଦ୍ୟମ କରୁଛି। ଟ୍ରାଏଲ୍-ରନ୍ ସରିବା ପରେ ପ୍ରତ୍ୟେକ ଘରେ କ୍ୟୁଆର୍ କୋଡ୍ ଲାଗୁଛି, କେମିତି ବ୍ୟବହାର କରିବେ, ସେନେଇ ପ୍ରଶିକ୍ଷଣ ଦିଆଯାଉଛି। ଏହା ବାଧ୍ୟତାମୂଳକ ବୋଲି ଆପ୍ ପ୍ରସ୍ତୁତ କରୁଥିବା ସଂସ୍ଥା କର୍ମଚାରୀ କହୁଥିବାରୁ ସମସ୍ତେ ବାଧ୍ୟ ହୋଇ ଏହି ଆପ୍କୁ ଡାଉନ୍ଲୋଡ୍ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପଣ କରାଇ ବିଏମ୍ସି ଏହାର ଗୁରୁତ୍ବ ବଢ଼ାଇବାକୁ ଚାହୁଛି। କିନ୍ତୁ ଏହା କେମିତି କାମ କରିବ, ସେନେଇ ପ୍ରଶ୍ନ ଉଠିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ପରିମଳ ବ୍ୟବସ୍ଥାରେ ଶୂନ୍ୟ ସହନଶୀଳ ନୀତି ଆପଣେଇ ବିଏମ୍ସି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ଯେଉଁମାନେ ପୃଥକ୍ ପୃଥକ୍ ଆବର୍ଜନା ଦେଉନାହାନ୍ତି ବା ବାହାରେ ଆବର୍ଜନା ଗଦା କରୁଛନ୍ତି ସେମାନଙ୍କୁ ଧରିବା ପାଇଁ ଯୋଜନା ହୋଇଛି। ‘ସଫା’ ଆପ୍ ଜରିଆରେ ସ୍ବଚ୍ଛସାଥୀମାନେ ଅମାନିଆଙ୍କୁ ଧରିବେ। ଅମାନିଆଙ୍କ ଯୋଗୁଁ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଉଥିବାରୁ ଏଭଳି ଯୋଜନା ହୋଇଛି। ଏହାକୁ ଡିଜିଟାଲ ଡୋର୍ ନମ୍ବରିଂ(ଡିଡିଏନ୍) ବ୍ୟବସ୍ଥା ସହ ସଂଯୋଗ କରିବାକୁ ପ୍ରଥମେ ଯୋଜନା ହୋଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଏଣୁ ଏବେ କେବଳ କ୍ୟୁଆର୍-କୋଡ୍ ସ୍କାନ୍ କରିବା ପରେ ଜିଓ ଟ୍ୟାଗିଂ ଜରିଆରେ ଅମାନିଆଙ୍କ ଠିକଣା ଜାଣି ହେବ ଓ ଗାଡ଼ି ନ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଏହି ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ସ୍ମାର୍ଟ ସିଟିର ‘ଏସ୍ଡବ୍ଲ୍ୟୁଏମ୍’ ଆପ୍ ୨୦୧୮ ମସିହାରୁ କାମ କରୁଛି।
ଏହି ବ୍ୟବସ୍ଥାକୁ ଅକାମି କରି ସଫା ଆପ୍କୁ କାହିଁକି ଏତେ ଗୁରୁତ୍ବ ବୋଲି ପ୍ରଶ୍ନ ଉଠିଛି। ସେହିଭଳି ଆବର୍ଜନା ଅଧିକା ଉତ୍ପନ୍ନ ହେଲେ(ବାହାଘର କିମ୍ବା ଅନ୍ୟାନ୍ୟ ଭୋଜି ଭାତ ସମୟରେ) ଏହି ଆପ୍ ଜରିଆରେ ଗାଡ଼ି ବୁକ୍ କରିହେବ। କିନ୍ତୁ ବିଏମ୍ସି ଘରକୁ ଘର ବୁଲି ଦୁଇବେଳା ଆବର୍ଜନା ଉଠାଇ ପାରୁ ନାହିଁ। ଏକ ସମୟରେ ଏକାଧିକ ବାହାଘର କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଲେ କେମିତି ଆବର୍ଜନା ଉଠିବ, ସେନେଇ ପ୍ରଶ୍ନ ଉଠିଛି। ଏହା ସଫଳ ହେଲେ ଏଥିରେ ଅନ୍ୟାନ୍ୟ ସେବା ସଂଯୁକ୍ତ ହେବ। ଯଥା ହୋଲ୍ଡିଂଟ୍ୟାକ୍ସ ସଂଗ୍ରହ, ଜନ୍ମ/ମୃତ୍ୟୁ ପ୍ରମାଣପତ୍ର, ସେସ୍ପୁଲ୍ ବୁକିଂ ପ୍ରଭୃତି। ଏଠାରେ ସୂଚାଇ ଦିଆଯାଇପାରେ, ଭୁବନେଶ୍ବର ଡଟ୍ ଏମ୍ଇ ଜରିଆରେ ଏହି ସବୁ ସେବା ଉପଲବ୍ଧ ଅଛି। ହୋଲ୍ଡିଂ ଟ୍ୟାକ୍ସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ କରାଯିବା ପରେ ଟ୍ୟାକ୍ସ ସଂଗ୍ରହ, ଆସେସ୍ମେଣ୍ଟ ପ୍ରଭୃତି ବହୁଗୁଣ ବଢ଼ିଛି। ଏହା ଏବେ ଏକମାତ୍ର ପ୍ଲାଟ୍ଫର୍ମ ଭାବେ ବ୍ୟବହୃତ ହେଉଛି। ବିଏମ୍ସିଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଅନ୍ଲାଇନ୍ ଜରିଆରେ ଗୋଟିଏ ସେକେଣ୍ଡରେ ସମସ୍ତ ତଥ୍ୟ ପାଇ ପାରୁଛନ୍ତି। ଅର୍ଥାତ୍ ବ୍ୟବସ୍ଥାରେ ସ୍ବଚ୍ଛତା ରହିଛି। ସେସ୍ପୁଲ୍, ଗାଡ଼ି ବୁକିଂ, ଜନ୍ମମୃତ୍ୟୁ ପ୍ରମାଣପତ୍ର ମଧ୍ୟ କେବଳ ଅନ୍ଲାଇନ୍ ଜରିଆରେ ହେଉଛି। ଏହି ସବୁ ସେବା ପାଇବା ବ୍ୟବସ୍ଥାକୁ ଆହୁରି ସହଜ କରିବା ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଡିଜିଟାଲ କିଓସ୍କ ସ୍ଥାପନ କରାଯାଇଛି। ଏସବୁ ସତ୍ତ୍ବେ ଏହି ସଫା ଆପ୍ କାହିଁକି ବୋଲି ପ୍ରଶ୍ନ ଉଠିଛି।
ଏଠାରେ ସୂଚାଇ ଦିଆଯାଇପାରେ, ଦିନକୁ ଦୁଇଥର ସଫେଇ ଗାଡ଼ି ପଛ କଥା, କେତେକ ଅଞ୍ଚଳରେ ଦିନକୁ ଗୋଟିଏ ଥର ମଧ୍ୟ ଗାଡ଼ି ଆସି ପାରୁନାହିଁ। ରାତିଅଧିଆ ଡଷ୍ଟ୍ବିନ୍ ଉଠାଇ ନିଆଯିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଭରି ରହିଛି। ଏମ୍ସିସି ଏକ ବିଫଳ ପ୍ରକଳ୍ପ ହୋଇଥିବାରୁ ପରିମଳ ବ୍ୟବସ୍ଥାରେ ସୁଧାର ଆସି ପାରୁନାହିଁ। ଅଧିକାରୀମାନଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ଲୋକେ ଭୋଗୁଛନ୍ତି। ଅଧିକାରୀମାନେ କାମ କମ୍, ବରଂ ପ୍ରଚାର ପ୍ରସାରରେ ଲାଗିଥିବା ସଚେତନ ନାଗରିକମାନେ ଅଭିଯୋଗ କରିଛନ୍ତି। ଏବେ କମିସନରଙ୍କ ନିଜସ୍ବ ଉଦ୍ୟମ ବଳରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ‘ସଫା’ ଆପ୍ କ’ଣ ସୁଧାର ଆଣିବ, ତାହା ଦେଖିବା ବାକି ରହିଲା।